ରାଜ୍ୟ ସଡ଼କ ନିରାପତ୍ତା ପରିଷଦର ପ୍ରଥମ ବୈଠକ : ଚିନ୍ତା ବଢ଼ାଉଛି ଦୁର୍ଘଟଣା

ଦ୍ରୁତ ଗାଡ଼ି ଚାଳନା, ମଦ ଓ ମୋବାଇଲ୍‌ ଦୁର୍ଘଟଣା ବଢ଼ାଉଛି, ୨୦୨୦ ସୁଦ୍ଧା ଦୁର୍ଘଟଣା ଜନିତ ମୃତ୍ୟୁ ୫୦% କମିବ : ମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟରେ ଦୁର୍ଘଟଣା ହାର ବଢ଼ି ଚାଲିଛି। ଏପରିକି ଜାତୀୟ ହାରଠାରୁ ଏଠାରେ ଦୁର୍ଘଟଣା ଓ ତଦ୍‌ଜନିତ ମୃତ୍ୟୁ ସଂଖ୍ୟା ଢେର୍ ଅଧିକ। ପ୍ରତି ବର୍ଷ ସଂଖ୍ୟା ବଢ଼ି ଚାଲିଛି। ଏହା ଏବେ ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ରାସ୍ତା ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟାକୁ କମାଇବା ପାଇଁ ସୁପ୍ରିମକୋର୍ଟଙ୍କ କ‌ଡ଼ା ଆଭିମୁଖ୍ୟ ପରେ ସରକାର ଏ ନେଇ ତତ୍ପରତା ପ୍ରକାଶ କରିଛନ୍ତି। ଆଜି ରାଜ୍ୟ ସଡ଼କ ନିରାପତ୍ତା ପରିଷଦର ବୈଠକରେ ଏ ନେଇ ତନାଘନା କରାଯାଇଛି।

ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଅଧ୍ୟକ୍ଷତାରେ ପରିଷଦର ପ୍ରଥମ ବୈଠକ ସଚିବାଳୟରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ସୂଚନା ଦିଆଯାଇଥିଲା ଯେ ୨୦୧୮ ମସିହାରେ ଦେଶରେ ୧,୪୮,୯୫୦ ଲୋକ ପ୍ରାଣ ହରାଇଥିବାବେଳେ ରାଜ୍ୟରେ ୫୩୧୫ ଜଣ ପ୍ରାଣ ହରାଇଛନ୍ତି ଏବଂ୧୧ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି। ଦୁର୍ଘଟଣାଜନିତ ମୃତ୍ୟୁହାର କମାଇବା ପାଇଁ ବେପରୱା ଗାଡ଼ି ଚାଳନା କ୍ଷେତ୍ରରେ ନିୟମିତ ଚଢ଼ାଉ, ଇଞ୍ଜିନିୟରିଂ ଜ୍ଞାନକୌଶଳର ପ୍ରୟୋଗ, ଉଚ୍ଚତ୍ତମ ନ୍ୟାୟାଳୟଙ୍କ ଦ୍ବାରା ଗଠିତ କମିଟି ପକ୍ଷରୁ ପ୍ରଣିତ ନିର୍ଦ୍ଦେଶାବଳୀର ଅନୁପାଳନ, ଜିଲ୍ଲା ସ୍ତରରେ ପ୍ରତି ମାସରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ଓ ଦୁର୍ଘଟଣା ଘଟିଲେ ଏକ ଘଣ୍ଟା ମଧ୍ୟରେ ଆବଶ୍ୟକ ଚିକିତ୍ସା ବ୍ୟବସ୍ଥା ଯୋଗାଇ ଦେବା ଉପରେ ବୈଠକରେ ଗୁରୁତ୍ବାରୋପ କରାଯାଇଥିଲା।

ବୈଠକ ପରେ ଗଣମାଧ୍ୟମକୁ ମନ୍ତ୍ରୀ କହିଥିଲେ, ଓଡ଼ିଶାରେ ଦୁର୍ଘଟଣାଜନିତ ମୃତ୍ୟୁ ହାର ଚିନ୍ତାର ବିଷୟ ହୋଇଛି। ଦ୍ରୁତ ଗାଡ଼ି ଚାଳନା, ମଦ୍ୟପାନ କରି ଗାଡ଼ି ଚଳାଇବା, ଟ୍ରାଫିକ୍ ନିୟମ ନ ମାନି ଭୁଲ୍ ଦିଗରେ ଗାଡ଼ି ଚଳାଇବା, ଗାଡ଼ି ଚଳାଇବା ସମୟରେ ମୋବାଇଲ୍‌ ଫୋନ୍ ବ୍ୟବହାର କରିବା ଓ ଟ୍ରାଫିକ୍ ପଏଣ୍ଟ୍‌ରେ ନାଲିବତୀ ଜଳୁଥିବା ବେଳେ ରାସ୍ତା ପାର ହୋଇ ଗାଡ଼ି ଚଳାଇବା ଯୋଗୁ ରାଜ୍ୟରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ଅଧିକ ହେଉଛି। ୨୦୨୦ ସୁଦ୍ଧା ରାଜ୍ୟରେ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ୫୦% କମାଇବାକୁ ସରକାର ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି।

ରାସ୍ତା ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ଓ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଦେବାର ବ୍ୟବସ୍ଥା ରହିଛି। ଆଜି ପରିଷଦର ବୈଠକ ଅବସରରେ ମନ୍ତ୍ରୀ ଶ୍ରୀ ବେହେରା ଜଣେ ଦୁର୍ଘଟଣାଗ୍ରସ୍ତ ଛାତ୍ର ଆଶୀର୍ବାଦ ବସ୍ତିଆଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରିଥିଲେ। କଟକ-ଭୁବନେଶ୍ବର ରାଜପଥରେ ପିତାପଲ୍ଲୀଠାରୁ ଜଗତପୁର ମଧ୍ୟରେ ୨୧ଟି ବ୍ଲାକ୍ ସ୍ପଟ୍‌ ଚିହ୍ନିତ ହୋଇଥିବା ନେଇ ପୁଲିସ୍ କମିସନର୍ ସତ୍ୟଜିତ ମହାନ୍ତି ବୈଠକରେ ସୂଚନା ଦେଇଥିଲେ। ଏହି ସବୁ ବ୍ଲାକ୍ ସ୍ପଟ୍‌ରେ ସାଇନେଜ୍ ବ୍ୟବସ୍ଥା କରିବା, ମୁମ୍ବାଇ-ପୁନେ ଜାତୀୟ ରାଜପଥ ଢାଞ୍ଚାରେ ଖୋର୍ଦ୍ଧାରୁ ଚଣ୍ଡିଖୋଲ ପର୍ଯ୍ୟନ୍ତ ଦୁର୍ଘଟଣା ରୋକିବା ପାଇଁ ସମାନ ବ୍ୟବସ୍ଥା ଗ୍ରହଣ କରିବା‌, ଭାରି ଯାନଗୁଡ଼ିକ ଆବଶ୍ୟକତା ଠାରୁ ଅଧିକ ସାମଗ୍ରୀ ପରିବହନ ନ କରିବା, ରାଜ୍ୟର ସମସ୍ତ ଜିଲ୍ଲା ସଦର ମହକୁମାରେ ଷ୍ଟୁଡେଣ୍ଟ୍‌ ଟ୍ରାଫିକ୍ ଭଲ୍ୟୁଣ୍ଟିୟର୍ ବ୍ୟବସ୍ଥା ଲାଗୁ କରିବା ଉପରେ ବୈଠକରେ ଆଲୋଚନା ହୋଇଥିଲା। ବୈଠକରେ ରାଜ୍ୟ ପୁଲିସ ଡିଜି ଆର୍‌ପି ଶର୍ମା, କୃଷି କମିସନର୍ ଗଗନ ଧଳ, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଜି ଶ୍ରୀନିବାସନ୍, ସ୍ବତନ୍ତ୍ର ସଚିବ ମନୋରଞ୍ଜନ ମିଶ୍ର, ପରିବହନ କମିସନର୍ ଅନିଲ ସାମଲ, ବିଭିନ୍ନ ବିଭାଗର ପଦାଧିକାରୀ, ଟ୍ରକ୍ ଓ ବସ୍ ମାଲିକ ସଂଘର କର୍ମକର୍ତ୍ତା, ବିଭିନ୍ନ ସ୍ବେଚ୍ଛାସେବୀ ସଂସ୍ଥା ଓ ରାଜ୍ୟ ସଡ଼କ ନିରାପତ୍ତା ପରିଷଦର ସଦସ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର