ଦୁର୍ଘଟଣାରେ ଯାଉଛି ରୋଜଗାରିଆ ପୁଅଙ୍କ ଜୀବନ; ମୃତକଙ୍କ ମଧ୍ୟରେ ୭୦% ଯୁବକ

ଭୁବନେଶ୍ବର : ୨୦୧୮ରେ ସମଗ୍ର ଭାରତରେ ସଡ଼କ ଦୁର୍ଘଟଣାରେ ୧.୫୨ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଛି। ପ୍ରତି ଘଣ୍ଟାରେ ଯାଉଛି ୧୭ଜଣଙ୍କ ଜୀବନ। ଗତ ଦଶନ୍ଧିରେ ଓଡ଼ିଶାରେ ୩୮ ହଜାର ୨୦୪ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ୨୦୧୮ରେ ସଡ଼କ ଦୁର୍ଘଟଣାରେ ଓଡ଼ିଶାରେ ୫୩୧୫ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟୂନ ପାଞ୍ଚ ହଜାର ଲୋକ ଗୁରୁତର ଆହତ ହୋଇଛନ୍ତି। ହେଲେ ଉଦ୍‌ବେଗର ବିଷୟ ହେଉଛି ଯେ ୨୦୧୪ ରୁ ୨୦୧୮ମଧ୍ୟରେ ଦୁର୍ଘଟଣାରେ ମୃତ୍ୟୁ ହାର ୩୫.୨ ପ୍ରତିଶତ ବଢ଼ିଛି। ଆଉ ୨୦୧୯ ବର୍ଷ ଆରମ୍ଭରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ରାଜ୍ୟରେ ୪୧୧୫ ଜଣଙ୍କର ମୃତ୍ୟୁ ହେଲାଣି।

ଆଜି ଲୋକସେବା ଭବନରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ସଡ଼କ ସୁରକ୍ଷା ପରିଷଦର ଦ୍ବିତୀୟ ବୈଠକରେ ଏଭଳି ଛାତି ଥରାଇ ଦେବା ଭଳି ପରିସଂଖ୍ୟାନ ସାମ୍ନାକୁ ଆସିଛି। ସରକାରୀ ଅଧିକାରୀମାନେ କିନ୍ତୁ ତଥାପି ଦାବି କରିଛନ୍ତି ଯେ କଡ଼ା ମୋଟର ଯାନ ଆଇନ ଯୋଗୁ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ୪.୫ପ୍ରତିଶତ ଦୁର୍ଘଟଣା କମିଛି। ଦୁର୍ଘଟଣାରେ ମୃତ୍ୟୁ ହାର ୧୨ ପ୍ରତିଶତ କମିଛି। ଯେତେବେଳେ କି ଉଚ୍ଚତମ ନ୍ୟାୟାଳୟ କମିଟି ନିର୍ଦେଶ ଦେଇଛନ୍ତି, ପ୍ରତ୍ୟେକ ରାଜ୍ୟ ୨୦୨୦ ସୁଦ୍ଧା ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ୨୦ ପ୍ରତିଶତ ହ୍ରାସ କରିବେ। ଯେଉଁ ଲକ୍ଷ୍ୟଠାରୁ ଏବେ ବି ଓଡ଼ିଶା ଢେର୍ ପଛରେ ରହିଛି।

jang.com.pk

ସେହିପରି ଜାତୀୟ ଚିତ୍ରକୁ ସାମ୍ନାକୁ ଆଣିଲେ, ଓଡ଼ିଶାରେ ଦୁର୍ଘଟଣା ପରବର୍ତୀ ସ୍ଥିତିରେ ଆବଶ୍ୟକ ଚିକିତ୍ସା ସେବା ତୁରନ୍ତ ଯୋଗାଇ ଦିଆଯାଇପାରୁନଥିବା ସଙ୍କେତ ମିଳୁଛି। ଖୋଦ ପରିବହନ ମନ୍ତ୍ରୀ କହିଛନ୍ତି ଯେ ରାସ୍ତା ଦୁର୍ଘଟଣାରେ ଆହତ ବ୍ୟକ୍ତିକୁ ଗୋଲଡେନ୍ ଆଵାରରେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯାଇ ପାରୁନାହିଁ। ଏଣୁ ସମଗ୍ର ଦେଶରେ ଦୁର୍ଘଟଣାରେ ପ୍ରତି ଶହେରେ ବତିଶ ଜଣଙ୍କ ମୃତ୍ୟୁ ଘଟୁଥିବା ବେଳେ ଓଡ଼ିଶାରେ ସତଚାଳିଶ ଜଣଙ୍କ ପ୍ରାଣହାନି ଘଟୁଛି। ଦୁର୍ଘଟଣାରେ ମୃତକଙ୍କ ମଧ୍ୟରୁ ସତୁରି ପ୍ରତିଶତ ହେଉଛନ୍ତି ଯୁବକ, ଯେଉଁମାନେ କି ପରିବାରର ରୋଜଗାରିଆ ବୋଲି କୁହାଯାଇପାରେ। ଆହୁରି ସାଂଘାତିକ ପରିସଂଖ୍ୟାନଟି ହେଉଛି, ଅନୁନ୍ନତ ତଥା ପଛୁଆ ଜିଲ୍ଲାଗୁଡ଼ିକ ସର୍ବାଧିକ ଦୁର୍ଘଟଣାପ୍ରବଣ। ରାଜ୍ୟର ସର୍ବାଧିକ ଦୁର୍ଘଟଣାପ୍ରବଣ ଜିଲ୍ଲା ମଧ୍ୟରେ ବୌଦ୍ଧ, ରାୟଗଡା, ସୋନପୁର, କନ୍ଧମାଳ, ଦେବଗଡ଼, ମାଲକାନଗିରି ପ୍ରଭୃତି ଜିଲ୍ଲା ରହିଛି। ଏସବୁ ଜିଲ୍ଲାରେ ପରିବହନ ବିଭାଗ ତନାଘନା କରୁନାହିଁ ବୋଲି ସରକାର ଆଜି କ୍ଷୋଭ ପ୍ରକାଶ କରିଛନ୍ତି।

ଗତବର୍ଷ ତୁଳନାରେ ୪.୫% ଦୁର୍ଘଟଣା କମିଛି
ସୁପ୍ରିମକୋର୍ଟଙ୍କ ଧାର୍ଯ୍ୟ ଲକ୍ଷ୍ୟଠାରୁ ବହୁ ପଛରେ
ଅନୁନ୍ନତ ଜିଲ୍ଲାରେ ଘଟୁଛି ଅଧିକ ସଡ଼କ ଦୁର୍ଘଟଣା
ଫୁଟପାଥରେ ଗାଡ଼ି ରଖି ଫାଇନ କାଟିପାରିବନି ପୁଲିସ

ଆଜି ବୈଠକ ପରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଗଣମାଧ୍ୟମକୁ କହିଛନ୍ତି ଯେ ନୂଆ ପରିବହନ ନୀତି ଓ ସଡ଼କ ସୁରକ୍ଷା ନେଇ ଆଲୋଚନା ହୋଇଛି। ନୂଆ ନିୟମ ଲାଗୁପରେ ଦୁର୍ଘଟଣା କମିଛି। ବର୍ତ୍ତମାନ ସୁଦ୍ଧା ଆଠ ହଜାର ମଦ୍ୟପ ଡ୍ରାଇଭର ଗିରଫ ହୋଇଛନ୍ତି। ପାଞ୍ଚ ଲକ୍ଷରୁ ଅଧିକ ଲୋକଙ୍କୁ ଡ୍ରାଇଭିଂ ଲାଇସେନ୍ସ ଦିଆଗଲାଣି। ଅନେକ ଲୋକ ଟ୍ରେନିଂ ନ ନେଇ ଗାଡ଼ି ଚଳାଉଥିବା ନଜରକୁ ଆସିଛି। ଉଭୟ ପୋଲିସ ଓ ପରିବହନ ବିଭାଗ ଫାଇନ ଆଦାୟ କରିପାରିବେ। ଜାତୀୟ ରାଜପଥରେ ପାଟ୍ରୋଲିଂ ବ୍ୟବସ୍ଥା ଓ ଗ୍ରାମାଞ୍ଚଳରେ କଡ଼ାକଡ଼ି ଯାଞ୍ଚ କରାଯିବ। ୩ ମାସ ଅବଧି ସରିଲା ପରେ ଗାଁ ଠାରୁ ସହର ପର୍ଯ୍ୟନ୍ତ ସବୁଠି ତନାଘନା ଆରମ୍ଭ ହେବ। ମାର୍ଚ ମାସ ସୁଦ୍ଧା ଜାତୀୟ ରାଜପଥର ସମସ୍ତ ବ୍ଲାକ୍‌ସ୍ପଟ୍‌ ଚିହ୍ନଟ କରାଯିବାକୁ ସ୍ଥିର ହୋଇଛି। ଏବେ ସୁଦ୍ଧା ପ୍ରାୟ ସାତ ସହ ପଚାଶ ଜଣଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ମନ୍ତ୍ରୀ କହିଛନ୍ତି। ମନ୍ତ୍ରୀ ଏକଥା ବି କହିଛନ୍ତି, ପୁଲିସ ନିଜେ ଫୁଟପାଥରେ ଗାଡ଼ି ରଖୁଛନ୍ତି। ଗାଡ଼ିରେ ବସି ଫାଇନ କାଟୁଛନ୍ତି। ସେମିତି ହୋଇପାରିବ ନାହିଁ। କେହି ନିଜ ଗାଡ଼ି ଫୁଟପାଥରେ ରଖି ଫାଇନ ଆଦାୟ କରିପାରିବେନି।

ପରିବହନ ବିଭାଗର ଶାସନ ସଚିବ ଜି ଶ୍ରୀନିବାସ କହିଛନ୍ତି ଯେ ବିଭାଗ ପକ୍ଷରୁ ୫ଟି ଦୁର୍ଘଟଣାପ୍ରବଣ ମୁଖ୍ୟ ରାସ୍ତା ଚିହ୍ନଟ ହୋଇଛି। ଏଗୁଡିକ ହେଲା, ଜଳେଶ୍ୱରରୁ ଇଚ୍ଛାପୁର, ଭୁବନେଶ୍ୱରରୁ ପୁରୀ, ସମ୍ବଲପୁରରୁ ସୋହେଲା, ସମ୍ବଲପୁରରୁ ରାଉରକେଲା ଓ ମଙ୍ଗୁଳିରୁ ସମ୍ବଲପୁର। ଏସବୁ ରାସ୍ତାରେ ପ୍ରାୟ ଦିନକୁ ୨୦୦ଟି ଦୁର୍ଘଟଣା ହେଉଛି। ପୁଲିସ ବିଭାଗକୁ ୧୦ କୋଟି ଟଙ୍କା ଦିଆଯାଇଛି। ସେମାନେ ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କୁ ନିଯୁକ୍ତି ଦେବେ। ପାଟ୍ରୋଲିଂ ବଢାଯିବ, ଅଧିକ ଆମ୍ବୁଲାନ୍ସ ନିୟୋଜିତ ହେବ।

ବହୁତ ରାସ୍ତା ଠିକ୍ ନାହିଁ। ଏସବୁ ରାସ୍ତାର ତୃତୀୟ ପକ୍ଷ ଅଡିଟ୍ ହେବ। କିଛି ସ୍ଥାନରେ ରାସ୍ତାରେ ଆଲୋକୀକରଣ କରାଯିବ। କମିସନରେଟ ପୁଲିସକୁ ମଧ୍ୟ ଅଧିକ କ୍ଷମତା ପ୍ରଦାନ କରାଯିବ। ଜାତୀୟ ରାଜପଥ ଯେଉଁ ରିପୋର୍ଟ ଦେଇଛନ୍ତି, ସେଥିରେ ୧୪୫୨ଟି ଜଙ୍କସନରେ ଭଲ କାମ ହୋଇଛି। କିଛି ସ୍ଥାନ ପାଇଁ ଆପତ୍ତି ବି ଆସିଛି। ସେ କ୍ଷେତ୍ରରେ ରାଜ୍ୟ ସଡ଼କ ପରିବହନ ଅଧିକାରୀ ଓ ଅନ୍ୟ ସଦସ୍ୟଙ୍କୁ ନେଇ ଟିମ୍ ଗଠନ କରାଯାଇ ଅନୁଧ୍ୟାନ କରାଯିବାକୁ ସ୍ଥିର ହୋଇଛି।

ଉଲ୍ଲେଖଯୋଗ୍ୟ ଯେ ଆଜିର ବୈଠକରେ ବିଭିନ୍ନ ଇଞ୍ଜିନିୟରିଂ ବିଭାଗ, ପୁଲିସ, ପରିବହନ, ସ୍ବାସ୍ଥ୍ୟ, ଶିକ୍ଷା ଆଦି ମଧ୍ୟରେ ସମନ୍ବୟ ନେଇ ଗୁରୁତ୍ବାରୋପ କରାଯାଇଥିଲା। ବୈଠକରେ ରାଜ୍ୟ ସରକାରଙ୍କର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର