ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରସ୍ଥିତ ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର (ଆରଏମ୍ଆରସି)ରେ ମଙ୍କିପକ୍ସ ଟେଷ୍ଟିଂ ହେବ। ଏନେଇ ଆରଏମ୍ଆରସି ନିର୍ଦ୍ଦେଶିକା ସଂଘମିତ୍ରା ପତି ସୂଚନା ଦେଇଛନ୍ତି। ଶ୍ରୀମତୀ ପତି କହିଛନ୍ତି ଯେ, ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଅଧ୍ୟକ୍ଷତାରେ ଜୁଲାଇ ୩୦ ତାରିଖରେ ଏନେଇ ଏକ ବୈଠକରେ ନିଷ୍ପତ୍ତି ହୋଇଥିଲା। ଆରଏମଆରସିକୁ ମଙ୍କିପକ୍ସ ଟେଷ୍ଟିଂ ଲ୍ୟାବରେ ସାମିଲ କରିବାକୁ ନିଷ୍ପତ୍ତି ହୋଇଛି। ଏନେଇ ଆଇସିଏମ୍ଆର, ସ୍ବାସ୍ଥ୍ୟ ମନ୍ତ୍ରାଳୟକୁ ଚିଠି ଲେଖି ଅନୁମତି ମାଗିବୁ। ଏନେଇ ରାଜ୍ୟ ସରକାର ଚିଠି କରିବେ। ଅନୁମତି ମିଳିଲେ ଖୁବଶୀଘ୍ର ଆରଏମ୍ଆରସିରେ ପରୀକ୍ଷା ହେବ।
ସୂଚନାଯୋଗ୍ୟ, ସାରା ପୃଥିବୀରେ ମଙ୍କିପକ୍ସ କାୟା ବିସ୍ତାର କରିଛି। ଏପର୍ଯ୍ୟନ୍ତ ୭୮ଟି ଦେଶରେ କାୟା ବିସ୍ତାର କରିଛି। ବିଶ୍ବରେ ୨୧ ହଜାର ରୋଗୀ ମଙ୍କିପକ୍ସରେ ଆକ୍ରାନ୍ତ ହୋଇସାରିଥିଲା ବେଳେ ଭାରତରେ ୪ ଜଣ ଚିହ୍ନଟ ହୋଇଛନ୍ତି। କିନ୍ତୁ ଓଡ଼ିଶାରେ ଏପର୍ଯ୍ୟନ୍ତ କେହି ଚିହ୍ନଟ ହୋଇ ନାହାନ୍ତି।
ମଙ୍କିପକ୍ସ ସାଧାରଣତଃ ଚିକେନ ପକ୍ସ ଓ ମିଳିମିଳା ଭଳି ଏକ ରୋଗ। ଏହା ନିଶ୍ବାସ ପ୍ରଶ୍ବାସ ଓ କାଶିବା ଦ୍ବାରା ସାଧାରଣତଃ ବ୍ୟାପିଥାଏ । ଏହି ରୋଗରେ ଆକ୍ରାନ୍ତ ରୋଗୀଙ୍କୁ ସାଧାରଣତଃ ପ୍ରଥମ ଅବସ୍ଥାରେ ଦୁର୍ବଳ ଲାଗିବା, ପିଠିରେ ଯନ୍ତ୍ରଣା ହେବା, ଦେହ-ହାତ କୁଣ୍ଡାଇ ହେବା ଭଳି ଲକ୍ଷଣ ପ୍ରକାଶ ପାଇଥାଏ ପରେ ହାତ ପାଦ ଓ ମୁହଁରେ ଘା ବାହାରିଥାଏ। ସଂଦିଗ୍ଧ ରୋଗୀଙ୍କୁ ଏଥି ପାଇଁ ୨୧ ଦିନ ପାଇଁ ସଙ୍ଗରୋଧରେ ରହିବା ସହିତ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରିବା ଉଚିତ। ଭାରତର ୧୫ଟି ଜାଗାରେ ଏହି ରୋଗର ନମୁନା ପରୀକ୍ଷା କରିବା ବ୍ୟବସ୍ଥା ଥିବା ବେଳେ ଖୁବ ଶୀଘ୍ର ଭୁବନେଶ୍ବରସ୍ଥିତ ଆରଏମଆରସି ଠାରେ ଏହାର ନମୁନା ପରୀକ୍ଷା ବ୍ୟବସ୍ଥା କରାଯିବା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଉଛି। ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ମଙ୍କିପକ୍ସର ଚିକିତ୍ସା ପାଇଁ ମେଡିସିନ ବିଭାଗର ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ବିଶେଷଜ୍ଞମାନଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/f3fd1c73-ddf3-4a5f-ba8d-3be3c2fa3063.jpg)