ରାଜ୍ୟରେ କରୋନା ପରୀକ୍ଷା କ୍ଷମତା ବଢ଼ାଯାଉଛି, ଖୁବ୍ ଶୀଘ୍ର ବ୍ରହ୍ମପୁର ଓ ବୁର୍ଲାରେ ବି ଆରମ୍ଭ ହୋଇଯିବ ପରୀକ୍ଷା : ସଂଜୟ ସଂହ

ଭୁବନେଶ୍ୱର: ରାଜ୍ୟ ସରକାର କୋଭିଡ୍ -୧୯ ଭୂତାଣୁ ନମୁନା ପରୀକ୍ଷା  କ୍ଷମତା ବଢ଼ାଇ ଚାଲିଛନ୍ତି। ଏଥିସହ କେବଳ ଭୁବନେଶ୍ବର କିମ୍ବା କଟକ ନୁହେଁ,  ରାଜ୍ୟର ଅନ୍ୟ ଅଂଚଳରେ ଯେଭଳି ଏହି ସୁବିଧା ମିଳିପାରିବ ସେଥିଲାଗି ଉଦ୍ୟମ ମଧ୍ୟ କରାଯାଉଛି। ଆଜି ଦକ୍ଷିଣ ଓଡ଼ିଶାରେ ଏହି ସୁବିଧା ଲାଗି ସବୁଜ ସଂକେତ ମିଳିଛି। ବ୍ରହ୍ମପୁରସ୍ଥିତ ଏମକେସିଜିରେ ପରୀକ୍ଷା ଲାଗି ଆଇସିଏମଆର୍ ଅନୁମତି ଦେଇଛି । ଏଠାରେ ୧୩ ତାରିଖରୁ ପରୀକ୍ଷା ଆରମ୍ଭ ହେବ। ସେହିପରି ଆସନ୍ତା ୧୫ ତାରିଖରୁ ବୁର୍ଲାସ୍ଥିତ ଭିମସାରରେ ମଧ୍ୟ କରୋନା ପରୀକ୍ଷା ଆରମ୍ଭ ହୋଇଯିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ସଚିବ ସଂଜୟ ସିଂହ।

ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସିଂହ କହିଛନ୍ତି, ଆରଏମଆରସିରେ ଆଗାମୀ ଦିନରେ ୧୦୦୦ରୁ ଅଧିକ ନମୁନା ପରୀକ୍ଷା କରାଯିବ । ସ୍ଥାନୀୟ ଆରଏମଆରସିରେ ଏଣିକି ଦୈନିକ ୧୦୦୦ରୁ ଅଧିକ କରୋନା ନମୁନା ପରୀକ୍ଷା ହେବ । ଏଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି । ଆରଏମଆରସିକୁ ଅତ୍ୟାଧୁନିକ ମେସିନ ଆସିଛି । ବୈଜ୍ଞାନିକ ଓ ଇଞ୍ଜିନିୟରମାନେ ଅଧିକରୁ ଅଧିକ ନମୁନା ପରୀକ୍ଷା କରିବା ପାଇଁ ଲାଗିଛନ୍ତି ।

ସଚିବ ଶ୍ରୀ ସିଂହ କହିଛନ୍ତି, ମାର୍ଚ୍ଚ ୫ରେ ପ୍ରଥମେ ଆରଏମଆରସିରେ କରୋନା ପରୀକ୍ଷା କରାଯାଇଥିଲା । ସେଦିନ ୧୦୦ଟି ନମୁନା ପରୀକ୍ଷା କରାଯାଇଥିଲା । ଧୀରେ ଧୀରେ ଏହା ବୃଦ୍ଧି ପାଇ ମାର୍ଚ୍ଚ ୧୬ ବେଳକୁ ପରୀକ୍ଷା କ୍ଷମତା ୩୫୦ରେ ପହଞ୍ଚିଥିଲା । ଆଜି (ଏପ୍ରିଲ ୧୦ରେ) ୧୦୦୦ ନମୁନା ପରୀକ୍ଷା କରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସହଯୋଗ କରୁଛନ୍ତି ।

ସେ କହିଛନ୍ତି ଭୁବନେଶ୍ୱରସ୍ଥିତ ଏମ୍ସରେ ମାର୍ଚ୍ଚ ୨୪ରେ ପ୍ରଥମେ କରୋନା ପରୀକ୍ଷା କରାଯାଇଥିବା ବେଳେ କଟକ ଏସସିବିରେ ମାର୍ଚ୍ଚ ୩୧ରୁ ନମୁନା ପରୀକ୍ଷା କରାଯାଉଛି । ଏମ୍ସରେ ଦିନକୁ ୭୫ଟି ନମୁନା ପରୀକ୍ଷା କରାଯାଉଥିବା ବେଳେ ଏସସିବିରେ ୫୦ଟି ନମୁନା ପରୀକ୍ଷା ହୋଇପାରୁଛି ।

କରୋନା ଯୁଦ୍ଧରେ ବିଜୟୀ ହେବା ପାଇଁ ରାଜ୍ୟ ସରକାର ତଥ୍ୟ ଆଧାରରେ ରଣନୀତି ପ୍ରସ୍ତୁତ କରିଛନ୍ତି । ଶ୍ରୀ ସିଂହ ଏକ ତୁଳନାତ୍ମକ ଚିତ୍ର ଉପସ୍ଥାପନ କରି କହିଛନ୍ତି ଭାରତରେ ୨୦୨୦ ଏପ୍ରିଲ ୯ ପର୍ଯ୍ୟନ୍ତ ୧ ଲକ୍ଷ ୪୪ ହଜାର ୯୧୦ଟି ନମୁନା ପରୀକ୍ଷା ହୋଇଛି । ଏଥିରୁ ପଜିଟିଭ ୬୪୧୨ ଚିହ୍ନଟ ହୋଇଛି । ଓଡ଼ିଶାରେ ଏପର୍ଯ୍ୟନ୍ତ ୩୨୪୯ ନମୁନା ପରୀକ୍ଷା ହୋଇଥିବା ବେଳେ ପଜିଟିଭ ଚିହ୍ନଟ ହୋଇଛି ୪୮ । ଅର୍ଥାତ ଜାତୀୟ ସ୍ତରରେ ପଜିଟିଭ ହାର ୪.୪୨ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ଏହା ୧.୪୭ ପ୍ରତିଶତ ।

ସଚିବ ଶ୍ରୀ କହିଛନ୍ତି,  କିଛି ଲୋକଙ୍କ ଚିନ୍ତାଧାରା ଯେ, ରାଜ୍ୟରେ ଅଧିକ କରୋନା ନମୁନା ପରୀକ୍ଷାଗାର ସଂଖ୍ୟା ବଢ଼ାଇ ଦେଲେ ଅଧିକରୁ ଅଧିକ କରୋନା ନମୁନା ପରୀକ୍ଷା ହୋଇପାରିବ । କିନ୍ତୁ ସେମିତି ନୁହେଁ । ଦେଶର କିଛି ରାଜ୍ୟରେ ଓଡ଼ିଶା ତୁଳନାରେ ଅଧିକ ପରୀକ୍ଷାଗାର ଥାଇ ବି ଓଡ଼ିଶାରୁ ଠାରୁ ଅଧିକ ପରୀକ୍ଷା ହୋଇପାରି ନାହିଁ । ସେ କହିଛନ୍ତି, ଓଡ଼ିଶାରେ ୩ଟି ଲ୍ୟାବ ଅଛି ଏବଂ ରାଜ୍ୟରେ ପ୍ରଥମେ କରୋନା ପଜିଟିଭ ମାର୍ଚ୍ଚ ୧୬ରେ ଚିହ୍ନଟ ହୋଇଥିଲେ । ସେହିଦନି ଠାରୁ ଏପ୍ରିଲି ୮ ଯାଏ ୨୮୪୧ ନମୁନା ପରୀକ୍ଷା ହୋଇପାରିଛି । କିନ୍ତୁ ଗୁଜୁରାଟରେ ୧୦ଟି ଲ୍ୟାବ ଥାଇ ୨୦୨୦ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ୪୨୨୪ଟି ନମୁନା ପରୀକ୍ଷା ହୋଇଛି ।

ଆମେ ଆଇସିଏମଆର ପ୍ରୋଟୋକଲ ଅନୁଯାୟୀ ପରୀକ୍ଷା କରୁଛୁ । ଅନ୍ୟ ରାଜ୍ୟରେ ମଧ୍ୟ ଏହା ଅନୁସରଣ କରୁଛନ୍ତି । ମାର୍ଚ୍ଚ ୫ରେ ୧୦୦, ମାର୍ଚ୍ଚ ୧୬ରେ ୩୫୦ ଓ ଆଜି (ଏପ୍ରିଲ ୧୦)ରେ ୧୦୦୦ ପରୀକ୍ଷା ହେବାକୁ ଯାଉଛି । ତେଣୁ ସରକାର ଟେଷ୍ଟିଂ କ୍ଷମତା ବଢ଼ାଇବା ପାଇଁ ଉଦ୍ୟମ କରୁଛନ୍ତି । ଏଥିପାଇଁ ସରଞ୍ଜାମ ଦରକାର ।

ସମ୍ବନ୍ଧିତ ଖବର