ଭୁବନେଶ୍ୱର : ଆସନ୍ତା ୩ ମାସ ମଧ୍ୟରେ ରାଜ୍ୟ ସରକାର ଏକ ବିସ୍ତତ ନଦୀ ନୀତି ପ୍ରସ୍ତୁତ କରିବେ। ଜଳସମ୍ପଦର କିପରି ସୁବିନିଯୋଗ କରାଯିବ, ସେ ଦିଗରେ ଧ୍ୟାନ ଦିଆଯିବ। ଏହି ନଦୀ ନୀତି ପ୍ରସ୍ତୁତ ପାଇଁ ଜଳସମ୍ପଦ ବିଭାଗକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୫ ବର୍ଷରେ ରାଜ୍ୟରେ ଜଳସମ୍ପଦର ବିକାଶ ପାଇଁ ୭୫ ହଜାର କୋଟି ଟଙ୍କା ବିନିଯୋଗ କରିବା ନେଇ ଗତକାଲି ଝାରସୁଗୁଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରିପ୍ରେକ୍ଷୀରେ ଏହି ନଦୀ ନୀତି ବେଶ୍ ଗୁରୁତ୍ୱ ବହନ କରୁଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ମହାନଦୀର କିଛି ସ୍ଥାନରେ ବ୍ୟାରେଜ୍ ନିର୍ମାଣ କରାଯାଇ ନଦୀ ଜଳର ସଂରକ୍ଷଣ କରାଯିବ ଏବଂ କୃଷି ଓ ପାନୀୟ ଜଳ ଆଦି କାର୍ଯ୍ୟକ୍ରମରେ ବ୍ୟବହାର କରାଯିବ। ଜନସାଧାରଣ ବିସ୍ଥାପିତ ନ ହେବାର ସମ୍ଭାବନା ଥିବା ସ୍ଥାନରେ ହିଁ ଏହି ବ୍ୟାରେଜ୍ଗୁଡ଼ିକ ନିର୍ମାଣ କରାଯିବ। ବରଗଡ଼ ଓ ଶାସନ ମୁଖ୍ୟ କେନାଲ୍କୁ କଂକ୍ରିଟ୍ ଲାଇନିଂ କରାଯିବ। ଏଥି ପାଇଁ ୪୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ଓ ଏହି କାର୍ଯ୍ୟ ଆସନ୍ତା ୩ ବର୍ଷ ମଧ୍ୟରେ ଶେଷ ହେବ। ସେହିପରି ଆଗାମୀ ୩ ମାସ ମଧ୍ୟରେ ଗଙ୍ଗାଧର ମେହେର ମେଗାଲିଫ୍ଟ କେନାଲ୍ ସିଷ୍ଟମ୍ର ଟେଣ୍ଡର୍ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ସେହିପରି ଜିଲ୍ଲା ଖଣିଜ ପାଣ୍ଠିର ବିନିଯୋଗରେ ପାନୀୟ ଜଳ ସମସ୍ୟା ସମାଧାନକୁ ପ୍ରାଥମିକତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଖଣିଜ ପାଣ୍ଠି ଜିଲ୍ଲାଗୁଡ଼ିକରେ ଅଧିକ ସଂଖ୍ୟକ ମେଗା ପାଇପ୍ ଜଳ ଯୋଗାଣ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଆବଶ୍ୟକ ଲୋକଶକ୍ତିକୁ ଆକଳନ କରିବା ନିମନ୍ତେ ସେ ପଞ୍ଚାୟତିରାଜ ଓ ଜଳସମ୍ପଦ ବିଭାଗକୁ ନିର୍ଦ୍ଦେଶ ଦେଇଥିବା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/05/nav.jpeg)