ଉଲୁଣ୍ଡା: ସୋନପୁର- ସମ୍ବଲପୁର ରାସ୍ତାର ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ବେହେରାମାଲ ଛକ ନିକଟରେ ରବିବାର ଏକ ମର୍ମଦୁନ୍ତ ସଡ଼କ ଦୁର୍ଘଟଣା ଘଟି ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ମହିଳା ଜଣକ ସମ୍ବଲପୁର ସହର ସାକ୍ଷୀପଡ଼ାର ବିଳାସିନୀ ରାଏ (୫୦) ବୋଲି ଜଣାପଡ଼ିଛି। ପ୍ରାପ୍ତ ସୂଚନାନୁସାରେ ସାକ୍ଷୀପଡ଼ାର ରତ୍ନା ଓରାମ, ତାଙ୍କ ପୁଅ ଦୀପକ ଓରାମ ଏବଂ ସମ୍ପର୍କୀୟ ବିଳାସିନୀ ଆଜି ଏକ ବାଇକ୍ (ଓଡି ୧୫ଏ-୫୮୧୮)ରେ ମା’ ମେଟାକାନୀଙ୍କ ଦର୍ଶନ ପାଇଁ ଆସିଥିଲେ।
ଦର୍ଶନ ସାରି ସମ୍ବଲପୁର ଫେରୁଥିବା ବେଳେ ବେହେରାମାଲ ଛକ ନିକଟରେ ସମ୍ବଲପୁର ପଟୁ ଆସୁଥିବା ଏକ ପିକ୍ଅପ୍ ଭ୍ୟାନ୍ ସହ ତାଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା। ଫଲରେ ବାଇକ ଯାତ୍ରୀମାନେ ରାସ୍ତା କଡ଼କୁ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ପୁଲିସ୍ ଓ ଆମ୍ବୁଲାନ୍ସକୁ ସୂଚନା ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଉଲୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଡାକ୍ତର ବିଳାସିନୀଙ୍କୁ ମୃତ ଘୋଷଣା କରିଥିଲେ। ଏହା ସହ ଗୁରୁତର ଥିବା ରତ୍ନା ଓ ଦୀପକଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ଘଟାଇ ପିକ୍ଅପ୍ଟି ଫେରାର ମାରୁଥିବା ବେଳେ ଉଲୁଣ୍ଡା ପୁଲିସ ମାଟୁପାଲି ନିକଟରୁ ତାକୁ ଜବତ କରି ତଦନ୍ତ କରୁଥିବା ଜଣାପଡ଼ିଛି। ଗାଡ଼ିର ଡ୍ରାଇଭର ଓ ହେଲ୍ପରଙ୍କୁ ଅଟକ ରଖାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/dead.jpg)