ରାଉରକେଲା: ରାଉରକେଲା ଏନ୍‌ଏସିରୁ ପୌରପାଳିକା ଓ ପରେ ମହାନଗର ନିଗମ ଘୋଷଣା ହେଲା। ୱାର୍ଡ ସଂଖ୍ୟା ୪୦କୁ ବୃଦ୍ଧି ପାଇଲା। ଆର୍‌ଏମ୍‌ସି ଅଧୀନରେ ମୋଟ ୧୩୨ ବସ୍ତି ରହିଛି। ବସ୍ତିରେ ୪୦, ୪୮୦ ପରିବାରରେ ମୋଟ ଲୋକସଂଖ୍ୟା ହେଉଛି ୧,୬୪, ୮୬୦ । ସହରର ମୋଟ ଲୋକସଂଖ୍ୟାର ୫୦%ରୁ ଅଧିକ ବସ୍ତିରେ ରହୁଛନ୍ତି। ୱାର୍ଡ ସମ୍ପ୍ରସାରଣକୁ ବିରୋଧ କରି ଆଦିବାସୀ ମୂଳବାସୀ ବଞ୍ଚାଅ ମଞ୍ଚ କୋର୍ଟର ଦ୍ବାରସ୍ଥ ହେବାଠୁ ନିର୍ବାଚନ କୋର୍ଟରେ ଝୁଲୁଛି।

Advertisment

ରାଉରକେଲାକୁ ‌ମହାନଗର ନିଗମ (ଆର୍‌ଏମ୍‌ସି) ଘୋଷଣା ପରଠୁ ଅର୍ଥାତ୍‌ ୨୦୧୪ରୁ ନିର୍ବାଚନ ହୋଇନି। ବିବାଦିତ ଜଗଦା, ଝାଡ଼ତରଙ୍ଗ ଆଦି ଅଞ୍ଚଳକୁ ବାଦ୍‌ ଦେଇ ନିର୍ବାଚନ କରିବାକୁ ନିହାର ରାୟ, ସ୍ବର୍ଗତ ରମେଶ ବଳ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ହେଁ ଫଳ ଶୂନ୍‌। କୌଣସି ନିର୍ବାଚିତ ପ୍ରତିନିଧି ନଥିବାରୁ ବସ୍ତିର ବିକାଶ ଆଗେଇ ପାରୁନି। ସ୍ବାସ୍ଥ୍ୟ, ପରିମଳ, ରାସ୍ତାଘାଟ,ପରିବେଶ ସୁରକ୍ଷା, ଆଲୋକୀକରଣ ସହ ଅନ୍ୟାନ୍ୟ କାମ କଚ୍ଛପ ଗତିରେ ଚାଲିଛି।

ନିକଟରେ ହଇଜାରେ ୧୬ରୁ ଅଧିକ ଲୋକଙ୍କ ଜୀବନ ଚାଲିଗଲା। ଜିଲ୍ଲା ପ୍ରଶାସନ ଓ ୱାଟ୍‌କୋ ପକ୍ଷ ପାଇପ୍‌ ଲାଇନ୍‌ ମରାମତି କରି କାମ ସାରିଦେଲେ। ହେଲେ ଆଜି ଅନେକ ସ୍ଥାନରେ ଡ୍ରେନ୍‌ ଭିତରେ ପାଇପ୍‌ ଲାଇନ୍‌ ଯାଇଛି। କେବଳ ଏତିକି ନୁହେଁ ୱାର୍ଡ ଗଠନ ହୋଇପାରୁ ନଥିବାରୁ ନିଜ ନିଜ ଅଞ୍ଚଳର ସମସ୍ୟା ପାଇଁ ବସ୍ତିବାସିନ୍ଦା ବାରମ୍ବାର ଆର୍‌ଏମ୍‌ସି କାର୍ଯ୍ୟାଳୟକୁ ଦୌଡିବାକୁ ବାଧ୍ୟ ହେଉଛନ୍ତି।

ଜାଗା ମିଶନ, ମୁକ୍ତା, ସ୍ବଚ୍ଛ ଭାରତ ମିଶନ ଏମିତି ଅନେକ ଯୋଜନାରେ କୋଟି କୋଟି ଟଙ୍କା ବିକାଶମୂଳକ କାମ ହୋଇଛି। କିନ୍ତୁ ଅଧିକାଂଶ ବସ୍ତିରେ ବିକାଶ ଯେତିକି ହେବା କଥା, ହୋଇପାରିନି ବୋଲି ବସ୍ତିବାସିନ୍ଦା ଅଭିଯୋଗ କରିଛନ୍ତି। ଶକ୍ତିନଗର ମିସନଶକ୍ତି ବଜାର ବାବଦରେ ପ୍ରାୟ ୬୦ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। ଏବେ ତାଲା ଝୁଲୁଛି। ଆର୍‌ଏମ୍‌ସି ଅଧିକାଂଶ କାମରେ ଏମିତି ମାଳମାଳ ଅଭିଯୋଗ ରହିଛି। ବିକାଶମୂଳକ କାମ ଠିକ୍ ହେଉଛି କି ନାହିଁ ପ୍ରତିବାଦ କରିବାକୁ କୌଣସି ଜନ ପ୍ରତିନିଧି ନାହାନ୍ତି।

ରାଉରକେଲା ବିକାଶ ହେବାକୁ ହେଲେ ଆର୍‌ଏମ୍‌ସି ନିର୍ବାଚନ ତୁରନ୍ତ ହେବା ଦରକାର। ନ ହେଲେ ସହରରେ ଯେତିକି ବିକାଶମୂଳକ କାମ, ତା’ର ସ୍ଥାୟିତ୍ବକୁ ନେଇ ସର୍ବଦା ପ୍ରଶ୍ନ ଉଠୁଥିବ। ସ୍ଥାନୀୟ ପ୍ରତିନିଧି ଏ ସଂକ୍ରାନ୍ତରେ ଥରୁଟିଏ ବିଧାନସଭାରେ ପ୍ରଶ୍ନ କରି ନାହାନ୍ତି। ସ୍ମାର୍ଟସିଟି ପ୍ରକଳ୍ପରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଲା ସତ, କିନ୍ତୁ ସହରବାସୀ ବିକାଶ ଯେତିକି ଦେଖିବା, ତା’ ଦେଖିପାରିଲେ ନାହିଁ। ୧୯୯୫ ଜୁଲାଇ ୨୦ରେ ରାଉରକେଲା ଏନ୍ଏସି ମାନ୍ୟତା ପାଇଥିଲା। ୧୯୮୮ ସେପ୍ଟେମ୍ବରରେ ଏନ୍ଏସିରୁ ପୌରପାଳିକା ହୋଇଥିଲା। ୨୦୧୪ ନଭେମ୍ବରରେ ରାଉରକେଲା ପୌରପାଳିକାକୁ ମହାନଗର ନିଗମ ଘୋଷଣା କରାଯାଇଥିଲା।