ଢେଙ୍କାନାଳରେ ସଡକ ଦୁର୍ଘଟଣାରେ ଗଲା ୪ ଜଣଙ୍କ ଜୀବନ 

ଢେଙ୍କାନାଳ: ୨ଟି ପୃଥକ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ଅପରାହ୍ନ ସାଢେ ୪ଟାରେ କଣ୍ଟାନାଳି ବାଇପାସ୍‌ ନିକଟରେ ଟ୍ରକ୍‌ ଧକ୍କାରେ ଜଣେ ଯୁବକ ଓ ଯୁବତୀଙ୍କ ମୃତ୍ୟୁ ହୋଇଯାଇଛି । ମିଳିଥିବା ସୂଚନା ଅନୁସାରେ ବଣସିଂ ପଂଚାୟତର ରାଧାଦେଇପୁର ଗାଁର ଇତିଶ୍ରୀ ରାଉତ(୨୪) ଓଡାପଡା ବ୍ଲକର ସିମିନଈ ଗାଁରେ ଥିବା ବଡ ଭଉଣୀ ଅଳକା ରାଉତଙ୍କ ଘରକୁ ସାବିତ୍ରୀ ଭାର ନେଇ ଆସିଥିଲେ। ଭଉଣୀ ଘରୁ ସାଢେ ୧୨ଟାରେ ନିଜ ଘରକୁ ଫେରିଥିଲେ। ଇତିଶ୍ରୀଙ୍କ ସହ ଏକଘରିଆ ଗ୍ରାମର ଅମର ଜ୍ୟୋତି ସ୍ୱାଇଁ ମିଶିକି ଯାଉଥିଲେ। ତେବେ ବାଇପାସ ନିକଟରେ ଟ୍ରକ  ଏହି ଦୁହିଁଙ୍କୁ ଧକ୍କା ଦେଇଥିଲା । ଯୁବକର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପୋଲିସ ଏହି ଟ୍ରକକୁ ଜବତ କରିଛି।

ସେହିପରି ଢେଙ୍କାନାଳ ପୌରାଞ୍ଚଳର ବିକାଶ ସାହୁଙ୍କ ସ୍ତ୍ରୀ ଅଶାନ୍ତି ସାହୁ(୪୦) ଓ ପଡୋଶୀ ସିନା ବେହୁରା(୭୦) ଘର ସାମ୍ନାରେ ବସିଥିଲେ। ଏକ ବାଲି ବୋଝେଇ ଟିପ୍ପର ଓଆର ୧୬ ସି ୦୫୬୨ ତାଙ୍କ ଘର ଭିତରକୁ ପଶିଯାଇଥିଲା, ଯାହାଫଳରେ ଟ୍ରକ ମାଡିଯାଇ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହି ଘଟଣାକୁ ନେଇ ଗ୍ରାମବାସୀମାନେ ଢେ଼ଙ୍କନାଳ-କପିଳାସ ରାସ୍ତାକୁ ଭଗବାନପୁରଠାରେ ରାସ୍ତାରୋକ କରିଥିଲେ। ପରେ ତହସିଲଦାର ଓ ପୋଲିସ ପହଂଚି ବୁଝାଶୁଝା କରିଥିଲେ। ଉଭୟଙ୍କ ପରିବାରକୁ ରେଡକ୍ରସରୁ ୧୦ ହଜାର ଟଙ୍କା ସହାୟତା ଦିଆଯିବା ପରେ ରାସ୍ତାରୋକ ହଟିଥିଲା।

ସମ୍ବନ୍ଧିତ ଖବର