ରୋ-ରୋ ଫେରି ଓ ଜଳମାର୍ଗ ପରିବହନକୁ ପ୍ରୋତ୍ସାହନ
ଓଡ଼ିଶା ସମେତ ଦେଶର ୪୫ଟି ସ୍ଥାନରେ ହେବ କାର୍ଯ୍ୟକାରୀ
ଏହାଦ୍ବାରା ଯାତ୍ରା ସମୟ, ପରିବହନ ଖର୍ଚ୍ଚ ଓ ପ୍ରଦୂଷଣ କମିବ
Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ବର : ଭାରତ ସରକାରଙ୍କ ବନ୍ଦର, ଜାହାଜ ଚଳାଚଳ ଏବଂ ଜଳମାର୍ଗ ମନ୍ତ୍ରଣାଳୟ (ଏମ୍ଓପିଏସ୍ଡବ୍ଲୁ) ସାଗରମାଳା କାର୍ଯ୍ୟକ୍ରମ ଅଧୀନରେ ଦେଶରେ ରୋ-ରୋ (ରୋଲ୍ ଅନ୍, ରୋଲ୍ ଅଫ୍) ଫେରି ଏବଂ ଜଳମାର୍ଗ ପରିବହନକୁ ପ୍ରୋତ୍ସାହନ ଦେବା ଲାଗି ଏକ ଇକୋସିଷ୍ଟମ୍ ବିକଶିତ କରିବା ନିମନ୍ତେ ନିଷ୍ପତ୍ତି ନେଇଛି। ଏହାଦ୍ବାରା ଯାତ୍ରା ସମୟ ହ୍ରାସ ପାଇବ, ମାଲ ପରିବହନ ଖର୍ଚ୍ଚ କମିବ ଏବଂ ପରିବହନର ପାରମ୍ପରିକ ସାଧନ ତୁଳନାରେ ପ୍ରଦୂଷଣ ମଧ୍ୟ ହ୍ରାସ ପାଇବ।
ଫେରି ସେବା କ୍ଷେତ୍ରରେ ଅପାର ସମ୍ଭାବନା ଏବଂ ବିଶେଷ ଲାଭକୁ ଦୃଷ୍ଟିରେ ରଖି ମନ୍ତ୍ରଣାଳୟ ୪୫ଟି ପ୍ରକଳ୍ପକୁ ଆର୍ଥିକ ସହାୟତା ଯୋଗାଇ ଦେଉଛି। ଏସବୁ ପ୍ରକଳ୍ପରେ ମୋଟ ୧୯୦୦ କୋଟି ଟଙ୍କା ବ୍ୟୟ କରାଯିବ। ସାଗରମାଳା କାର୍ଯ୍ୟକ୍ରମର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୁଜରାଟର ଘୋଘା-ହାଜିରା ଏବଂ ମହାରାଷ୍ଟ୍ରର ମୁମ୍ବାଇ-ମଣ୍ଡୱା ମଧ୍ୟରେ ରୋ-ପ୍ୟାକ୍ସ ସେବା ଆରମ୍ଭ କରାଯାଇଛି। ଏ ଦୁଇଟି ସ୍ଥାନରେ ୭ ଲକ୍ଷରୁ ଅଧିକ ଯାତ୍ରୀ ଏବଂ ୧.୫ ଲକ୍ଷ ବାହନ ପରିବହନ ସମ୍ଭବ ହୋଇପାରୁଛି। ଫଳରେ ସ୍ବଚ୍ଛ ପରିବେଶ ଏବଂ ଲୋକ କଲ୍ୟାଣ ଦିଗରେ ଯୋଗଦାନ ହୋଇପାରୁଛି।
ଏସବୁ ପ୍ରକଳ୍ପର ସଫଳତା ଏବଂ ଅଧିକ ଚାହିଦା ଓ କ୍ଷମତାକୁ ଦେଖି ଗୁଜରାଟରେ ପିପାବାଓ ଓ ମୂଳଦ୍ବାରକା, ମହାରାଷ୍ଟ୍ରର ଘୋଡ଼ବନ୍ଦର, ୱେଲଦୁର, ୱସଇ, କାଶୀଦ, ରେୱାସ, ମନୋରୀ ଓ ଜେଏନ୍ ପୋର୍ଟ ଆଦିରେ ଅତିରିକ୍ତ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଯୋଜନା କରାଯାଇଛି। ଏହାଛଡ଼ା ଆନ୍ଧ୍ର ପ୍ରଦେଶରେ ୪ଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ଓଡ଼ିଶାରେ ଦୁଇଟି ପ୍ରକଳ୍ପ ଏବଂ ତାମିଲନାଡ଼ୁ ଓ ଗୋଆରେ ଗୋଟିଏ ଲେଖାଏଁ ପ୍ରକଳ୍ପ ପାଇଁ ମନ୍ତ୍ରଣାଳୟ ପକ୍ଷରୁ ସହାୟତା ଯୋଗାଇ ଦିଆଯାଉଛି।
ଅଂଶୀଦାରମାନଙ୍କଠାରୁ ପ୍ରାରମ୍ଭିକ ପରାମର୍ଶ ମିଳିବା ପରେ ଭାରତୀୟ ଉପକୂଳରେ ରୋ-ରୋ ଏବଂ ରୋ-ପ୍ୟାକ୍ସ ଫେରି ସେବାର ପରିଚାଳନା ପାଇଁ ମାର୍ଗଦର୍ଶିକାର ଚିଠା ପ୍ରସ୍ତୁତ କରାଯାଇଛି। ଏହି ମାର୍ଗଦର୍ଶିକାରେ ଫେରି ପରିଚାଳନାର ଦୁଇଟି ଦିଗକୁ ସାମିଲ କରାଯାଇଛି– ଟର୍ମିନାଲ ପରିଚାଳନା ଲାଗି ରିହାତି ଏବଂ ରୋ-ପ୍ୟାକ୍ସ ଜାହାଜ ପରିଚାଳନା ପାଇଁ ଲାଇସେନ୍ସ।
ଏହି ମାର୍ଗଦର୍ଶିକା ଫେରି ସେବାର ବିକାଶ ଏବଂ ପରିଚାଳନାକୁ ସୁବ୍ୟବସ୍ଥିତ କରିବ। ଏଥିସହିତ ଅନାବଶ୍ୟକ ବିଳମ୍ବ ଏବଂ ଅସହମତି ଦୂର ହେବ। ଗ୍ରାହକ ଇଣ୍ଟରଫେସ୍ରେ ଡିଜିଟାଲ ହସ୍ତକ୍ଷେପ ଆରମ୍ଭ କରାଯାଇ ବ୍ୟବସାୟିକ ସୁଗମତା ପାଇଁ ମାର୍ଗ ପ୍ରଶସ୍ତ ହେବ। ଏହାବ୍ୟତୀତ ଏହି ମାର୍ଗଦର୍ଶିକା ପ୍ରକ୍ରିୟାର ମାନକୀକରଣ କରିବା ସହିତ ପ୍ରକଳ୍ପ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସରକାର ଏବଂ ବନ୍ଦର କର୍ତ୍ତୃପକ୍ଷଙ୍କୁ ସହାୟକ ହେବ। ଅନୁରୂପ ଭାବେ ଘରୋଇ କମ୍ପାନିଗୁଡ଼ିକ ମଧ୍ୟରେ ବିଶ୍ବାସ ବଢ଼ାଇବାରେ ସହାୟତା କରିବ, ଯାହାଫଳରେ ସେମାନଙ୍କର ଭାଗୀଦାରି ବଢ଼ିବ ଏବଂ ଏପରି ପ୍ରକଳ୍ପରେ ସୁସ୍ଥ ପ୍ରତିଯୋଗିତାକୁ ପ୍ରୋତ୍ସାହନ ମିଳିବ।