ରାଉରକେଲା: ସ୍ମାର୍ଟସିଟିକୁ ନୂଆ ଲୁକ୍ ଦେବାକୁ ରାଉରକେଲା ମହାନଗର ନିଗମ (ଆର୍ଏମ୍ସି) ପକ୍ଷରୁ ଚାଲିଛି ସୌନ୍ଦର୍ଯ୍ୟକରଣ କାମ। ଗତ ପ୍ରାୟ ବର୍ଷକ ତଳେ ବସ୍ତିରୁ ଅଙ୍ଗନବାଡି, ସ୍କୁଲ, କଲେଜ ଓ ପାର୍କେ ପାଚେରୀ ଓ ସରକାରୀ କ୍ବାର୍ଟର୍ସର ପାଚେରୀ, ମନ୍ଦିର ପାଚେରୀକୁ ବିଭିନ୍ନ ରଙ୍ଗରେ ଚିତ୍ରିତ କରାଯାଇଥିଲା। ୧୦ କି ୨୦ ନୁହେଁ ୮୮ଟି ସ୍ଥାନରେ ୱାଲ୍ ପେଣ୍ଟିଂ କରାଯାଇଛି। ଆର୍ଏମ୍ସିରେ କୌଣସି ଜନପ୍ରତିନିଧି ନଥିବାରୁ କେମିତି ସରକାରୀ ଅର୍ଥ ବାଟମାରଣା ହେଉଛି ଏସବୁ ୱାଲ୍ ପେଣ୍ଟିଂ କାମରୁ ସ୍ପଷ୍ଟ ବାରି ହୋଇପଡୁଛି। ଆର୍ଏମ୍ସିର ପ୍ରାୟ କୋଟିଏ ଟଙ୍କାର ୱାଲ୍ ପେଣ୍ଟିଂ କାମ କେମିତି ହୋଇଛି ଏବେ କାନ୍ଥଗୁଡ଼ିକୁ ଦେଖିଲେ ଜଣାପଡୁଛି। ଏ ବାବଦରେ ଆର୍ଏମ୍ସି ଖର୍ଚ୍ଚ କରିଥିଲା ୯୨ ଲକ୍ଷ ୧୮ ହଜାର ୯୮୯ ଟଙ୍କା ବା ପ୍ରାୟ ୧ କୋଟିରୁ ଅଧିକ। ମହିଳା ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି) ଦ୍ବାରା ୱାଲ୍ ପେଣ୍ଟିଂ କାମ କରାଯାଇଥିଲା। ସହରର ପାଖାପାଖି ୪୦ରୁ ଅଧିକ ଏସ୍ଏଚ୍ଜିଙ୍କୁ ଏହି କାମ ଦିଆଯାଇଥିଲା।
ଯେଉଁ ଏସ୍ଏଚ୍ଜି ୱାଲ୍ ପେଣ୍ଟିଂ କାମ ପାଇଥିଲେ, ସେମାନଙ୍କ ମଧ୍ୟରୁ କିଛି ଏସ୍ଏଚ୍ଜି ଗ୍ରୁପ ନିଜ କାମ ନ କରି ଅନ୍ୟମାନଙ୍କୁ ମୋଟା ଅଙ୍କର କମିସନ ହାତେଇ ବିକ୍ରି କରି ଦେଇଥିବା ଅଭିଯୋଗ ହୋଇଥିଲା। କିନ୍ତୁ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ତ ଦୂରର କଥା ତଦନ୍ତ ମଧ୍ୟ ହୋଇନଥିଲା। ଆର୍ଏମ୍ସି କର୍ତ୍ତୃପକ୍ଷ ଓ ବିଭାଗୀୟ ଅଧିକାରୀ ଚୁପ୍ ରହିଥିଲେ। କାମ ଏତେ ନିମ୍ନମାନର ହୋଇଥିଲା ଯେ ବର୍ଷେ ମଧ୍ୟ ଗଲାନି। ପ୍ରାୟ ୮୦% ସ୍ଥାନରେ ୱାଲ୍ ପେଣ୍ଟିଂ କାମର ଚିହ୍ନବର୍ଣ୍ଣ ନାହିଁ। ଏବେ ସେହି ସବୁ ସ୍ଥାନରେ ପୁଣି ସ୍ମାର୍ଟସିଟି ପକ୍ଷରୁ ପେଣ୍ଟିଂ କାମ ଚାଲିଛି। ଏହି କାମ ଭୁବନେଶ୍ବର ଏକ ଠିକା ସଂସ୍ଥାକୁ ଦିଆଯାଇଛି। ତେବେ ଆର୍ଏମ୍ସି କର୍ତ୍ତୃପକ୍ଷ ଓ ତଦାରଖ ଦାୟିତ୍ବରେ ଥିବା ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ କୋଟି ଟଙ୍କାର ୱାଲ୍ ପେଣ୍ଟିଂ ଲଭିଗଲା। ଠିକାଦାର ପୋଷାନୀତିରେ ପୁଣି ସେହି ସ୍କୁଲ, କଲେଜ ପାଚେରୀ ଆଦି ସ୍ଥାନରେ ୱାଲ୍ ପେଣ୍ଟିଂ କାମ ଆରମ୍ଭ ହୋଇଛି। ଉଳ୍ଲେଖଯୋଗ୍ୟ, କରୋନାରେ ଲୋକଙ୍କୁ ରୋଜଗାରକ୍ଷମ କରିବାକୁ ସରକାର ଆର୍ଏମ୍ସି ଏରିଆରେ ୱାଲ୍ ପେଣ୍ଟିଂ କାମ କରିଥିଲେ। ସହରର ଉଦିତନଗର, ଛେଣ୍ଡ କଲୋନି, ସିଭିଲଟାଉନସିପ୍, ବେଦବ୍ୟାସ, କଳିଙ୍ଗବିହାର, ଡେଲିମାର୍କେଟ, ପାନପୋଷ, ବାସନ୍ତୀ କଲୋନି ସମେତ ଅନ୍ୟାନ୍ୟ ସ୍ଥାନରେ ସ୍କୁଲ, କଳେଜ ପାଚେରୀ, ମନ୍ଦିର ପାଚେରୀ, ସରକାରୀ କ୍ବାର୍ଟର୍ସ, ଶିଶୁ ଉଦ୍ୟାନ, ଫିଟ୍ନେସ୍ ପାର୍କଗୁଡ଼ିକ ପାଚେରୀରେ ରାଜ୍ୟର କଳା ସଂସ୍କୃତି, ଐତିହ୍ୟକୁ ନେଇ ବିଭିନ୍ନ ଚିତ୍ର କରାଯାଇଛି।
ୟୁଜିଆଇ ପାଚେରୀରେ ୧ ଲକ୍ଷ ୪୯ ହଜାର ୪୫ ଟଙ୍କା, ନୂଆ ବସ୍ଷ୍ଟାଣ୍ଡ ନିକଟ ଅଙ୍ଗନବାଡି କେନ୍ଦ୍ରରେ ୧ ଲକ୍ଷ ୯୩ ହଜାର ୮୯୭ ଟଙ୍କା, ସ୍ବତନ୍ତ୍ର ଜେଲ୍ରେ ୧ ଲକ୍ଷ ୬୩ ହଜାର ୨୨୯ ଟଙ୍କା, ସିଟି ଓ ଅଙ୍ଗନବାଡି କେନ୍ଦ୍ରରେ ୨ ଲକ୍ଷ ୨୨ ହଜାର୮୪୮ ଟଙ୍କା, ୱାର୍ଡ ନଂ ୧୨ ଅନ୍ତର୍ଗତ ରେଲୱେ କେଲାନି ଓ ରେଲୱେ ମାର୍କେଟରେ ୧ ଲକ୍ଷ ୧୭ ହଜାର ୭୨୧ ଟଙ୍କାରେ ୱାଲ୍ ପେଣ୍ଟିଂ କରାଯାଇଛି। ସେମିତି ୱାର୍ଡ ନଂ ୧୭ ଅନ୍ତର୍ଗତ ଉଦିତନଗର ସିଟି ଲାଇଭ୍ଲ୍ହୁଡ୍ କାନ୍ଥରେ ୯୮ ହଜାର ୧୬୮ ଟଙ୍କା, ୱାର୍ଡ ନଂ ୮ ଅନ୍ତର୍ଗତ ଗୋଷ୍ଠୀ ଶୌଚାଳୟ, ସରକାରୀ ସ୍କୁଲ ପାଚେରୀରେ ୮୬ ହଜାର ୭୬୩ ଟଙ୍କା, ମଧୁସୂଦନପାଲୀ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରରେ ୯୮ ହଜାର ୭୯ ଟଙ୍କା, ଗୋପବନ୍ଧୁପାଲୀ ଅଙ୍ଗନବାଡି କେନ୍ଦ୍ରରେ ୯୮ ହଜାର ୭୮୧ ଟଙ୍କା, ଓରାମପଡା ଏରିଆରେ ୯୭ ହଜାର ୩୦୨ ଟଙ୍କାର ୱାଲ୍ ପେଣ୍ଟିଂ ହୋଇଛି। ଏହିପରି ଭାବେ ଅନ୍ୟ ସ୍ଥାନଗୁଡ଼ିକରେ ୮୦ ହଜାରୁ ଆରମ୍ଭ କରି ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୱାଲ୍ ପେଣ୍ଟିଂରେ ଖର୍ଚ୍ଚ ହୋଇଛି।