ରାଉରକେଲା : ଅଧାରେ ଅଟକିଛି ଆର୍‌ଓ ପ୍ରକଳ୍ପ

ପାଣ୍ଠି ଦେଲାନି ଡିଏମ୍‌ଏଫ୍‌, ବଢ଼ୁଛି କିଡ୍‌ନୀ ରୋଗୀଙ୍କ ସଂଖ୍ୟା

ରାଉରକେଲା : ପଞ୍ଚାୟତବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାକୁ ପ୍ରତି ପଞ୍ଚାୟତରେ ହେବାକୁ ଥିବା ଆର୍‌ଓ ପ୍ରକଳ୍ପ ଆଗେଇ ପାରୁନି। ଗୋଟିଏ କି ଦୁଇଟି ନୁହେଁ ପ୍ରାୟ ୧୦ରୁ ଅଧିକ ଆର୍‌ଓ ପ୍ଲାଣ୍ଟ ଅଧା ବାଟରେ ଅଟକିଛି। କେଉଁଠି ଆର୍‌ଓ ପ୍ଲାଣ୍ଟ ସ୍ଥାପନ ପୂର୍ବରୁ ଆବଶ୍ୟକ ନିର୍ମାଣୀଧୀନ ଗୃହ ଅଧପନ୍ତରିଆ ହୋଇ ପଡିଛି । ପୁଣି ଆଉ କେଉଁଠି ଆର୍‌ଓ ପ୍ଳାଣ୍ଟ ସ୍ଥାପନ ହୋଇଥିଲେ ମଧ୍ୟ କାର୍ଯ୍ୟକ୍ଷମ ହେଉନି। ଏ ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀ କିଛି କହି ପାରୁ ନାହାନ୍ତି। ଫଳରେ ବିଶୁଦ୍ଧ ପାନୀୟ ଜଳ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ସ୍ବପ୍ନ ପାଲଟିଛି। ଏମିତି ସମସ୍ୟା ଉପୁଜିଛି ଗୁରୁଣ୍ଡିଆ ବ୍ଲକର ପ୍ରାୟ ସମସ୍ତ ପଞ୍ଚାୟତରେ।

ମାତ୍ର ଗୋଟିଏ ଦୁଇଟି ପଞ୍ଚାୟତରେ ସ୍ଥାପନ ହୋଇଥିବା ଆର୍‌ଓ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇଛି। ଜିଲ୍ଲା ଖଣିଜ ପାଣ୍ଠି (ଡିଏମ୍‌ଏଫ୍‌) ଅନୁଦାନ ନ ଦେବାରୁ ଏଭଳି ସମସ୍ୟା ଉପୁଜିଥିବା ବ୍ଳକର ଜଣେ ଅଧିକାରୀ କହିଛନ୍ତି। କିଛି ପଞ୍ଚାୟତରେ ପଞ୍ଚାୟତର ନିଜସ୍ବ ପାଣ୍ଠିରେ ଆର୍‌ଓ ପ୍ଲାଣ୍ଟ ସ୍ଥାପନ ପାଇଁ ଘର ନିର୍ମାଣ କାମ ଚାଲିଛି। ଆବଶ୍ୟକ ଅର୍ଥ ନ ମିଳିଲେ ଏହି ପ୍ରକଳ୍ପ ମଧ୍ୟ ବିଳମ୍ବ ହୋଇପାରେ ବୋଲି ସେ କହିଛନ୍ତି। ଗୁରୁଣ୍ଡିଆ ବ୍ଲକର ୧୩ଟି ପଞ୍ଚାୟତ ରହିଛି। ପଞ୍ଚାୟତଗୁଡ଼ିକ ହେଲା ପଙ୍କଡିହି, ତାମଡା, ବଣେଇକେଲା, କୁଣ୍ଡେଇଡିହା, ଟାମ୍ପରକେଲା, ଜର୍ଡା, ସୋଲ୍‌, ଗୁରୁଣ୍ଡିଆ, ଭାଲୁଡୁଙ୍ଗୁରି, ନରେନ୍ଦ୍ର. ବାଙ୍କି, କୁଚେତା, ଚାନ୍ଦିପୋଷ। ଜର୍ଡା ସମେତ ହାତ ଗଣତି ୨ରୁ ୩ ପଞ୍ଚାୟତରେ ଆର୍‌ଓ ପ୍ଲାଣ୍ଟ ସ୍ଥାପନ ହୋଇଛି। କେବଳ ଜର୍ଡା ପଞ୍ଚାୟତରେ ଚାଲିଛି। ପ୍ରତ୍ୟେକ ପ୍ଲାଣ୍ଟ ସ୍ଥାପନ କରିବାକୁ ପ୍ରାୟ ୨୦ରୁ ୨୪ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ଏମିତି ଭାବେ ୧୩ଟି ପଞ୍ଚାୟତର ଆର୍‌ଓ ପ୍ଲାଣ୍ଟ ସ୍ଥାପନ କରିବାକୁ ପାଖାପାଖି ୩ କୋଟିରୁ ଅଧିକ ଟଙ୍କାର ଆବଶ୍ୟକତା ରହିଥିଲା। ଡିଏମ୍‌ଏଫ୍‌ ପାଣ୍ଠିରୁ ପ୍ରତ୍ୟେକ ପଞ୍ଚାୟତରେ ଆର୍‌ଓ ପ୍ଲାଣ୍ଟ ସ୍ଥାପନ କରିବାକୁ ବ୍ଲକ ପକ୍ଷରୁ ଜିଲ୍ଲା ଖଣିଜ ପାଣ୍ଠି ପରିଚାଳନା ଦାୟିତ୍ବରେ ଥିବା ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଥିଲା। ପ୍ରତ୍ୟେକ ପଞ୍ଚାୟତରେ କେତେ ଟଙ୍କା ଖର୍ଚ୍ଚ କରାଯିବ ସେ ସଂକ୍ରାନ୍ତରେ ବିସ୍ତୃତ ତଥ୍ୟ ପ୍ରଦାନ କରାଯାଇଥିଲା। ବ୍ଲକର ପକ୍ଷରୁ ଏକାଧିବାର ପାଣ୍ଠି ପାଇଁ ଅବଗତ କରାଯାଇଥିଲେ । ଅନୁଦାନ ଯୋଗାଇ ଦେବାକୁ ଗ୍ରୀନ୍‌ ସିଗ୍‌ନାଲ ମଧ୍ୟ ମିଳିଥିଲା। ହେଁ କୌଣସି ସୁଫଳ ମିଳି ନଥିଲା। ଡିଏମ୍‌ଏଫ୍‌ ପାଣ୍ଠିରୁ ଟଙ୍କାଟିଏ ଯୋଗାଇ ଦିଆଯାଇ ନଥିଲା। ଶେଷରେ ପଞ୍ଚାୟତକୁ ମିଳିଥିବା ପାଣ୍ଠିରୁ କାମ ଆରମ୍ଭ ହୋଇଛି। କିନ୍ତୁ ଅଧପନ୍ତରିଆ ହୋଇ ପଡିଥିବା ଏସବୁ ପ୍ରକଳ୍ପ କେବେ ପୂର୍ଣ୍ଣ ହେବ କାହାରି ପାଖରେ ସନ୍ତୋଷଜନକ ଉତ୍ତର ନାହିଁ।

ବିଶୁଦ୍ଧ ପାନୀୟ ଜଳ ଅଭାବରୁ ଗୁରୁଣ୍ଡିଆ ବ୍ଲକର ଅଧିକାଂଶ ପଞ୍ଚାୟତରେ କିଡ୍‌ନୀ ରୋଗୀ ସଂଖ୍ୟା ବଢ଼ୁଛି। ଏହାର ପ୍ରମୁଖ କାରଣ ହେଉଛି ଲୌହଯୁକ୍ତ ପାନୀୟ ଜଳ। ବର୍ଷ ବର୍ଷ ଧରି ଲାଗି ରହିଥିବା ବ୍ଲକର ଏଭଳି ଉଦ୍‌ବେଜନକ ସ୍ଥିତିକୁ ସୁଧାରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଉନି। ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରିବାକୁ ସେମିତି କୌଣସି ବ୍ୟବସ୍ଥା କରି ନଥିବାରୁ ଲୋକମାନେ ଲୌହଯୁକ୍ତ ପାଣିକୁ ପାନୀୟ ଜଳ ଭାବେ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। କିଡ୍‌ନୀ ରୋଗରେ ଆକ୍ରାନ୍ତ ହେଉଛି। ସ୍ଥାନୀୟ ଅଞ୍ଚଳର ଏଭଳି ସ୍ଥିତିକୁ ଉପଲବ୍ଧ କରି ଆର୍‌ଓ ପ୍ଲାଣ୍ଟ ସ୍ଥାପନ ସହ କାର୍ଯ୍ୟକ୍ଷମ କରିବାର ଆବଶ୍ୟକତା ରହିଛି। ନ ହେଲେ ଆଗାମୀ ଦିନରେ ବ୍ଲକର ସ୍ଥିତି ଯେ ସଙ୍ଗୀନ ନ ହେବ , ତାହା କହିବା ମୁସ୍କିଲ୍‌।

ସମ୍ବନ୍ଧିତ ଖବର