ଦୁର୍ଘଟଣାରେ ପରିବାର ଛାର୍‌ଖାର୍‌

ଟ୍ରକ୍‌ ଚକ ତଳେ ଚାଲିଗଲା ବାପ, ପୁଅ, ଝିଅର ଜୀବନ

ଜୀବନ ସହ ଲଢ଼ୁଛନ୍ତି ପତ୍ନୀ

ଢେଙ୍କାନାଳ : ପ୍ରସିଦ୍ଧ ଯୋରନ୍ଦା ମାଘମେଳା ଦେଖିବାକୁ କଟକରୁ ବାହାରି ପଡ଼ିଥିଲେ ସପରିବାର। ଗାଁକୁ ଯିବେ; ଠାକୁରଙ୍କ ଦର୍ଶନ କରି ଆଶିଷ ମାଗିବେ। ଏମିତିକା ଆଶା ନେଇ ଗୋଟିଏ ବାଇକ୍‌ରେ ବାପା, ମା ଓ ପୁଅ, ଝିଅ ଆସୁଥିଲେ। ପାଖାପାଖି ଅଧା ବାଟ ଅତିକ୍ରମ କରି ସାରିଥିଲେ। କିନ୍ତୁ ନିୟତିର ନିର୍ଦେଶ ଥିଲା ଅଲଗା। ଗାଁରେ ପହଞ୍ଚିବା ପୂର୍ବରୁ ଅଧା ବାଟରେ ଟ୍ରକ୍‌ ଚକ ତଳେ ଚାଲିଗଲା ବାପା, ପୁଅ ଓ ଝିଅର ଜୀବନ। ପତ୍ନୀ ଏବେ ମେଡିକାଲ୍‌ରେ ଜୀବନ ସହ ସଂଘର୍ଷ କରୁଛନ୍ତି। ଏଭଳି ଏକ ହୃଦୟବିଦାରକ ମର୍ମନ୍ତୁଦ ଦୁର୍ଘଟଣା ଆଜି ଅପରାହ୍‌ଣ ପ୍ରାୟ ସାଢ଼େ ୧ଟା ବେଳେ ଢେଙ୍କାନାଳ ୫୫ନମ୍ବର ଜାତୀୟ ରାଜପଥ କଲେଜ ବାଇପାସ୍‌ ନିକଟରେ ଦେଖିବାକୁ ମିଳିଛି। ଦୁର୍ଘଟଣାରେ ଗଁଦିଆ ବ୍ଲକ ଯୋରନ୍ଦା ଆମ୍ବବାହାଳି ଗାଁର ଅମ୍ବୁଜ ମଲ୍ଲିକ(୩୩), ଝିଅ ଶ୍ରଦ୍ଧାଞ୍ଜଳି (୫) ଏବଂ ପୁଅ ସୁଧାକର(୩) ଶୋଚନୀୟ ମୃତ୍ୟୁ ଘଟିଛି। ଅମ୍ବୁଜଙ୍କ ସ୍ତ୍ରୀ ରାଧାରାଣୀ ମଲ୍ଲିକ ଅଳ୍ପକେ ବଞ୍ଚି ଯାଇଥିଲେ ହେଁ କଟକ ବଡ଼ ମେଡ଼ିକାଲରେ ଏବେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଅମ୍ବଜ ସପରିବାର ସହିତ କଟକରେ ରହୁଥିଲେ। ଯୋରନ୍ଦା ପ୍ରସିଦ୍ଧ ମାଘମେଳା ଦେଖିବାକୁ ଆମ୍ବବାହାଳି ଗାଁକୁ ଏକ ପଲସର ବାଇକ୍‌ରେ ସେ ଆଜି କଟକରୁ ବାହାରିଥିଲେ। ସାଥୀରେ ସ୍ତ୍ରୀ ରାଧାରାଣୀଙ୍କ ସହିତ ଦୁଇ ପିଲା ଥିଲେ।

ଅପରାହ୍‌ଣରେ ୫୫ନମ୍ବର ଜାତୀୟ ରାଜପଥ ଢେଙ୍କାନାଳ କଲେଜ ବାଇପାସଠାରେ ଅମ୍ବୁଜ ବାଇକ୍‌କୁ ଢେଙ୍କାନାଳ ସହର ଅଭିମୁଖେ ନେଉଥିବା ବେଳେ କଟକରୁ ଅନୁଗୁଳ ଆଡ଼କୁ ଆସୁଥିବା ଟ୍ରକ୍‌(ଓଡି୦୫ଏଡି-୯୨୬୬)ଟି ହଠାତ୍‌ ପଛପଟୁ ଧକ୍କା ଦେଇଥିଲା। ଫଳରେ ୪ଜଣ ଯାକ ବାଇକ୍‌ ଆରୋହୀ ତଳକୁ ଛିଟ୍‌କି ପଡ଼ିଥିଲେ। ଟ୍ରକ୍‌ଟି କ୍ରିଷ୍ଣା ଓ ଶ୍ରଦ୍ଧାଞ୍ଜଳିଙ୍କ ମୁଣ୍ଡ ଉପରେ ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ଉଭୟ ଶିଶୁଙ୍କ ମୃତ୍ୟୁ ହୋଇଥିଲା। ଗୁରୁତର ଅବସ୍ଥାରେ ଅମ୍ବୁଜ ଓ ତାଙ୍କ ପତ୍ନୀ ରାଧାରାଣୀଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଅମ୍ବୁଜ ଆଖି ବୁଜିଥିଲେ। ରାଧାରାଣୀଙ୍କ ଅବସ୍ଥା ସଂକଟାପନ୍ନ ହୋଇପଡ଼ିିବାରୁ ତାଙ୍କୁ ସଂଗେ ସଂଗେ କଟକ ସ୍ଥାନାନ୍ତର କରାଯାଇଛି।

ଅନ୍ୟପଟେ ଏ ପ୍ରକାର ଦୁର୍ଘଟଣାକୁ ନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଅଞ୍ଚଳବାସୀ ଅଟକ ରଖିବା ସହିତ ଚାଳକକୁ ମାଡ଼ ମାରିଥିଲେ। ଘଟଣାସ୍ଥଳରେ ଟାଉନ ଥାନା ପୁଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌ ଓ ଶବକୁ ଜବତ କରିଛନ୍ତି। ଡ୍ରାଇଭର ଅଟକ ଅଛନ୍ତି।

ସମ୍ବନ୍ଧିତ ଖବର