ଭୁବନେଶ୍ବର: ସକ୍ରିୟ ମୌସୁମୀ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। କେଉଁଠି ପ୍ରବଳରୁ ଅତିପ୍ରବଳ ହେଉଛି ତ ଆଉ କେଉଁଠି ହାଲୁକା। ଲଗାତାର ୧୫ ଦିନ ଧରି ବର୍ଷା ଲାଗିରହିବା ଦ୍ବାରା ମହାନଦୀ ସମେତ ଏହାର ଶାଖା ନଦୀଗୁଡ଼ିକର ଜଳସ୍ତର ଧୀରେ ଧୀରେ ବୃଦ୍ଧି ପାଇଛି। ମହାନଦୀର ପଛୁଆ ପାଣି ଯୋଗୁଁ ଶହ ଶହ ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଛି। କେତେକ ସ୍ଥାନରେ ରାସ୍ତା ଓ ପୋଲ ବୁଡ଼ିବା ସହ ଲୋକେ ଜଳବନ୍ଦୀ ହୋଇଥିବା ସାମ୍ନାକୁ ଆସିଛି। ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ କେତେକ ସ୍ଥାନରେ ଜଳବନ୍ଦୀ ସମସ୍ୟା ଉପୁଜିଛି। ନଦୀର ଜଳସ୍ତର ବୃଦ୍ଧି ସହ ବର୍ଷା ଲାଗି ରହିଥିବାରୁ ସମ୍ବଲପୁର, ସୁବର୍ଣ୍ଣପୁର, ନୟାଗଡ଼, ଅନୁଗୋଳ, ବୌଦ୍ଧ, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଆଲର୍ଟ ରହିବାକୁ କୁହାଯାଇଛି।

Advertisment

ପାଣିପାଗ ବିଭାଗର ସୂଚନା ଅନୁଯାୟୀ ରବିବାର ପୂର୍ବାହ୍ନ ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, କୋରାପୁଟ, ମାଲକାନଗିରି, କେନ୍ଦୁଝର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ, ଢେଙ୍କାନାଳ ଜିଲ୍ଲାରେ କାଳବୈଶାଖୀ ପ୍ରଭାବ ରହିବ। ପରବର୍ତ୍ତୀ ତିନି ଦିନ ରାଜ୍ୟରେ ସେଭଳି ବଡ଼ ବର୍ଷା ନ ଥିଲେ ମଧ୍ୟ କାଁ ଭାଁ ହାଲୁକାରୁ ମଧ୍ୟମଧରଣର ବର୍ଷା ଲାଗିରହିବ। ୧୪ ତାରିଖ ପୂର୍ବାହ୍ନଠାରୁ ପୁଣିଥରେ ବର୍ଷା ବଢ଼ିବ। ଉତ୍ତର ଓଡ଼ିଶାର ଅଧିକ ସ୍ଥାନରେ ପ୍ରବଳ ବର୍ଷା ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏସ୍‌ଆରସିଙ୍କ ପକ୍ଷରୁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲା ପ୍ରଶାସନ ଯେକୌଣସି ବିପର୍ଯ୍ୟୟର ମୁକାବିଲା କରିବାକୁ ପ୍ରସ୍ତୁତ ରହିବାକୁ ଏସ୍‌ଆରସିଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।