ଶୋଷ ମେଣ୍ଟାଉଛି ପ୍ରଦୂ‌ଷିତ ନଦୀପାଣି

ବରୀ: ବରୀ ବ୍ଲକ ବୋଦୁଅ ପଞ୍ଚାୟତର ୪ଟି ୱାର୍ଡବାସୀ ଗତ କିଛିମାସ ହେବ ପାନୀୟଜଳ ପାଇଁ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି। ଗତ ୩ ମାସ ହେବ ନଦୀପାଣିକୁ ପାନୀୟଜଳ ଭାବେ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ପୁରୁଣା ପଞ୍ଚାୟତ କାର୍ଯ୍ୟାଳୟ ପାଖରେ ଲକ୍ଷାଧିକ ଟଙ୍କା ବ୍ୟୟବରାଦରେ ଲୋକମାନଙ୍କ ପାଇଁ ପାନୀୟଜଳ ଯୋଗାଣ ପ୍ରକଳ୍ପ ସ୍ଥାପନ କରାଯାଇଥିଲା। ଏହି ପ୍ରକଳ୍ପ ଉପରେ ୪ ଗୋଟି ୱାର୍ଡର ପ୍ରାୟ ୩ ହଜାରରୁ ଊର୍ଦ୍ଧ୍ବ ଲୋକ ନିର୍ଭର କରୁଥିଲେ। ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପରେ ସମସ୍ତେ ଖୁସି ହୋଇଥିଲେ। ଭାବିଥିଲେ ପାନୀୟଜଳ କଷ୍ଟ ଦୂର ହୋଇଗଲା।

ହେଲେ ଗତ ୩ ମାସ ହୋଇଗଲା ଏହି ପାନୀୟଜଳ ପ୍ରକଳ୍ପଟି କୌଣସି କାରଣରୁ ଅଚଳ ହୋଇପଡ଼ିଛି। ଏବେ ଗାଁ ଲୋକମାନେ ପୁଣି ନଦୀରୁ ପାଣି ବୋହୁଛନ୍ତି। କାଁ ଭାଁ ପରିବାର ନିକଟରେ ନିଜସ୍ବ ଜଳଉତ୍ସ (ନଳକୂଅ) ରହିଛି। ଦଳିତ ବସ୍ତି ଓ ଅଧିକାଂଶ ପରିବାର ନିକଟରେ ନିଜସ୍ବ ନଳକୂଅ ନଥିବାରୁ ସେମାନେ ହଇରାଣ ହେଉଛନ୍ତି। ସେପଟେ ପାନୀୟଜଳ ପାଇଁ ପଡ଼ୋଶୀ ଘର ଉପରେ ନିର୍ଭର କରି ସବୁଦିନେ ଚଳିବା ସମ୍ଭବ ନୁହେଁ ବୋଲି ମହିଳାମାନେ କହିଛନ୍ତି। ତେଣୁ ବାଧ୍ୟହୋଇ ନଦୀପାଣି ବ୍ୟବହାର କରୁଥିବା ଗ୍ରାମବାସୀ କହିଛନ୍ତି। ବର୍ତ୍ତମାନ ନଦୀର ଗୋଳିପାଣିକୁ ପାନୀୟଜଳ ଭାବେ ବ୍ୟବହାର କରିବାରୁ ବିଭିନ୍ନ  ରୋଗର ଆକ୍ରାନ୍ତ ହେଉଛନ୍ତି। ବ୍ଲକ ପ୍ରଶାସନଠାରୁ ସ୍ଥାନୀୟ ଜନପ୍ରତିନିଧିଙ୍କ ନିକଟରେ ଅଭିଯୋଗ କରିସାରିଥିଲେ ମଧ୍ୟ ଏଥିପ୍ରତି କେହି କର୍ଣ୍ଣପାତ କରୁନଥିବା କହିଛନ୍ତି ଗ୍ରାମବାସୀ। ସମସ୍ୟାର ସମାଧାନ ହୋଇନଥିବା ବେଳେ ଗ୍ରାମବାସୀ ପ୍ରତିବାଦ କରିଛନ୍ତି।

ସମ୍ବନ୍ଧିତ ଖବର