ଝାରସୁଗୁଡ଼ା: ଦଶନ୍ଧି ପୁରୁଣା ମହାନଦୀ ଜଳ ବିବାଦର ହେବ ସମାଧାନ। ରାଜ୍ୟରେ ନୂଆ ମନ୍ତ୍ରିମଣ୍ଡଳର ବୈଠକ ପରେ ଏ ଦିଗରେ ନିଷ୍ପତ୍ତି ନିଆଯାଇପାରେ। ଏବେ ରାଜ୍ୟ ଓ କେନ୍ଦ୍ର ସହିତ ଛତିଶଗଡ଼ରେ ବି ବିଜେପି ସରକାର ରହିଛି। ତେଣୁ କୋର୍ଟ ବାହାରେ ମହାନଦୀ ଜଳବିବାଦର ସମାଧାନ କରିବାକୁ ସରକାର ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି। ମନ୍ତ୍ରିମଣ୍ଡଳର ବୈଠକ ପରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇପାରେ ବୋଲି କହିଛନ୍ତି ହୀରାକୁଦ ବନ୍ଧ ମୁଖ୍ୟଯନ୍ତ୍ରୀ ଆନନ୍ଦ ସାହୁ।

Advertisment

ମହାନଦୀ ଓ ଏହାର ଶାଖା ନଦୀ ଉପରେ ଛତିଶଗଡ଼ ଗୋଟିଏ ପରେ ଗୋଟିଏ ପ୍ରକଳ୍ପ ନିର୍ମାଣ କରିଚାଲିଥିବା ବେଳେ ତାହାର ପ୍ରଭାବ ଓଡ଼ିଶା ଉପରେ ପଡ଼ୁଛି। ଓଡ଼ିଶାକୁ ଆବଶ୍ୟକ ପରିମାଣର ପାଣି ମିଳିପାରୁନି। ଏଣେ ଓଡ଼ିଶା ସରକାର ଗତ ୮ ବର୍ଷରେ ଗୋଟିଏ ବି ବ୍ୟାରେଜ୍‌ ନିର୍ମାଣ କରିପାରିନାହାନ୍ତି। କେବଳ ଘୋଷଣା ଓ ସତ୍ୟାଗ୍ରହରେ ସୀମିତ ରହିଛନ୍ତି। ୨୦୧୮ ମେ ୧୬ ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଲଖନପୁର ବ୍ଲକ ଶୁଖାସୋଢ଼ାରେ ସ୍ଥିତି ଅନୁଧ୍ୟାନ କରିବାପରେ ସେଠାରୁ ହିଁ ମହାନଦୀ ସୁରକ୍ଷା ଅଭିଯାନ ଘୋଷଣା କରିଥିଲେ। ଏହି ଅଭିଯାନ ଅନ୍ତର୍ଗତ ମହାନଦୀ ପ୍ରବାହିତ ହୋଇଥିବା ରାଜ୍ୟର ୧୫ଟି ଜିଲ୍ଲାର ୪୫ଟି ନିର୍ବାଚନମଣ୍ଡଳୀରେ ମହାନଦୀ ସୁରକ୍ଷା ନେଇ ସଭାସମିତି ହୋଇଥିଲା। ଏହାପୂର୍ବରୁ ଅର୍ଥାତ୍‌ ୨୦୧୮ ମାର୍ଚ୍ଚ ୧୧ ତାରିଖ ଦିନ ୨୦୧୮ ମାର୍ଚ୍ଚ ୧୧ ତାରିଖରେ ମହାନଦୀ ଟ୍ରିବ୍ୟୁନାଲ୍‌ ଗଠିତ ହୋଇଥିଲା। ଗତ ୨୦୨୩ ମେ ମାସରେ ଅର୍ଥାତ୍‌ ୫ ବର୍ଷ ପରେ ଟ୍ରିବ୍ୟୁନାଲ ସଦସ୍ୟ କ୍ଷେତ୍ର ପରିଦର୍ଶନ କରିଥିବା ବେଳେ ସେହି ବର୍ଷ ନଭେମ୍ବରରୁ ମାମଲାର ଶୁଣାଣି ଆରମ୍ଭ ହୋଇଛି।

ଉଭୟ ରାଜ୍ୟ ସାନି ସାକ୍ଷୀ ତାଲିକା ବି ଟ୍ରିବ୍ୟୁନାଲଙ୍କ ନିକଟରେ ଦାଖଲ କରିଛନ୍ତି। ଇତିମଧ୍ୟରେ ଟ୍ରିବ୍ୟୁନାଲଙ୍କ ଅବଧି ବି ୨୦୨୬ ଏପ୍ରିଲ ୧୩ ତାରିଖ ଯାଏ ବୃଦ୍ଧି କରାଯାଇଛି। ମାତ୍ର, ଜଷ୍ଟିସ୍‌ ଏ.ଏମ୍‌. ଖାନୱିଲକରଙ୍କୁ ଲୋକପାଳ କମିଟିର ଅଧ୍ୟକ୍ଷ ପଦ ଦିଆଯିବା ପରେ ଏବେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ପଦ ଖାଲି ପଡ଼ିଛି। ଏହିଭଳି ଏକ ସ୍ଥିତିରେ ଛତିଶଗଡ଼ ସରକାର ଜଳସେଚନ ପ୍ରକଳ୍ପ ପାଇଁ ମହାନଦୀରେ ବିଭିନ୍ନ ବ୍ୟାରେଜ୍‌ ନିର୍ମାଣ ଶେଷ କରିଦେଇଥିବାରୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ମଧ୍ୟ କମିବାରେ ଲାଗିଛି। ପୂର୍ବରୁ ଏହି ବିବାଦ ନେଇ ଓଡ଼ିଶା ସରକାର ଓ ଛତିଶଗଡ଼ ସରକାର ପରସ୍ପର ଉପରେ ଦୋଷାରୋପ କରି ଆସୁଥିଲେ। ହେଲେ, ଏବେ ଉଭୟ ରାଜ୍ୟରେ ବିଜେପିର ସରକାର ରହିଥିବାରୁ କେନ୍ଦ୍ର ସରକାରଙ୍କ ଜଳସମ୍ପଦ ମନ୍ତ୍ରାଳୟର ମଧ୍ୟସ୍ଥତାରେ ଆପୋସ ଆଲୋଚନା କରି ବିବାଦ ତୁଟାଇବାକୁ ପ୍ରୟାସ ହେବ ‌ବୋଲି ଖୋଦ୍‌ ଜଳସମ୍ପଦ ବିଭାଗର ଅଧିକାରୀ କହିଛନ୍ତି।