ମୃତ୍ୟୁ ଖବର ଦେବାକୁ ଯାଇ ଶବ ହୋଇ ଫେରିଲେ

ବେଲଗୁଣ୍ଠା : ନିଜ ମାମୁଙ୍କ ମୃତ୍ୟୁ ଖବର ଶୁଣାଇବାକୁ ସଂପର୍କୀୟ ଭାଇଙ୍କ ସହ ବାହାରିଥିଲେ। ହେଲେ ନିଜେ ଶବ ହୋଇ ଫେରିଲେ। ଏହା ଗଂଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ପାଙ୍ଗିଡ଼ି ଗ୍ରାମରେ ଶୋକର ଛାୟା ଖେଳାଇ ଦେଇଛି।

ସକାଳ ପ୍ରାୟ ସାଢେ ୧୧ଟାରେ ବେଲଗୁଣ୍ଠା-ଜଗନ୍ନାଥପ୍ରସାଦ ରୋଡ୍‌ରେ ଦୁଇଟି ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଏହି ଅଘଟଣ ଘଟିଛି। ଦୁର୍ଘଟଣାରେ ପାଙ୍ଗିଡ଼ି ଗ୍ରାମର ବାବୁଲା ନାୟକଙ୍କ ମୃତ୍ୟୁ ଘଟିଛି। ତାଙ୍କ ଦୁଇ ସଂପର୍କୀୟ ଭାଇ ଦୀପୁ ନାୟକ ଓ ଫକୀର ନାୟକ ଗୁରୁତର ହୋଇଛନ୍ତି। ସେହିପରି ତାଙ୍କ ବାଇକ୍‌କୁ ଧକ୍ମା ଦେଇଥିବା ବାଇକ୍‌ରେ ଥିବା ଜଗନ୍ନାଥପ୍ରସାଦ ଥାନା ତେନ୍ତୁଳିଆ ଶାସନ ଗ୍ରାମର ବସନ୍ତ ସ୍ୱାଇଁଙ୍କ ମୃତ୍ୟୁ ଘଟିଥିବା ବେଳେ ଭଂଜନଗର ଥାନା ଚାକୁଣ୍ଡାପଲ୍ଲୀ ଗ୍ରାମର ସୁଦାମ ସେଠୀ ଗୁରୁତର ହୋଇଛନ୍ତି। ତିନି ଗୁରୁତରଙ୍କୁ ପ୍ରଥମେ ଭଂଜନଗର ଓ ପରେ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ମିଳିଥିବା ସୂଚନାନୁସାରେ, ପାଙ୍ଗିଡି ଗ୍ରାମର ବାବୁଲା ନାୟକ ତାଙ୍କ ମାମୁଙ୍କ ମୃତ୍ୟୁ ଖବର ଦେବାକୁ ଦୁଇ ସଂପର୍କୀୟ ଭାଇ ଦୀପୁ ଓ ଫକୀର ସହ ଗୋଟିଏ ବାଇକ୍‌ରେ (ପଲସର୍‌ ନମ୍ବର) ବାହାରିଥିଲେ।

ତିନିଜଣ ଜଗନ୍ନାଥପ୍ରସାଦରୁ ଭଂଜନଗର ଯାଉଥିଲେ। ଏହି ସମୟରେ ବେଲଗୁଣ୍ଠା ଏନ୍‌ଏସିର ନିର୍ମାଣାଧୀନ ଫାଟକ ନିକଟରେ ବସନ୍ତ ଓ ସୁଦାମଙ୍କ ଡିସ୍‌କଭର ବାଇକ୍‌ (ଓଆର ୦୭ ଏକ୍ସ ୪୧୮୫) ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଦ୍ରୁତ ଗତିରେ ଉଭୟ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଥିବାରୁ ୫ ଫୁଟ ଉପରକୁ ଯାଇ ତଳେ କଚାଡ଼ି ହୋଇ ପଡ଼ିଥିଲା। ଘଟଣାସ୍ଥଳରେ ହିଁ ଗୋଟିଏ ବାଇକ୍‌ରେ ଥିବା ବାବୁଲା ଓ ଅନ୍ୟ ବାଇକ୍‌ରେ ଥିବା ବସନ୍ତଙ୍କ ମୃତ୍ୟୁ ହୋଇଥିଲା। ଗୁରୁତର ଦୀପୁ, ଫକୀର ଏବଂ ସୁଦାମଙ୍କୁ ୧୦୮ ଆମ୍ବୁଲାନସ ଯୋଗେ ଭଂଜନଗର ଡାକ୍ତରଖାନା ଅଣାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ଭଂଜନଗର ଡାକ୍ତରଖାନାରେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ଉଭୟ ବାଇକ୍‌କୁ ପୁଲିସ ଜବତ କରିଥିବା ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ସବ୍ୟସାଚ୍ଚୀ ମଲ୍ଲ ସୂଚନା ଦେଇଛନ୍ତି।

ସୂଚନା ଥାଉକି, ଗତ ୮ ତାରିଖରେ ବେଲଗୁଣ୍ଠା ବ୍ଲକ୍‌ କଂଟେଇପଲ୍ଳୀ ନିକଟ ବାହାଡ଼ା ବାଙ୍କରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ଗାଙ୍ଗପୁର ଥାନା ସାନବୋରସିଂ ଗ୍ରାମର ଭାସ୍କର ସ୍ୱାଇଁ ଓ ସୋରଡ଼ା ଥାନା ବାଘଲିଙ୍ଗି ଗ୍ରାମର ମିଟୁ ଗୌଡ଼ଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର