ଏନଆଇଟି କୋଭିଡ୍ ସ୍ଥିତି ସମୀକ୍ଷା କଲେ ଆରଏମସି କମିସନର

ରାଉରକେଲା: ରାଉରକେଲାସ୍ଥିତ ଏନଆଇଟି କ୍ୟାମ୍ପସରେ କୋଭିଡ୍ ସଂକ୍ରମଣ ଚେନ୍ ଭାଙ୍ଗିବା ପାଇଁ ରାଉରକେଲା ମହାନଗର ନିଗମ ପକ୍ଷରୁ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି। ବୁଧବାର ଦିନ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିସନର ଡାକ୍ତର ଶୁଭଙ୍କର ମହାପାତ୍ର ଏନଆଇଟି କ୍ୟାମ୍ପସ ପରିଦର୍ଶନ କରି ସେଠାକାର ସ୍ଥିତି ସମୀକ୍ଷା କରିଛନ୍ତି। କୋଭିଡ୍ ନିୟନ୍ତ୍ରଣ କରିବା ଲାଗି ଟେଷ୍ଟିଂ ଏବଂ ଚିକିତ୍ସାକୁ ଗୁରୁତ୍ୱ ଦେବାକୁ କମିସନର ଏନଆଇଟି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି।

‘‘କୋଭିଡ୍ ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି। ବିଶେଷକରି କୋଭିଡ୍ ପରୀକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି। ଆସନ୍ତା ଶୁକ୍ରବାର ଦିନ ଏନଆଇଟି ପରିସରରେ ମହାନଗର ନିଗମ ପକ୍ଷରୁ ସ୍ୱତନ୍ତ୍ର ଟେଷ୍ଟିଂ କ୍ୟାମ୍ପ କରାଯିବ। ଯେଉଁମାନଙ୍କର କିଛି ଲକ୍ଷଣ ଥିବା ସେମାନେ ଆସି ଏଠାରେ ନମୁନା ପରୀକ୍ଷା କରିପାରିବେ’’, କହିଛନ୍ତି କମିସନର ଡାକ୍ତର ଶୁଭଙ୍କର ମହାପାତ୍ର।

କୋଭିଡ୍ ନିୟନ୍ତ୍ରଣ ପାଇଁ ଏନଆଇଟିର ସମସ୍ତ ଗେଟରେ କଡ଼ାକଡ଼ି ଯାଞ୍ଚ କରାଯାଉଛି। ବାହାରୁ ଆସୁଥିବା ଓ କ୍ୟାମ୍ପସରୁ ବାହାରକୁ ଯାଉଥିବା ଲୋକମାନଙ୍କ ଉପରେ ନଜର ରଖାଯାଉଛି। ସମସ୍ତେ ଯେପରି କୋଭିଡ୍ ଉପଯୋଗୀ ଆଚରଣ ଠିକ୍ ଭାବେ ପାଳନ କରନ୍ତି ତାହା ସୁନିଶ୍ଚିତ କରିବାକୁ କମିସନର ନିର୍ଦ୍ଦେଶ ଦେଇଛନ୍ତି। ଏନଆଇଟି ନିକଟରେ ଥିବା କଲୋନିରେ ଯାଞ୍ଚ କରାଯିବା ସହିତ କ୍ୟାମ୍ପସର ବିଭିନ୍ନ ସ୍ଥାନରେ ସୁରକ୍ଷାକର୍ମୀ ମୁତୟନ କରିବାକୁ କମିଶନର ନିର୍ଦ୍ଦେଶ ଦେଇଛନ୍ତି। କୋଭିଡ୍ ପରୀକ୍ଷାରେ ଯେଉଁମାନେ ପଜିଟିଭ୍ ଚିହ୍ନଟ ହେବେ ସେମାନଙ୍କ ରହିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ କମିସନର ପରାମର୍ଶ ଦେଇଛନ୍ତି।

ଏହି ସମୀକ୍ଷା ବୈଠକରେ ରାଉରକେଲା ମହାନଗର ନିଗମର ଡେପୁଟି କମିସନର ସୁଧାଂଶୁ କୁମାର ଭୋଇ, ଏନଆଇଟି କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଚନ୍ଦନ କୁମାର ସାହୁ, ରେଜିଷ୍ଟ୍ରାର ପ୍ରଫେସର ପ୍ରଦୀପ କୁମାର ଦାସ ଏବଂ କୋଭିଡ ନୋଡାଲ ଅଧିକାରୀ ରୋହନ ଧୀମାନ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର