ଯାଜପୁର: ଯାଜପୁର ଜିଲ୍ଲାରେ ବାଲି ଚୋରି ସୀମା ଟପିଲାଣି। ଜିଲ୍ଲାରେ ୬୮ଟି ବାଲି ଖାଦାନ ଚଳାଇବା ପାଇଁ ପ୍ରଶାସନ ଅନୁମତି ଦେଇଛି। ତନ୍ମଧ୍ୟରୁ ୩୦ଟି ବାଲିଘାଟ ପାଇଁ ପରିବେଶ ମଞ୍ଜୁରି ମିଳିଥିବାବେଳେ ବିନା ପରିବେଶ ମଞ୍ଜୁରିରେ ୩୮ଟି ବାଲି ଖାଦାନ ଚାଲିଛି। ଏହାବାଦ ଚୋରାରେ ଚାଲିଛି ୨୦୦ ଛୋଟବଡ଼ ବାଲିଘାଟ। ଦିନ ଦ୍ୱିପ୍ରହରରେ ବଡ଼ବଡ଼ ମେସିନ୍ ଲଗାଇ ହାଇୱାରେ ଲକ୍ଷଲକ୍ଷ ଘନମିଟର ବାଲି ଚୋରାଚାଲାଣ ହେଉଛି। ଫଳସ୍ବରୂପ ସ୍ଥାନୀୟ ଅଞ୍ଚଳର ପରିବେଶ କ୍ଷତିଗ୍ରସ୍ତ ହେବା ସହ ଲୋକଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେଉଛି। ଅଥଚ ପ୍ରଦୂଷଣ ଓ ପରିବେଶ ବିଭାଗ ନିରବଦ୍ରଷ୍ଟା ସାଜିଛି। ବାଲିଘାଟ ଚିହ୍ନଟ, ଉତ୍ତୋଳନ ପାଇଁ ଖଣି ଓ ଇସ୍ପାତ ବିଭାଗ ୨୦୨୪ ମେ ୨୦ରେ ଜାରି କରିଥିବା ମାଗଦର୍ଶିକାକୁ ଜିଲ୍ଲା ଖଣି ବିଭାଗ ଦଳିମକଚି ଦେଇଛି। 

Advertisment

ଖଣିଜ ଚୋରି ବନ୍ଦ ତଥା ଉତ୍ତୋଳନରେ ସ୍ୱଚ୍ଛତା ଆଣିବା ପାଇଁ ଲଘୁ ଖଣିଜ ନିର୍ଦ୍ଦେଶାଳୟ ମାର୍ଗଦର୍ଶିକା ପାଳନ ଉପରେ ଗୁରୁତ୍ବାରୋପ କରିଥିଲା। ୨୫ ଫେବ୍ରୁଆରି ୨୦୨୫ରେ ଏ ନେଇ ଚିଠି ଜାରି କରି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲା ବିଭାଗ। ୪ ମାର୍ଚ୍ଚ ୨୦୨୫ ସୁଦ୍ଧା ଏହାକୁ ପାଳନ କରିବା ପାଇଁ ନିର୍ଦ୍ଦେଶ ଥିବାବେଳେ ପ୍ରାୟ ଲିଜ୍‌ଧାରୀ ଏହାକୁ ଅଣଦେଖା କରିଛନ୍ତି। ବାଲିଚନ୍ଦ୍ରପୁର ଥାନା ଅଞ୍ଚଳରେ ଥିବା ବିରୂପା ନଦୀକୁ ନମୁନା ଭାବେ ନେଲେ ଯଥେଷ୍ଟ ହେବ। ବର୍ତ୍ତମାନ ଏହି ନଦୀରୁ ପ୍ରତିଦିନ ଟ୍ରକ୍‌ ଟ୍ରକ୍‌ ବାଲି ଚୋରାଚାଲାଣ ହେଉଛି। ଫଳରେ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି। ଅବାଧ ବାଲି ଖନନ ପାଇଁ ବିରୂପା ନଦୀ ତା’ର ପ୍ରାକୃତିକ ସୌନ୍ଦର୍ଯ୍ୟ ହରାଇଲାଣି। ପରିବେଶ ମଧ୍ୟ ପ୍ରଦୂଷିତ ହେଲାଣି। ଏତେ ସଂଖ୍ୟାରେ ହାଇୱାରେ ବାଲି ପରିବହନ କରାଯାଉଛି ଯେ ସ୍ଥାନୀୟ ଅଞ୍ଚଳର ଲୋକମାନେ ଅସୁରକ୍ଷିତ ମଣୁଛନ୍ତି। ଅଥଚ ଏ ଦିଗରେ ପ୍ରଶାସନ କିମ୍ବା ନିର୍ବାଚିତ ଜନପ୍ରତିନିଧିଙ୍କ ନିଘା ନାହିଁ।

ବର୍ତ୍ତମାନ ପାରାଦୀପଠାରୁ ଚଣ୍ଡିଖୋଲ ପର୍ଯ୍ୟନ୍ତ ୫୩ ନମ୍ବର ଜାତୀୟ ରାଜପଥର ସଂପ୍ରସାରଣ କାର୍ଯ୍ୟ ଚାଲିଛି। ରାସ୍ତା ପ୍ରଶସ୍ତୀକରଣ କାମରେ ମାଟି ବଦଳରେ ବାଲି ବ୍ୟବହାର ପାଇଁ ଅଞ୍ଚଳବାସୀ ଦାବି କରି ଆସୁଛନ୍ତି। ଏଥିସହିତ ସ୍ଥାନୀୟ ଅଞ୍ଚଳର ଶିକ୍ଷାବିତ, ପରିବେଶବିତ, କୃଷକ ଓ ବୁଦ୍ଧିଜୀବୀ ବିରୂପା ନଦୀର ପୁନରୁଦ୍ଧାର ପାଇଁ ଦାବି କରିବା ସହ ‘ବିରୂପା ନଦୀ ବଞ୍ଚାଅ’ କମିଟି ଗଠନ କରି ଆନ୍ଦୋଳନ କରିଆସୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ବିରୂପା ନଦୀର ବାଲିକୁ ଜାତୀୟ ରାଜପଥ କାର୍ଯ୍ୟରେ ବିନିଯୋଗ ପାଇଁ ଯଦି ଲିଜ୍ ଦେଇଥା’ନ୍ତେ ତେବେ ସରକାର ରାଜସ୍ୱ ପାଇବା ସହିତ ନଦୀର ପୁନରୁଦ୍ଧାର ହୋଇପାରନ୍ତା। ମାତ୍ର ଏସବୁକୁ ଅଣଦେଖା କରି ବାଲି ମାଫିଆଙ୍କ ହାତରେ ନଦୀଶଯ୍ୟା ଟେକି ଦେଇ ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି।