ବାଇକ୍‌ ଆରୋହୀଙ୍କ ଉପରେ ଚଢ଼ିଗଲା ଟ୍ରକ୍‌

ଚକା ତଳେ ଯୁବକଙ୍କୁ ଦେଖି ହୃଦ୍‌ଘାତରେ ଟଳିପଡ଼ିଲେ ବ୍ୟବସାୟୀ

ପିପିଲି : ସାତଶଙ୍ଖ-ବଳଙ୍ଗା ରାସ୍ତାର ଆଠବାଟିଆ ଗାଁ’ଠାରେ ଆଜି ଅପରାହ୍ନରେ ଜଣେ ବାଇକ୍‌ ଆରୋହୀଙ୍କ ଉପରେ ଟ୍ରକ ଚଢିଯିବାରୁ ଯୁବକ ଜଣକ ଦୁଇ ଗୋଡ଼ ହରାଇବା ସହ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତି ହୋଇଛନ୍ତି। ଏହି ମର୍ମନ୍ତୁଦ ଦୁର୍ଘଟଣା ଦେଖି ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟବସାୟୀ ସୁରେଶ ସାହୁ (୫୦)ଙ୍କର ହୃଦ୍‌ଘାତରେ ମୃତ୍ୟୁ ଘଟିଛି। ଦୁର୍ଘଟଣା ପ୍ରତିବାଦରେ ସ୍ଥାନୀୟ ଲୋକେ ସାତଶଙ୍ଖ-ବଳଙ୍ଗା ରାସ୍ତା ଅବରୋଧ କରିଥିଲେ।

ସୂଚନା ମୁତାବକ, ବଳଙ୍ଗା ଥାନା ପାର୍ବତୀପୁର ଗାଁର ଦେବାଶିଷ ଦାସ (୨୮) ନିଜ ପଲ୍‌ସର୍‌ ବାଇକରେ ସାତଶଙ୍ଖରୁ ଘରକୁ ଫେରୁଥିବା ବେଳେ ପଛରୁ ତାଙ୍କୁ ଏକ ପଥର ବୋଝେଇ ଟ୍ରକ (ଓଆର୦୪ଡ଼ି-୬୧୪୨) ଧକ୍କା ଦେଇ ଥିଲା। ଦେବାଶିଷ ସେଠାରେ ବାଇକ୍‌ ସହ ରାସ୍ତା ଉପରେ ଛିଟିକି ପଡ଼ିଥିବା ବେଳେ ଟ୍ରକଟି ତାଙ୍କ ଉପରେ ଚଢିଯାଇଥିଲା। ପିପିଲିରୁ ଅଗ୍ନିଶମ ବାହିନୀ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଅଧଘଣ୍ଟା କାଳ ପରିଶ୍ରମ କରିବା ପରେ ଟ୍ରକ ଚକାତଳୁ ଗୁରତର ଦେବାଶିଷଙ୍କୁ ଉଦ୍ଧାର କରି ସାକ୍ଷୀଗୋପାଳ ସରକାରୀ ହସ୍ପିଟାଲରେ ଭର୍ତି କରିଥିଲେ। ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ପରେ ସାତଶଙ୍ଖ ବଜାରର ବ୍ୟବସାୟୀ ସୁରେଶ ସାହୁ (୫୦) ଘଟଣାସ୍ଥଳକୁ ଧାଇଁ ଆସିଥିଲେ ସାହାଯ୍ୟର ହାତ ବଢାଇବା ପାଇଁ। ଟ୍ରକ ଚକା ତଳୁ ଯୁବକ ଜଣକ କିପରି ସୁରକ୍ଷିତ ଅବସ୍ଥାରେ ବାହାରିବେ ସେଠାରେ ରୁଣ୍ଡ ହୋଇଥିବା ଲୋକମାନଙ୍କ ସହ ସୁରେଶ ଆଲୋଚନା ଚଳାଇଥିଲେ। ଠିକ୍‌ ସେତିକି ବେଳେ ସୁରେଶ ଛାତିରେ ଯନ୍ତ୍ରଣା ଅନୁଭବ କରି ସେହିଠାରେ ହିଁ ଟଳି ପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲକୁ ନେବା ସମୟରେ ବାଟରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ବୁଲାଣି ରାସ୍ତା ଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ସେଠାରେ ତୁରନ୍ତ ହମ୍ପସ୍‌ ନିର୍ମାଣ ଦାବିରେ ସ୍ଥାନୀୟ ଲୋକେ ସାତଶଙ୍ଖ-ବଳଙ୍ଗା ରାସ୍ତା ଅବରୋଧ କରିଥିଲେ। ପିପିଲି ଥାନା ଅଧିକାରୀ ଶରତ ଚନ୍ଦ୍ର ସାହୁ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ତୁରନ୍ତ ହମ୍ପସ ନିର୍ମାଣ କରାଯିବ ବୋଲି ପ୍ରତିଶ୍ରୁତି ଦେବାରୁ ରାସ୍ତା ଅବରୋଧ ହଟିଥିଲା।

ସମ୍ବନ୍ଧିତ ଖବର