ଲୁହାପଥର ବୋଝେଇ ଡମ୍ପର ଓଲଟିଲା : ଗୋଡ଼ ହରାଇଲେ ସ୍ୱାମୀ, ଗର୍ଭବତୀ ସ୍ତ୍ରୀ ସଂକଟାପନ୍ନ

ଦାନଗଦୀ/ଯଖପୁରା/କବାଟବନ୍ଧ : କଳିଙ୍ଗନଗର ଶିଳ୍ପାଞ୍ଚଳ ଅନ୍ତର୍ଗତ ପଙ୍କପାଳ ବଙ୍ଗଳା ଛକ ନିକଟରେ ଏକ ଲୁହାପଥର ବୋଝେଇ ଡମ୍ପର ଓଲଟି ପଡ଼ିବାରୁ ସ୍ବାମୀଙ୍କର ଗୋଡ଼ କଟି ଯାଇଥିବାବେଳେ ଗର୍ଭବତୀ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି। ଏହି ଦୁର୍ଘଟଣାରେ ଅନ୍ୟ ଜଣେ ବାଇକ୍ ଆରୋହୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଆହତ ଦମ୍ପତିଙ୍କୁ କଟକ ବଡ଼ ଡାକ୍ତରଖାନା ଏବଂ ବାଇକ ଆରୋହୀଙ୍କୁ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇଛି।

ସମୟ ସକାଳ ପ୍ରାୟ ୧୦ଟା ହେବ। ଚଣ୍ତିଖୋଲ-ଡୁବୁରି ୫୩ ନମ୍ବର ଜାତୀୟ ରାଜପଥରେ ପାରାଦ୍ବୀପ ଅଭିମୁଖେ ଯାଉଥିବା ଏକ ଲୁହାପଥର ବୋଝେଇ ଟିପର (ଓଆର୧୬ସି ୭୪୮୫) ବଙ୍ଗଳା ଛକ ନିକଟରେ ଜେନାପୁର ଥାନା ରାଇଛନ୍ଦା (ତଇଲାସାହି) ଗ୍ରାମର ପରମାନନ୍ଦ ସାହୁଙ୍କ ପୁଅ ସୁଶାନ୍ତ(୩୫) ଯାଉଥିବା ଏକ ମୋଟର ସାଇକଲ ପଛରୁ ଧକ୍କା ଦେଇଥିଲା। ଫଳରେ ସୁଶାନ୍ତ ବାଇକ ସହ ରାସ୍ତାରେ ଛିଟିକିପଡି ଗୁରୁତର ଆହତ ହୋଇଥିଲେ। ଟିପରଟି ଭାରସାମ୍ୟ ହରାଇ ବ୍ରାହ୍ମଣୀ ବ୍ରିଜପଟୁ ଏକ ହୋଣ୍ତା ସାଇନ ବାଇକ (ଓଡି୦୪ ୨୩୧୮)ରେ ଆସୁଥିବା ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଖଣ୍ତବନ୍ଧ ପଞ୍ଚାୟତ କାଲୁଣୀଗୋଡ଼ା ଗ୍ରାମର ବାଇଧର ସିଂଙ୍କ ପୁଅ ଅଲେଖ ସିଂ(୩୦) ଓ ତାଙ୍କ ପତ୍ନୀ ସୂଚିସ୍ମିତା ନାଥ (୨୨)ଙ୍କ ଉପରେ ଓଲଟି ପଡ଼ିଥିଲା। ସଂପୃକ୍ତ ଦମ୍ପତି ଲୁହାପଥରରେ ପୋତିହୋଇ ଯାଇଥିବାବେଳେ ସ୍ଥାନୀୟ ଲୋକେ ଜଗ ଓ ଅନ୍ୟ ଏକ ଗାଡ଼ି ସହାୟତାରେ ଓଲଟି ପଡ଼ିଥିବା ଟିପରଟିକୁ ଉଠାଇ ତା’ ତଳୁ ଅଲେଖ ଓ ତାଙ୍କ ପତ୍ନୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ଖବର ପାଇ କଳିଙ୍ଗନଗର ପୁଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ୩ ଗୁରୁତରଙ୍କୁ ଉଦ୍ଧାର କରି ପ୍ରଥମେ ଟାଟା ମେଡିକା ହସ୍ପିଟାଲରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ସୁଶାନ୍ତଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।

ଅଲେଖଙ୍କର ଗୋଟିଏ ଗୋଡ଼ କଟି ଯାଇଥିବା ବେଳେ ଅନ୍ୟ ଗୋଡ଼ଟି ମଧ୍ୟ ଜଖମ ହୋଇଛି। ଅଲେଖଙ୍କ ଗର୍ଭବତୀ ପତ୍ନୀଙ୍କ ଅବସ୍ଥା ମଧ୍ୟ ସଂକଟାପନ୍ନ ରହିଛି। ଉଭୟଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କୁ ଆଇସିୟୁରେ ରଖାଯାଇ ଚିକିତ୍ସିତ କରାଯାଉଛି। ସୂଚନା ଥାଉକି, ଅଲେଖ ଚେକ୍‌ଅପ୍‌ ପାଇଁ ସ୍ତ୍ରୀଙ୍କୁ ଦାନଗଦୀ ମେଡିକାଲକୁ ଆଣୁଥିଲେ। କଳିଙ୍ଗନଗର ପୁଲିସ ଦୁଇ ବାଇକ ଓ ଟିପରକୁ ଜବତ କରି ଅଧିକ ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର