ଗଦାଧର ପଣ୍ଡା
କଟକ: ମହାନଦୀ ଓ କାଠଯୋଡ଼ି ଘେରି ରହିଥିବା କଟକ ସହରର କେମିତି ବଞ୍ଚିବ? ନଦୀ ପାଇଁ ଗଢ଼ି ଉଠିଥିବା ସହରର ଭବିଷ୍ୟତ ଏବେ ଅନ୍ଧକାର ଭିତରକୁ ଠେଲି ହୋଇଯାଉଛି। ମହାନଦୀ ଓ କାଠଯୋଡ଼ିର ଶୁଷ୍କ ଅବସ୍ଥ‌ା ଏବେ ପରିବେଶବିତ୍‌ଙ୍କୁ ଆନ୍ଦୋଳିତ କରୁଛି। ଏ ସହର ନଦୀ ବିନା ବଞ୍ଚିବାକୁ ନେଇ ପ୍ରଶ୍ନ ଉଠିଲାଣି। ଗତ ୧୦ରୁ ୧୫ ବର୍ଷ ଭିତରେ ମହାନଦୀ ଓ କାଠଯୋଡ଼ି ନଦୀ ‌ମରୁଭୂମିର ଭ୍ରମ ସୃଷ୍ଟି କଲାଣି। ବର୍ଷା ଦୁଇ-ତିନି ମାସକୁ ବାଦ୍‌ ଦେଲେ ମହାନଦୀ ଓ ଏହାର ଶାଖା ନଦୀ ଅନ୍ୟ ସମୟରେ ଶୁଖିଲା ପଡୁଛି। ବର୍ଷକ ୧୨ ମାସରୁ ପାଖାପାଖି ୯ମାସ କାଳ ନଦୀରେ ଜଳଧାର ରହୁନାହିଁ। ଏଭଳି ସ୍ଥିତିର ଯୋବ୍ରା ଓ ନରାଜ-ମୁଣ୍ଡଳୀ ତଳମୁଣ୍ଡରେ ନଈ ପାଣି ସାତ ସପନ ହୋଇଗଲାଣି। ଚାଷ ତ ଦୂରର କଥା, ସ୍ନାନ ପାଇଁ ମଧ୍ୟ ନଦୀରେ ପାଣି ନାହିଁ। ଗତ ୨୦ବର୍ଷ ତଳେ ଏଭଳି ସ୍ଥିତି ନ ଥିବା ବେଳେ ଦିନକୁ ଦିନ ସ୍ଥିତି ବିଗିଡିବାରେ ଲାଗିଛି। ଯେଉଁଠି ଖରାଦିନେ ଅକାତକାତ ପାଣି ରହୁଥିଲା ସେଠି ଏବେ ବାଲିଚର ପଡ଼ିଯାଉଛି। ମୁଣ୍ଡଳୀ ଓ ଯୋବ୍ରା; ଦୁଇ ବ୍ୟାରେଜ୍‌ ମଧ୍ୟବର୍ତ୍ତୀ ଅଞ୍ଚଳରେ ମଧ୍ୟ ମହାନଦୀ ବାଲିଚର ପଡିବା ଏକ ବିଲକ୍ଷଣ ବୋଲି ସ୍ଥାନୀୟ ଲୋକ କହୁଛନ୍ତି। ତାଳଦଣ୍ଡା କେନାଲ୍‌ର ତଳମୁଣ୍ଡରେ ସମ୍ପୂର୍ଣ୍ଣ ଶୁଷ୍କ ରହୁଛି। ସ୍ନାନ ଶୌଚ ପାଇଁ ତାଳଦଣ୍ଡା କେନାଲରେ ପାଣି ରହୁ ନାହିଁ। ଗତ ୧୫ ବର୍ଷ ହେବ ମହାନଦୀର ତଳମୁଣ୍ଡରେ ଥିବା କଟକ ଜିଲ୍ଲାର କିଛି ଭାଗ ସମେତ ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାରେ ନଦୀ ଜଳକୁ ନେଇ ଅଭାବନୀୟ ସ୍ଥିତି ଉପୁଜିଲାଣି। ତାଳଦଣ୍ଡା କେନାଲ୍‌ ଓ ପଟ୍ଟାମୁଣ୍ଡାଇ କେନାଲ୍‌ ଶୁଖିଲା ପଡ଼ୁଛି। ତେବେ ଯେତିକି ବି ପାଣି ମହାନଦୀର ଯୋବ୍ରା, ମୁଣ୍ଡଳୀ ଓ କାଠଯୋଡ଼ି ନରାଜ ବ୍ୟାରେଜ୍‌ରେ ଗଚ୍ଛିତ ରହୁଛି ସେତିକି ପାଣି ଶିଳ୍ପକୁ ନିଅଣ୍ଟ ହେଲାଣି। ଏହି ଗଚ୍ଛିତ ଜଳ କେବଳ ପାରାଦୀପ ତୈଳ ବିଶୋଧନାଗାରକୁ ଯାଉଛି। ପାରାଦୀପରେ ଥିବା ୧୫ ଲକ୍ଷ ମେଟ୍ରିକ୍ ଟନ୍‌ ଉତ୍ପାଦନ କ୍ଷମତାବିଶିଷ୍ଟ ବିଶୋଧନାଗାରକୁ ଆଗାମୀ ଦିନରେ ପାଣି ନିଅଣ୍ଟ ପଡିବା ସ୍ଥିତି ଉପୁଜିଲାଣି।

Advertisment

ଦୈନିକ ୧୦୦ ମିଲିୟନ୍‌ ଲିଟର ଜଳ ଶୋଷୁଥିବା ବିଶୋଧନାଗାରକୁ ଯୋବ୍ରାର ଗଚ୍ଛିତ ପାଣି ଯାଉଛି। ଶିଳ୍ପକୁ ପାଣି ଦେବା ପାଇଁ ଏବେ ବୁନ୍ଦାଏ ବି ପାଣି ସମୁଦ୍ରକୁ ଯିବାକୁ ଦିଆଯାଉ ନାହିଁ। ଏଭଳି ସ୍ଥିତିରେ ଏବେ ପାରାଦୀପରେ ପ୍ରସ୍ତାବିତ ବୃହତ୍ତ ଶିଳ୍ପ ପେଟ୍ରୋ କେମିକାଲ୍‌ସ୍‌ କମ୍ପ୍ଲେକ୍ସ ଓ ଜେଏସ୍‌ଡବ୍ଲୁ ଶିଳ୍ପ ପାଇଁ ପାଣି କେଉଁଠୁ ଆସିବ, ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପରିବେଶବିତ୍‌ଙ୍କ ମତରେ ପାରାଦୀପ ଓ କେନ୍ଦ୍ରାପଡାରେ ନିର୍ମାଣ ହେବାକୁ ଥିବା ଶିଳ୍ପକୁ ପାଣି କେଉଁଠୁ ଆସିବ ତାହା ଏବେ ବଡ଼ ପ୍ରଶ୍ନ ହୋଇଛି। ଏ ଅଭାବକୁ ଦୂର କରିବା ପାଇଁ ରାଜ୍ୟରେ ଆବଶ୍ୟକ ବ୍ୟ‌ାରେଜ୍, ୱାଟର୍‌ ରିଜର୍ଭର୍‌ ନଥିବାରୁ ଆଗାମୀ ଦିନରେ ଏଭଳି ଭୟଙ୍କର ଜଳ ସଙ୍କଟ ଓଡ଼ିଶାକୁ ଆଉଟୁପାଉଟୁ କରିବାର ଆଶଙ୍କା ଉପୁଜିଛି। ପାଣି ବିନା କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ୩୦ଲକ୍ଷ ଲୋକ ମାତ୍ରାଧିକ ପ୍ରଭାବିତ ହେବାର ଆକଳନ କରାଯାଇଛି। ଯୋବ୍ରାରେ ୨୧ ମିଟର ଜଳଧାରଣ କ୍ଷମତା ଥିବା ବେଳେ ଏହି ସ୍ତର ୧୦ରୁ ୧୫କୁ ଖସି ଆସୁଛି। ତଳ ମୁଣ୍ଡକୁ ପାଣି ଛଡ଼ା ଯାଉ ନ ଥିବାରୁ କଟକ ଜିଲ୍ଲାର ୬ଟି ବ୍ଲକ୍ ସମେତ ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାର ଏକାଧିକ ବ୍ଲକ୍‌ରେ ଏବେ ଜଳସଙ୍କଟ ଦେଖାଦେଇଛି। ମହାନଦୀ ସଙ୍କଟ ଏବେ ଜାତୀୟ ଟ୍ରିବ୍ୟୁନାଲ୍‌ରେ ବିଚାରାଧୀନ। ଛତିଶଗଡ଼-ଓଡ଼ିଶା ଜଳ ବିବାଦ ପରେ ମହାନଦୀରେ ପାଣି ସମସ୍ୟା ଜଟିଳ ଆଡକୁ ଗତି କରୁଛି।