ରାଉରକେଲା : ବିବାଦରେ ଝୁଲି ରହିଛି ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ନିର୍ବାଚନ। ୨୦୧୩ରୁ ଅର୍ଥାତ୍‌ ଗତ ୧୦ ବର୍ଷ ଧରି ଆର୍‌ଏମ୍‌ସିରେ ଜନପ୍ରତିନିଧି ନାହାନ୍ତି। ଫଳରେ ଆର୍‌ଏମ୍‌ସିରେ ଚାଲିଛି ଅଫିସର ରାଜ୍‌। ପ୍ରତିବାଦ କରିବାକୁ କେହି ନ ଥିବାରୂ ସରକାରଙ୍କ ବିଭିନ୍ନ ଯୋଜନା ବାଟବଣା ହେଉଛି। ବସ୍ତିରେ ବିକାଶ କଚ୍ଛପ ଗତିରେ ଚାଲିଛି। ସ୍ବାସ୍ଥ୍ୟ, ପରିମଳ, ଆଲୋକୀକରଣ, ପରିବେଶ ସୁରକ୍ଷା ତଥା ଉନ୍ନୟମୂଳକ କାର୍ଯ୍ୟ ବାଧିତ ହେଉଛି। ୱାର୍ଡ କମିଟି ଗଠନ ହୋଇ ପାରୁ ନଥିବାରୁ ବସ୍ତିବାସିନ୍ଦା ନିଜ ଅଞ୍ଚଳ ସମସ୍ୟା ନେଇ ବାରମ୍ବାର ଆର୍‌ଏମ୍‌ସି ଅଫିସ୍‌କୁ ଦୌଡୁଛନ୍ତି। ହେଲେ ବିଭାଗୀୟ ଅଧିକାରୀମାନେ ବସ୍ତିର ସମସ୍ୟାଗୁଡ଼ିକୁ ଯେତିକି ଗୁରୁତ୍ବ ଦେବା କଥା, ତା’ ହେଉ ନଥିବା ବସ୍ତିବାସିନ୍ଦାମାନେ ଅଭିଯୋଗ କରିଛନ୍ତି।

Advertisment

କେବଳ ଏତିକି ନୁହେଁ, ବିଭିନ୍ନ ‌ଯୋଜନା ମାଧ୍ୟମରେ ଆର୍‌ଏମ୍‌ସିକୁ ଆସୁଥିବା କୋଟି କୋଟି ଟଙ୍କା ସଠିକ୍‌ ବିନିଯୋଗକୁ ନେଇ ଅନେକ ସମୟରେ ବିରୋଧୀଦଳଗୁଡ଼ିକ ପ୍ରଶ୍ନ ଉଠାଉଛନ୍ତି। ଜାଗା ମିଶନ, ମୁକ୍ତା, ସ୍ବଚ୍ଛ ଭାରତ ମିଶନ ଅବା ଅନ୍ୟ ଯୋଜନାରେ ଆସୁଥିବା କୋଟି କୋଟି ଟଙ୍କାର ସଠିକ୍‌ ବିନିଯୋଗ ହେଉ ନଥିବା ଅଭିଯୋଗ ହେଉଛି। ନିକଟରେ ‘ମୁକ୍ତା’ (ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ) ଯୋଜନାରେ ଖର୍ଚ୍ଚ ହୋଇଥିବା ଅର୍ଥ ଏହାର ଜ୍ବଳନ୍ତ ଉଦାହରଣ। ହକି ବିଶ୍ବକପ୍‌ ପୂର୍ବରୁ ରାସ୍ତା ପାର୍ଶ୍ବ, ପାର୍କ, ଜନଗହଳିପୂର୍ଣ୍ଣ ସ୍ଥାନରେ ପରିଶ୍ରାଗାର (ଲୁ) ନିର୍ମାଣ କରିବାକୁ ମୁକ୍ତା ଯୋଜନାରେ ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି)କୁ ମିଳିଥିଲା ପ୍ରାୟ ସାଢ଼େ ୫ କୋଟି ଟଙ୍କା। ପ୍ରତ୍ୟେକ ‘ଲୁ’କୁ ୨ ଲକ୍ଷ ୭୫ ହଜାର କରି ମୋଟ ୨୦୦ ଟି ନିର୍ମାଣ କରିବାକୁ ଲକ୍ଷ୍ୟ ରହିଥିଲା। ନିର୍ମାଣ କାମ ନେଇଥିବା ଏସ୍‌ଏଚ୍‌ଜିମାନଙ୍କୁ ଗତ ମାର୍ଚ୍ଚ ସୁଦ୍ଧା କାମ ସାରିବାକୁ ବିଭାଗର ସ୍ପଷ୍ଟ ନିର୍ଦ୍ଦେଶ ମଧ୍ୟ ରହିଥିଲା। ‌ହେଲେ ୨୦୦ ଟି ‘ଲୁ’ ମଧ୍ୟରୁ ମାତ୍ର ୭୦ଟି ନିର୍ମାଣ କରାଯାଇଛି। ଏଥି ମଧ୍ୟରୁ କିଛି ସ୍ଥାନରେ ଅଧପନ୍ତରିଆ ହୋଇ ପଡ଼ିଛି। ଅନ୍ୟ କିଛି ସ୍ଥାନରେ କାର୍ଯ୍ୟକ୍ଷମ ହୋଇଥିଲେ ହେଁ ପଥଚାରୀ ଓ ସ୍ଥାନୀୟ ବାସିନ୍ଦାଙ୍କ କାମରେ ଆସୁନି। କାରଣ କେଉଁଠି କବାଟ ଭାଙ୍ଗି ଗଲାଣି ତ ଅନ୍ୟ କେଉଁଠି ପାଣି ଆସୁନି। ବାସନ୍ତୀ କଲୋନି ଡଙ୍ଗା ଛକରେ ନିର୍ମାଣ ହୋଇଥିବା ‘ଲୁ’ ଏହାର ଉଦାହରଣ। ବାହାରକୁ ଚକାଚକ୍‌ ଦିଶୁଛି। ଭିତର ପରିତ୍ୟକ୍ତ ଅବସ୍ଥାରେ ପଡ଼ିଛି। ଠିକ୍‌ ଭାବେ ପାଣି ଆସୁ ନଥିବାରୁ ଉଭୟ ପୁରୁଷ ଓ ମହିଳା ଦୁଇଟି ପରିସ୍ରାଗାରର ପଥଚାରୀଙ୍କ କାମରେ ଆସୁନି।

ସେମିତି ଡଙ୍ଗା ଛକରୁ ଠାରୁ ମାତ୍ର ୧୦୦ ମିଟର ଦୂର (ଜେଲରୋଡ)ରେ ନିର୍ମାଣଧୀନ ‘ ଲୁ’ ମାସ ମାସ ଧରି ଅଧପନ୍ତରିଆ ହୋଇ ପଡ଼ିଛି। କେବେ ସରିବ, କାମ ନେଇଥିବା ଏସ୍‌ଏଚ୍‌ଜି ନା ବିଭାଗୀୟ ଅଧିକାରୀଙ୍କ କାହାରି ପାଖରେ ସନ୍ତୋଷଜନକ ଉତ୍ତର ନାହିଁ। ଅନ୍ୟ କିଛି ସ୍ଥାନରେ ସମାନ ସ୍ଥିତି ଉପୁଜିଛି। ‘ଜାଗା ମିସନ’ ପାଣ୍ଠିରେ ଆସିଥିବା ଅର୍ଥ ବସ୍ତିର ବିକାଶରେ ବିନିଯୋଗ କରାଯାଇଛି। ଯେଉଁସବୁ ବସ୍ତିରେ ଏସବୁ ପାଣ୍ଠି ବିନିଯୋଗ ହୋଇଛି, ତା’ ବହୁ ବ୍ୟତିକ୍ରମ ଦେଖିବାକୁ ମିଳିଛି। ସେମିତି ‌ଶକ୍ତିନଗର ମିସନଶକ୍ତି ବଜାର ବାବଦରେ ପ୍ରାୟ ୬୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିଲା। ମାତ୍ର କେଇ ଦିନ ଚାଲିବା ପରେ ଭେଣ୍ଡିଂ ଜୋନ (ମିସନ ଶକ୍ତିବଜାର)ରେ ଏବେ ତାଲା ଝୁଲୁଛି। ସରକାର ପାଣ୍ଠିକୁ ହରିଲୁଟ୍‌ କରିବାକୁ ଏମିତି ଯୋଜନା କରାଯାଇ ନ ଥିଲା ତ, ଏମିତି ପ୍ରଶ୍ନ ସାଧାରଣରେ ଉଠିବା ସ୍ବାଭାବିକ। ଏମିତି ମାଳ ମାଳ ଦୁର୍ନୀତିର ଅଭିଯୋଗ ରହିଛି। ହେଲେ ବିଭାଗୀୟ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଶୂନ।

ଉଲ୍ଲେଖଯୋଗ୍ୟ, ଗତ ୧୯୫୫ ଜୁଲାଇ ୨୦ରେ ରାଉରକେଲା ଏନ୍‌ଏସି ମାନ୍ୟତା ପାଇଥିଲା। ୧୯୮୮ ସେପ୍ଟେମ୍ବର ୧୭ରେ ଏନ୍‌ଏସିରୁ ପୌରପାଳିକା ହୋଇଥିଲା। ୨୦୦୮ରେ ରାଉରକେଲା ପୌରପାଳିକା ୩୩ଟି ୱାର୍ଡକୁ ନେଇ ନିର୍ବାଚନ ହୋଇଥିଲା। ଗତ ୨୦୧୪ ନଭେମ୍ବର ୧୪ରେ ସରକାର ରାଉରକେଲା ପୌରପାଳିକାକୁ ମହାନଗର ନିଗମ ଘୋଷଣା କଲେ। ଜଗଦା, ଗୋପପାଲି, ବ୍ରାହ୍ମଣୀତରଙ୍ଗ, ସାନ ବ୍ରାହ୍ମଣୀତରଙ୍ଗ, ଝାଡ଼ତରଙ୍ଗ, ନବକୃଷ୍ଣନଗର, ତଳବାଲିଯୋଡି, ଆଇଡିଏଲ୍‌ କଲୋନି, ଗୋପବନ୍ଧୁନଗର, ଭଞ୍ଜ କଲୋନି, ସୋନାପର୍ବତ, ଧରମଡ଼ିହି ଆଦି ଅଞ୍ଚଳକୁ ସାମିଲ କରିଥିଲେ। ସରକାରଙ୍କ ବିଜ୍ଞପ୍ତିକୁ ବିରୋଧ କରି କିଛି ବସ୍ତିବାସିନ୍ଦା ଗତ ୨୦୧୫ରେ ହାଇକୋର୍ଟରେ ମାମଲା ଦାୟର କରିଥିଲେ। ହାଇକୋର୍ଟ ମାମଲାର ଶୁଣାଣୀ କରି ସରକାରଙ୍କ ବିଜ୍ଞପ୍ତିକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ।