କରୋନା କନ୍ଦାଉଛି, ରାଜ୍ୟରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ଦର ହ୍ରାସ ପାଇଛି ୬୫ ପ୍ରତିଶତ

ମାର୍ଚ୍ଚ ୨୪ରୁ ମେ’ ମାସ ୩୧ ପର୍ଯ୍ୟନ୍ତ ସଡ଼କ ଦୁର୍ଘଟଣାଜନିତ ତଥ୍ୟ ଜାରି

ଭୁବନେଶ୍ୱର: ମହାମାରୀ କରୋନା ଭାଇରସ ସମଗ୍ର ବିଶ୍ୱବାସୀଙ୍କ ସମତେ ଓଡ଼ିଶାର ଲୋକଙ୍କୁ କନ୍ଦାଉଛି । କିନ୍ତୁ ରାଜ୍ୟରେ ପ୍ରଥମ କରୋନା ଭାଇରସ ସଂକ୍ରମଣ ଚିହ୍ନଟ ହେବା ଦିନ ଠାରୁ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ଓ ଆହତଙ୍କ ସଂଖ୍ୟା କମିଛି । ରାଜ୍ୟ ସଡ଼କ ପରିବହନ କର୍ତ୍ତୃପକ୍ଷ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ସଡ଼କ ପରିବହନ କର୍ତ୍ତୃପକ୍ଷ ତରଫରୁ କୁହାଯାଇଛି ଯେ, ୨୦୨୦ ମାର୍ଚ୍ଚ ୨୪ରୁ ମେ’ ମାସ ୩୧ ପର୍ଯ୍ୟନ୍ତ ଲକଡାଉନ ସମୟରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ଗତ ବର୍ଷ ତୁଳନାରେ ୬୫ ପ୍ରତିଶତ ହ୍ରାସ ପାଇଛି। ଅର୍ଥାତ ଚଳିତ ବର୍ଷ ମାର୍ଚ୍ଚ ୨୪ରୁ ୩୧ ଯାଏଁ ୮୩୬ଟି ସଡ଼କ ଦୁର୍ଘଟଣାରେ ୩୮୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭୨୨ ଜଣ ଆହତ ହୋଇଛନ୍ତି । ବର୍ଷ ୨୦୧୯ରେ ଏତିକି ସମୟ ମଧ୍ୟରେ ୨୧୦୭ଟି ସଡ଼କ ଦୁର୍ଘଟଣା ଘଟିଥିଲା । ଫଳରେ ୧୦୮୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୧୦୭ ଜଣ ଆହତ ହୋଇଥିଲେ ।

ଚଳିତ ବର୍ଷ ଏପ୍ରିଲ ମାସରେ ସଡ଼କ ଦୁର୍ଘଟଣାରେ ୧୧୮ ଜଣଙ୍କ ମୃତ୍ୟୁ ଘଟିଛି । ଗତ ବର୍ଷ ଏପ୍ରିଲ ମାସରେ ୪୮୫ ଜଣ ଜୀବନ ହାରିଥିଲେ । ଅର୍ଥାତ ୨୦୧୯ ଏପ୍ରିଲ ତୁଳନାରେ ଚଳିତ ବର୍ଷ ଏପ୍ରିଲ ମାସରେ ୭୪ ପ୍ରତିଶତ ସଡ଼କ ଦୁର୍ଘଟଣା ହ୍ରାସ ପାଇଛି । ଏପ୍ରିଲ ମାସରେ ୨୩୧ଟି ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ୨୦୧୯ ଏପ୍ରିଲରେ ୮୭୭ଟି ଘଟିଥିଲା ।

ସେହିପରି ଗତବର୍ଷର ମେ’ ମାସ ତୁଳନାରେ ଚଳିତ ବର୍ଷ ମେ’ ମାସରେ ୫୧ ପ୍ରତିଶତ ସଡ଼କ ଦୁର୍ଘଟଣା କମ ହୋଇଛି । ଗତ ବର୍ଷ ମେ’ ମାସରେ ୫୫୧ଟି ସଡ଼କ ଦୁର୍ଘଟଣାରେ ୨୪୩ ଜଣ ଲୋକଙ୍କର ପ୍ରାଣହାନୀ ଘଟିଥିଲା । କିନ୍ତୁ ଚଳିତ ବର୍ଷ ମେ’ ମାସରେ ୯୫୩ଟି ଦୁର୍ଘଟଣାରେ ୪୯୪ ଜଣଙ୍କର ମୃତ୍ୟୁ ଘଟିଛି ।

ସୂଚନାଯୋଗ୍ୟ, କରୋନା ଭାଇରସ ପାଇଁ ରାଜ୍ୟରେ ଚଳିତ ବର୍ଷ ମାର୍ଚ୍ଚ ମାସର ୨୨ ତାରିଖ ଠାରୁ ଲକଡାଉନ-୧ ଏପ୍ରିଲ ୧୭ ତାରିଖ ପର୍ଯ୍ୟନ୍ତ ହୋଇଥିଲା । ୫ଟି ପର୍ଯ୍ୟାୟାରେ ଏହା ମେ’ ୩୧ ତାରିଖ ଯାଏଁ ଲକଡାଉନ ଜାରି ରହିଥିଲା । ଏହି ସମୟରେ ସାଧାରଣ ପରିବହନ ଉପରେ କଟକଣା ଲାଗିଥିଲା । ଫଳରେ ଦୁର୍ଘଟଣାର ମାତ୍ରା ହ୍ରାସ ପାଇଥିଲା ।

ସମ୍ବନ୍ଧିତ ଖବର