ରାଉରକେଲା ସେକ୍ଟର-୬ ଅଞ୍ଚଳରେ ନାବାଳିକାଙ୍କୁ ଗଣଦୁଷ୍କର୍ମ, ୩ ଗିରଫ

ପୁଅ ଜିଉଁତିଆ ପୂଜା ଦେଖିବାକୁ ଯାଇଥିବାବେଳେ ଟେକିନେଲେ

ରାଉରକେଲା : ରାଉରକେଲା ସେକ୍ଟର-୬ ଅଞ୍ଚଳର ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ସପ୍ତାହେ ତଳେ ନାବାଳିକା ଜଣକ ପୂଜା ଦେଖିବା ଲାଗି ଯାଇଥିବା ସମୟରେ ତିନି ଜଣ ଯୁବକ ତାଙ୍କୁ ଟେକି ନେଇ ଏଭଳି ଦୁଷ୍କର୍ମ କରିଥିବା ପୀଡିତାଙ୍କ ପରିବାର ଲିଖିତ ଅଭିଯୋଗ କରିଛନ୍ତି। ସେକ୍ଟର-୭ ପୁଲିସ ଏ ନେଇ ମାମଲା ରୁଜୁ କରିବା ସହ ସେକ୍ଟର-୬ ଅଞ୍ଚଳର ନାରାୟଣ ନାୟକ (୨୨), ଅମର ସିଂ (୨୧) ଓ ଭୋଳା ଯାଦବ (୨୩) ନାମକ ୩ ଜଣ ଯୁବକଙ୍କୁ ଗିରଫ କରିଛି। ପୁଲିସ ଯୁବକମାନଙ୍କ ସମେତ ପୀଡିତାଙ୍କ ଡାକ୍ତରମାଇନା କରି ଘଟଣାର ତଦନ୍ତ ଚଳାଇଛି।

ପୁଲିସ କହିବା ମୁତାବକ, ଗତ ୨୨ ତାରିଖରେ ସେକ୍ଟର-୬ ବିଏସ୍‌ଏନ୍‌ଏଲ୍‌ ପଛ ପାଖରେ ଥିବା ବସ୍ତିରେ ପୁଅ ଜିଉଁତିଆ ପୂଜା ଚାଲିଥିଲା। ପୀଡ଼ିତା ସଂଧ୍ୟା ପ୍ରାୟ ୬ଟାରେ ତାଙ୍କର ଜଣେ ବାନ୍ଧବୀ ସହିତ ସେହି ପୂଜା ଦେଖିବାକୁ ଯାଇଥିଲେ। ରାତି ପ୍ରାୟ ୧୨ଟାରେ ଦୁହେଁ ଘରକୁ ବାହାରିଥିଲେ। ପୂଜା ଦେଖି ଆସିଥିବା ସ୍ଥାନୀୟ ଅଞ୍ଚଳର ତିନି ଜଣଙ୍କ ମଧ୍ୟରୁ ଜଣେ ଯୁବକ ଦୁହିଁଙ୍କୁ ମୋଟର ସାଇକେଲରେ ଘରେ ଛାଡ଼ିଦେବ ‌େବାଲି କହିଥିଲା। ପୀଡିତା ଓ ତାଙ୍କ ବାନ୍ଧବୀ ଦୁହେଁ ଯୁବକଙ୍କ ମୋଟର ସାଇକେଲରେ ବସି ଘରକୁ ଫେରିଥିଲେ। ଯୁବକ ଜଣକ ପୀଡିତାଙ୍କ ବାନ୍ଧବୀଙ୍କୁ ତାଙ୍କ ଘରେ ଛାଡି ଦେଇଥିଲେ, କିନ୍ତୁ ପୀଡିତାଙ୍କୁ ଘରେ ଛାଡିବା ପରିବର୍ତ୍ତେ ସେକ୍ଟର-୬ ଇସ୍ପାତ ଷ୍ଟାଡିୟମ ପଛକୁ ନେଇ ଯାଇଥିଲା। ସେଠାରେ ଦୁହେଁ କଥାବାର୍ତ୍ତା ହେଉଥିଲାବେଳେ ଅନ୍ୟ ଦୁଇ ଯୁବକ ବାଇକ୍‌ରେ ଆସି ସେଠାରେ ପହଞ୍ଚିଥିଲେ। ଅ‌ାଉ ତିନି ଯୁବକ ଜଣକ ମିଶି ବଳପୂର୍ବକ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ। ପରେ ପୀଡିତାଙ୍କୁ କାହାକୁ ନ କହିବାକୁ ଧମକଚମକ ଦେଇ ସେମାନେ ସେଠାରୁ ଫେରାର ହୋଇଯାଇଥିଲେ। ପୀଡିତା ବିଳମ୍ବିତ ରାତିରେ ଏକାକୀ ଘରକୁ ଫେରିଥିଲେ ହେଁ ଲାଜ ଓ ଭୟରେ କାହାକୁ କିଛି ନ କହି ଚୁପ୍‌ ରହିଥିଲେ। ତେବେ ୪/୫ ଦିନ ପରେ ଏହି ଘଟଣାକୁ ନେଇ ବସ୍ତିରେ ଆଲୋଚନା ଆରମ୍ଭ ହୋଇ ଯାଇଥିଲା। ପୀଡ଼ିତାଙ୍କ ମା’ ଏ ବିଷୟରେ ଜାଣିବା ପରେ ଝିଅକୁ ନେଇ ଗତକାଲି ରାତିରେ ସେକ୍ଟର-୭ ଥାନାରେ ଲିଖିତ ଏତଲା ଦେଇଥିଲେ।

ସମ୍ବନ୍ଧିତ ଖବର