କଟକ: ଓଲିଉଡ୍ ଅଭିନେତ୍ରୀ ରିୟା ଦେ’ଙ୍କ ପାଇଁ ସମସ୍ୟା ବଢ଼ିଛି। ନାବାଳିକା ଘରୋଇ ସହାୟିକାଙ୍କୁ ରିୟା ଓ ତାଙ୍କ ସ୍ବାମୀ ନିର୍ଯାତନା ଦେବା ଅଭିଯୋଗରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ(ଓଏସସିପିସିଆର୍) ନିଜ ଆଡ଼ୁ ଘଟଣାର ତନାଘନା ଆରମ୍ଭ କରିଦେଇଛି। ଏହା ସହିତ ବିଡ଼ାନାସୀରେ ଯେହେତୁ ରିୟାଙ୍କ ଘରେ ସହାୟିକା ରହୁଥିଲେ ବିଡ଼ାନାସୀ ଥାନା ପୁଲିସ ରିୟାଙ୍କ ବିରୋଧରେ ବି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଦେଇଛି। ଆଜି ରିୟା ଓ ତାଙ୍କ ସ୍ବାମୀଙ୍କୁ ତାଙ୍କ ଘରେ ପୁଲିସ ଟିମ୍ ପଚରାଉଚରା କରିଛି।
ସୂଚନା ଅନୁଯାୟୀ, ବିଡ଼ାନାସୀ ବନ୍ଧ ଛକ ନିକଟରେ ରିୟା ଦେ’ଙ୍କ ଘରେ ଜଣେ ନାବାଳିକା ରହି କାମ କରୁଥିଲେ। ସମ୍ବଲପୁର ନାକଟିଦେଉଳ ଥାନା ଅନ୍ତର୍ଗତ ଭାଲୁ ଗାଡ଼ିଆ ଅଞ୍ଚଳର ଏହି ନାବାଳିକା ରିୟାଙ୍କ ଘରେ ପ୍ରାୟ ଦେଢ଼ ବର୍ଷ ହେବ ସହାୟିକା ଭାବେ କାମ କରିଆସୁଥିଲେ। ଗଲା ୮ ତାରିଖରେ ବର୍ଷା ଘରୁ କେଉଁଆଡ଼େ ଚାଲିଯାଇଥିଲେ। ୯ ତାରିଖରେ ବିଡ଼ାନାସୀ ଥାନାରେ ରିୟାଙ୍କ ସ୍ବାମୀ ସୁନୀଲ ଦଳାଇ ନିଖୋଜ ଅଭିଯୋଗ କରିଥିଲେ। ପୁଲିସ ନିଖୋଜ ମାମଲା ରୁଜୁ କରିଥିଲା। ଏଭଳି ପରିସ୍ଥିତିରେ ଚନ୍ଦ୍ରଶେଖରପୁର ଥାନାରେ ବୁଧବାର ଏହି ନାବାଳିକା ଫେରାଦ ହୋଇ ରିୟା ଓ ସ୍ବାମୀ ସୁନିଲ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଥିଲେ। ପୁଲିସ ଭାରତୀୟ ନ୍ୟାୟ ସହିଂତାର ଧାରା ୨୨୬ ଓ ୧୧୫ରେ ଏକ ମାମଲା(କେସ୍ ନଂ ୧୬୯)ରେ ଅଭିନେତ୍ରୀ ରିୟାଙ୍କ ବିରୋଧରେ ମାମଲା ରୁଜୁ କରିଛି। ଗୁରୁବାର ବିଡ଼ାନାସୀ ଥାନା ପୁଲିସ ରିୟାଙ୍କ ଘରକୁ ଯାଇ ପଚରାଉଚରା କରିଥିଲା। ପୀଡ଼ିତା ଯେଉଁ ଅଭିଯୋଗ ଆଣିଛନ୍ତି, ରିୟା ଓ ତାଙ୍କ ସ୍ବାମୀ ଏହାକୁ ଖଣ୍ଡନ କରିଥିବା ବିଡ଼ାନାସୀ ଥାନା ଆଇଆଇସି ଯୁବରାଜ ସ୍ବାଇଁ ସୂଚନା ଦେଇଛନ୍ତି।
ନାବାଳିକା ତାଙ୍କ ଅଭିଯୋଗ ପତ୍ରରେ ଦର୍ଶାଯାଇଛନ୍ତି ଯେ ତାଙ୍କ ଘର ପାଖର ଜଣେ ଭଉଣୀ ଭୁବନେଶ୍ବରରେ ରୁହନ୍ତି। ତାଙ୍କରି ମାଧ୍ୟମରେ ସେ ରିୟାଙ୍କ ଘରେ ଘରୋଇ ସହାୟିକା ଭାବେ କାମ ପାଇଥିଲେ। ମାସିକ ୮ ହଜାର ଟଙ୍କା ଦରମାରେ କାମ କରିଥିଲେ। କିନ୍ତୁ ସେ ଅନେକ ଦିନ ହେବ ଘରକୁ ଯାଇନଥିବାରୁ ଛୁଟି ମାଗିବାରୁ ରିୟା ତାଙ୍କୁ ଛୁଟି ନଦେଇ ମାଡ଼ ମାରିଥିଲେ। ନିର୍ଯାତନା ଅତିଷ୍ଠ ହେବାରୁ ଗଲା ୮ ତାରିଖ ଦିନ ପ୍ରାୟ ୨ଟା ବେଳେ ଭୁବନେଶ୍ବର ଚାଲିଆସିଥିଲେ। ରିୟାଙ୍କ ସ୍ବାମୀ ବିୟର ବୋତଲରେ ତାଙ୍କୁ ମାଡ଼ ମାରୁଥିଲେ। ଫଳରେ ସେ ଠିକ୍ ଭାବେ ଚାଲି ପାରୁନାହାନ୍ତି। କୌଣସି କାମରେ ବାହାରକୁ ଗଲେ ଘରେ ପୂରାଇ ତାଲା ଦେଇଦେଉଥିବା ନେଇ ଅଭିଯୋଗ କରିଛନ୍ତି। ଏ ନେଇ ବିଡ଼ାନାସୀ ଥାନା ପୁଲିସ ତାଙ୍କ ବୟାନ ରେକର୍ଡ କରିବାକୁ ଯାଉଛି।
ଅନ୍ୟପଟେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ନିଜ ଆଡ଼ୁ ଘଟଣାର ଗୁରୁତ୍ବକୁ ଦୃଷ୍ଟିରେ ରଖି ଭୁବନେଶ୍ବର ଡିସିପି, ଖୋର୍ଧା ଡିଏଲଓ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୨୫ ତାରିଖ ସୁଦ୍ଧା ଏ ପ୍ରସଂଗରେ ତଦନ୍ତ ରିପୋର୍ଟ କିମ୍ବା କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ତଦନ୍ତ ରିପୋର୍ଟରେ ପୀଡ଼ିତାଙ୍କ ବୟସ ପ୍ରମାଣପତ୍ର, ଶିକ୍ଷାଗତ ଯୋଗ୍ୟତା, ପୀଡ଼ିତାଙ୍କ ବର୍ତ୍ତମାନର ମାନସିକ ସ୍ଥିତି, ସ୍ବାସ୍ଥ୍ୟ ଅବସ୍ଥା, ସୁରକ୍ଷା ସଂକ୍ରାନ୍ତରେ କି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି, ସେ ସଂକ୍ରାନ୍ତ ରିପୋର୍ଟ ଉପରୋକ୍ତ ତଦନ୍ତକାରୀ ସଂସ୍ଥା ଆୟୋଗଙ୍କ ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି।