ଆର୍‌ଏମ୍‌ସି ନିର୍ବାଚନ ମାମଲା: ହାଇକୋର୍ଟରେ ଅନ୍ତରୀଣ ଆବେଦନ ଦାଖଲ, ପରବର୍ତ୍ତୀ ଶୁଣାଣୀ ଆସନ୍ତା ୨୧ରେ

ରାଉରକେଲା : ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ନିର୍ବାଚନ ବିବାଦ ତେଜୁଛି। ରାଜ୍ୟ ସରକାର ହାଇକୋର୍ଟରେ ମାମଲା ଚାଲିଥିବା ଆଳ ଦେଖାଇ ବିଜ୍ଞାପନ ଜାରି କରିଛନ୍ତି। ପ୍ରତିବାଦରେ ପୂର୍ବତନ ନଗରପାଳ ନିହାର ରାୟ ହାଇକୋର୍ଟରେ ଏକ ରିଟ୍‌ ପିଟିସନ୍‌ (ନଂ ୩୫୭୦୩/୨୦୨୧) ଦାଖଲ କରିଥିଲେ। ମଙ୍ଗଳବାର ଦିନ କୋର୍ଟରେ ରାଜ୍ୟ ସରକାର ତାଙ୍କ ଓକିଲଙ୍କ ଜରିଆରେ ପକ୍ଷ ରଖିଛନ୍ତି। ଉତ୍ତର ରଖିବାକୁ ସମୟ ମାଗିଛନ୍ତି। ପୂର୍ବତନ ନଗରପାଳ ନିହାର ରାୟଙ୍କ ଦାବିକୁ ଯୁକ୍ତିଯୁକ୍ତ ଦର୍ଶାଇ ପୂର୍ବତନ ନଗରପାଳ ରମେଶ ବଳ ହାଇକୋର୍ଟରେ ମଙ୍ଗଳବାର ଅନ୍ତରୀଣ ଆବେଦନ (୧୭୮୨୫/୨୧) ଦାଖଲ କରିଛନ୍ତି। ଶ୍ରୀ ବଳଙ୍କ ପକ୍ଷ ମୂଳ ରିଟ୍‌ ପିଟିସନ୍‌ ସହ ଶୁଣାଣୀ କରି ନିର୍ବାଚନ କରାଇବାକୁ ତାଙ୍କ ଓକିଲ ରମେଶ ସାହୁଙ୍କ ଜରିଆରେ ଯୁକ୍ତି ରଖିଛନ୍ତି। ଏହାର ପରବର୍ତ୍ତୀ ଶୁଣାଣୀ ଆସନ୍ତା ୨୧କୁ ଧାର୍ଯ୍ୟ କରାଯାଇଛି।

ଶ୍ରୀ ବଳ ତାଙ୍କ ଆବେଦନରେ ଦର୍ଶାଇଛନ୍ତି, ସେ ୧୫ ବର୍ଷ ଧରି କାଉନଲସିଲର ଥିଲେ। ୨୦୦୭ରୁ ୨୦୦୮ ଯାଏ ନଗରପାଳ ମଧ୍ୟ ରହିଥିଲେ। ୨୦୧୩ ପରଠାରୁ ନିର୍ବାଚନ ନ ହେବା ଯୋଗୁଁ ସହରବାସୀ ତାଙ୍କ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି। ଦୀର୍ଘ ୮ ବର୍ଷ ଧରି ରାଜ୍ୟ ସରକାର ନିର୍ବାଚନ ନ କରି କରଦାତାଙ୍କ ପ୍ରତି ଅନ୍ୟାୟ କରି ଆସୁଛନ୍ତି। ଗତ ୧୯୫୫ ଜୁଲାଇ ୨୦ରେ ରାଉରକେଲା ଏନ୍‌ଏସି ମାନ୍ୟତା ପାଇଥିଲା। ୧୯୮୮ ସେପ୍ଟେମ୍ବର ୧୭ରେ ଏନ୍‌ଏସିରୁ ପୌରପାଳିକା ହୋଇଥିଲା। ୨୦୦୮ରେ ରାଉରକେଲା ପୌରପାଳିକା ୩୩ଟି ୱାର୍ଡକୁ ନେଇ ନିର୍ବାଚନ ହୋଇଥିଲା। ଗତ ୨୦୧୪ ନଭେମ୍ବର ୧୪ରେ ସରକାର ରାଉରକେଲା ପୌରପାଳିକାକୁ ମହାନଗର ନିଗମ ଘୋଷଣା କଲେ। ଜଗଦା, ଗୋପପାଲି, ବ୍ରାହ୍ମଣୀତରଙ୍ଗ, ସାନ ବ୍ରାହ୍ମଣୀତରଙ୍ଗ, ଝାଡ଼ତରଙ୍ଗ, ନବକୃଷ୍ଣନଗର, ତଳବାଲିଯୋଡି, ଆଇଡିଏଲ୍‌ କଲୋନି, ଗୋପବନ୍ଧୁନଗର, ଭଞ୍ଜ କଲୋନି, ସୋନାପର୍ବତ, ଧରମଡ଼ିହି ଆଦି ଅଞ୍ଚଳକୁ ସାମିଲ କରିଥିଲେ। ସରକାରଙ୍କ ବିଜ୍ଞପ୍ତିକୁ ବିରୋଧ କରି କିଛି ବସ୍ତିବାସିନ୍ଦା ଗତ ୨୦୧୫ରେ ହାଇକୋର୍ଟରେ ମାମଲା ଦାୟର କରିଥିଲେ। ହାଇକୋର୍ଟ ମାମଲାର ଶୁଣାଣୀ କରି ସରକାରଙ୍କ ବିଜ୍ଞପ୍ତିକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅନ୍ତରୀଣ ଆଦେଶ ବାହାରିଲା ପରେ ଓଡ଼ିଶା ମ୍ୟୁନିସିପାଲ୍‌ ଆକ୍ଟ, ମ୍ୟୁନିସିପାଲ୍‌ ରୁଲ୍‌ ଓ ଓଡ଼ିଶା ମ୍ୟୁନିସିପାଲ୍‌ ଡିଲିମିଟେସନ୍‌ ଅଫ୍‌ ୱାର୍ଡସ ରିଜର୍ଭଭେସନ୍‌ ଅଫ୍‌ ସିଷ୍ଟମ ଆଣ୍ଡ କଣ୍ଡକ୍ଟ ଅପ୍‌ ଇଲେକ୍ସନ୍‌ ରୁଲ-୧୯୯୪ ଲାଗୁ ହେଉଛି। ଏଣୁ ୩୩ଟି ୱାର୍ଡର ଅଧ୍ୟକ୍ଷ ନିର୍ବାଚନ ପାଇଁ ବାଧା ନଥିଲାବେଳେ ରାଜ୍ୟ ନିର୍ବାଚନ କମିଶନର ନିଜର ସାମ୍ବିଧାନିକ ଦାୟିତ୍ବ ନିର୍ବାହନରେ ବିଫଳ ହୋଇଛନ୍ତି। ଓଡ଼ିଶା ମ୍ୟୁନିସିପାଲ ଆକ୍ଟର ୫ଟି(ଏ) ଅନୁସାରେ ୱାର୍ଡ କମିଟି ମାନ ଗଠନ ନ ହୋଇପାରିବାରୁ ୱାର୍ଡବାସିନ୍ଦା ବହୁ ସମସ୍ୟାର ସମାଧାନ ହୋଇପାରୁନି। ସ୍ୱାସ୍ଥ୍ୟ, ପରିମଳ, ଆଲୋକୀକରଣ, ପରିବେଶ ସୁରକ୍ଷା ତଥା ଉନ୍ନୟନମୂଳକ କାର୍ଯ୍ୟ ବାଧିତ ହେଉଛି ବୋଲି ଶ୍ରୀ ବଳ ତାଙ୍କ ଆବେଦନରେ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର