ଟ୍ରଲର୍‌ ମାଡ଼ିଗଲା, ୨ ଯୁବକ ମୃତ; ମା’-ଝିଅ ଗୁରୁତର, ଉତ୍ତ୍ୟକ୍ତ ଲୋକେ ଜାଳିଦେଲେ ଟ୍ରଲର୍‌

ଆଠଗଡ଼ : ଏହି ଥାନା ଅନ୍ତର୍ଗତ ଆଠଗଡ଼-ନରସିଂହପୁର ୬୫ନମ୍ବର ରାଜ୍ୟ ରାଜପଥର ଖୁଣ୍ଟକଟା ଦର୍ଶନପୁର ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇଜଣ ଯୁବକ ପ୍ରାଣ ହରାଇଥିଲା ବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ସନ୍ଧ୍ୟା ପ୍ରାୟ ୭ଟାରେ ସ୍ଥାନୀୟ ଖୁଣ୍ଟକଟା ଗ୍ରାମର ଦେବରାଜ ସାହୁଙ୍କ ପୁଅ ନିରଞ୍ଜନ ସାହୁ (୨୧) ଓ ମାନସ ରାଉତଙ୍କ ପୁଅ ଅରୁଣଜିତ୍‌ ରାଉତ(୧୬) ବାଇକ୍‌ରେ ଆଠଗଡ଼ ଆସୁଥିବା ବେଳେ ଖୁଣ୍ଟୁଣୀରୁ ବଡ଼ମ୍ବା ଅଭିମୁଖେ ଯାଉଥିବା ଏକ ଟ୍ରଲର୍‌ ସେମାନଙ୍କୁ ଧକ୍କା ଦେଇଥିଲା। ଆମ୍ବୁଲାନ୍ସରେ ଯୁବକଦ୍ୱୟଙ୍କୁ ସଂଗେ ସଂଗେ ଆଠଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ଦୁଇଜଣଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ଯୁବକଦ୍ୱୟଙ୍କୁ ଧକ୍କା ଦେବା ପରେ ଟ୍ରଲର୍‌ଟି ଭାରସାମ୍ୟ ହରାଇ ତିଗିରିଆ ଥାନା ଅଚଳକୋଟରୁ ଡାକ୍ତରଙ୍କୁ ଦେଖା କରିବା ପାଇଁ ସ୍କୁଟିରେ ଆଠଗଡ଼ ଆସୁଥିବା ଗଜେନ୍ଦ୍ର ଜେନାଙ୍କ ସ୍ତ୍ରୀ ଅନ୍ନପୂର୍ଣ୍ଣା ଜେନା(୩୨) ଓ ତାଙ୍କ ଝିଅ ବୈଷ୍ଣବୀ ଜେନା (୮)ଙ୍କ ଆଡ଼କୁ ମାଡ଼ି ଯାଇଥିଲା। ଫଳରେ ମା’ ଓ ଝିଅ ସ୍କୁଟିରୁ ପଡ଼ି ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କୁ ଚିକିତ୍ସା ପାଇଁ ଆଠଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଅପରପକ୍ଷରେ ଦୁର୍ଘଟଣା ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରଲର୍‌କୁ ପୋଡ଼ି ଦେବା ସହ ରାଜ୍ୟ ରାଜପଥକୁ ଅବରୋଧ କରିଥିଲେ। ଆଠଗଡ଼ ଥାନା ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାତି ସାଢ଼େ ୮ଟାରେ ରାସ୍ତାରୋକ ପ୍ରତ୍ୟାହାର କରାଯାଇଥିବା ସୂଚନା ମିଳିଛି। ଏଥିଯୋଗୁ ୨ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଆଠଗଡ଼ ଓ ନରସିଂହପୁର ମଧ୍ୟରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ଆଠଗଡ଼ରୁ ଅଗ୍ନିଶମ ବାହିନୀ ପହଞ୍ଚି ଗାଡ଼ିରୁ ନିଅାଁ ଲିଭାଇଥିବା ଏବଂ ଟ୍ରଲର ଡ୍ରାଇଭରଙ୍କୁ ପୁଲିସ ଅଟକ ରଖିଥିବା ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ପ୍ରକାଶ ଚନ୍ଦ୍ର ପାଲ ସୂଚନା ଦେଇଛନ୍ତି। ଏହି ଘଟଣାରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆଠଗଡ଼ ଉପଜିଲ୍ଲାପାଳ ଅମୀୟ କୁମାର ସାହୁ ପୁଲିସ୍‌କୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର