ଡମ୍ବରୁଧର ନାୟକ
ସୁନ୍ଦରଗଡ଼: ସୁନ୍ଦରଗଡ଼ ଉପଖଣ୍ଡର ପ୍ରମୁଖ ନଦୀ ଉପରେ ମାଡ଼ି ଆସିଛି ବିପଦ। ହେମଗିର ଓ ଲେଫ୍ରିପଡ଼ା ବ୍ଲକ୍ ଅଞ୍ଚଳର ଜୀବନରେଖା ବସୁନ୍ଧରା ନଦୀ ଖଣି ଗର୍ଭକୁ ଚାଲି ଯାଇଥିବାବେଳେ ଅନ୍ୟ ଦୁଇ ପ୍ରମୁଖ ଜଳ ଉତ୍ସ ଚତୁର୍ଧାରା ଓ ଇଚ୍ଛା ନଦୀକୁ ମଧ୍ୟ ମୃତ୍ୟୁର ଡାକରା ଆସିଲାଣି। ଏକଦା ବର୍ଷର ସବୁ ସମୟରେ ବସୁନ୍ଧରା ଓ ଚତୁର୍ଧାରା ଉପରେ ୩୦ରୁ ଅଧିକ ଗାଁର ଲୋକେ ନିର୍ଭର କରୁଥିଲେ। ଜମିକୁ ଜଳସେଚନ ଓ ଲୋକଙ୍କ ତୃଷା ମେଣ୍ଟାଇବା ସାଙ୍ଗକୁ ଏହି ଜଳଉତ୍ସଗୁଡ଼ିକ ଅଞ୍ଚଳବାସୀଙ୍କର ସାଂସ୍କୃତିକ ଓ ଭାବଗତ ସମ୍ପର୍କକୁ ପରିପୁଷ୍ଟ କରୁଥିଲା। ବସୁନ୍ଧରା ଓ ଚତୁର୍ଧାରା ଜଳଉତ୍ସ ମୁଖ୍ୟ ବସୁନ୍ଧରା ନଦୀରେ ମିଶି ସେଠାରୁ ବିଭିନ୍ନ ଅଞ୍ଚଳରେ ପ୍ରବାହିତ ହୋଇ ଝାରସୁଗୁଡ଼ା ଜିଲ୍ଲା ରାଜପୁରଠାରେ ଇବ୍ ନଦୀରେ ମିଶିଛି।
ଏପଟେ କୋଇଲା ଖଣି, ସେପଟେ ଛତିଶଗଡ଼ର ଦାଉ, ଇଚ୍ଛା ଓ ଇବ୍ର ସ୍ବାସ୍ଥ୍ୟ ବିଗୁଡ଼ୁଛି
କନିକା ନିକଟରେ ବହି ଯାଉଥିବା ଚିରସ୍ରୋତା କନିକା ନାଳ ଏମ୍ସିଏଲ୍ ରେଳ ସାଇଡିଂର ବହଳ କୋଇଲାରେ ପୋତି ହୋଇଗଲାଣି। ପୂର୍ବରୁ ଅନେକ ଗାଁ ପାଇଁ ଜୀବନ ସାଜିଥିବା ଇଚ୍ଛା ନଦୀର ଜଳ କୋଇଲା ଖଣି ପ୍ରଭାବରେ ଭୂତଳଗାମୀ ହୋଇଥିବା ବେଳେ ଉତ୍ପତ୍ତିସ୍ଥଳରୁ ମାତ୍ର ୧୦୦ ମିଟର ପରେ ୩ କିଲୋମିଟର ପର୍ଯ୍ୟନ୍ତ ଶୁଖିଲା ପଡ଼ିଛି। ନଦୀଶଯ୍ୟା ସବୁ ପଥର ଓ ଘାସବୁଦାରେ ଭରିଗଲାଣି। ଅନ୍ୟପଟେ ସୁନ୍ଦରଗଡ଼ର ଉପରମୁଣ୍ତ ତେଲିଯୋରଠାରୁ ଶେଷ ମୁଣ୍ତ ଭଷ୍ମା ଯାଏଁ ୭୦ କିଲୋମିଟର ଦୈର୍ଘ୍ୟ ଇବ୍ ନଦୀ ପାନୀୟ ଜଳଯୋଗାଣର ଏକ ବଡ଼ ଉତ୍ସ। ସୁନ୍ଦରଗଡ଼ ସହର ସମେତ ବାଲିଶଙ୍କରା, ସବଡେଗା, ଟାଙ୍ଗରପାଲି ବ୍ଲକ୍ରେ ଚାଷ ପାଇଁ ମଧ୍ୟ ଏହାର ଅବଦାନ ରହିଛି। ଏବେ ଫେବ୍ରୁଆରି ଆସିଲେ ନଦୀ ଶୁଖିଲା ପଡ଼ିଯାଉଛି। ମହାନଦୀକୁ ନିୟନ୍ତ୍ରଣରେ ରଖିଥିବା ଛତିଶଗଡ଼ ଏହାର ଉପନଦୀ ଇବ୍କୁ ସମ୍ପୂର୍ଣ୍ଣ କବଜା କରି ନେଇଛି। ନଦୀର ଉପରମୁଣ୍ଡରେ ଏକଚାଟିଆ ଅଧିକାର ସାବ୍ୟସ୍ତ କରି ଗୋଟିଏ ପରେ ଗୋଟିଏ ବନ୍ଧ ବାନ୍ଧି ପାଣିକୁ ଅଟକାଇ ଦେଇଛି।
୨୦୦୭ରୁ ଛତିଶଗଡ଼ ଜଳସମ୍ପଦ ବିଭାଗ କୁନକୁରିଠାରୁ ୩୦ କିଲୋମିଟର ଦୂରରେ ଗୁଲୁ ଜଳବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣ ଶେଷ କରିବା ପରେ ବେନେଠାରେ ଜଳସେଚନ ପ୍ରକଳ୍ପ ଓ ଓଡ଼ିଶା ସୀମାରୁ ୨୦ କିଲୋମିଟର ଦୂର ସମଡମାଠାରେ ଏକ ଆନିକଟ ନିର୍ମାଣ କରିଛି। ଫଳରେ ନଦୀ ଉପରମୁଣ୍ଡରେ ହିଁ ବନ୍ଦୀ ହୋଇଯାଇଛି। ଇବ୍ ପାଣିରୁ ଛତିଶଗଡ଼ରେ ବିଦ୍ୟୁତ୍ ଉତ୍ପାଦନ ଓ ଜଳସେଚନ କରାଯାଉଛି। ବର୍ଷା ଋତୁ ବ୍ୟତୀତ ଅନ୍ୟ ସମୟରେ ଟୋପାଏ ପାଣି ତଳମୁଣ୍ଡକୁ ଛଡ଼ାଯାଉନାହିଁ। ତେଣୁ ଖରା ନଆସୁଣୁ ତଳମୁଣ୍ଡରେ ନଦୀ ଶୁଖି ଯାଉଛି। ବହୁ ବର୍ଷ ପରେ ଓଡ଼ିଶା ସରକାର ଇବ୍ ନଦୀର କୋପସିଂହା ଓ କୁଡ଼ାବଗାରେ ବନ୍ଧ ନିର୍ମାଣ ଆରମ୍ଭ କରିଛନ୍ତି। ଏହା ହେଲେ ହୁଏତ ବର୍ଷା ପାଣି ସଂରକ୍ଷିତ ରଖି ନଦୀର ଅପମୃତ୍ୟୁକୁ ରୋକି ହେବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।