ଟାର୍ଗେଟ୍ ଜରିମାନା ଆଦାୟ ନକଲେ ଚାକିରି ଉପରେ ଆଞ୍ଚ୍‌

୭ ବର୍ଷରେ ଦୁର୍ଘଟଣାଜନିତ ମୃତ୍ୟୁ ୨୯% ବଢ଼ିଛି

ଗତ ବର୍ଷ ତୁଳନାରେ ଜାନୁଆରି-ଫେବ୍ରୁଆରିରେ ଦୁର୍ଘଟଣା ମୃତ୍ୟୁ କମିଛି

ଭୁବନେଶ୍ବର : ରାଜ୍ୟରେ ଦୁର୍ଘଟଣା ଜନିତ ମୃତ୍ୟୁ ବଢ଼ି ଚାଲିଥିବାବେ‌ଳେ ଏହା ଉପରେ ରୋକ୍‌ ଲଗାଇବା ପାଇଁ ରାଜ୍ୟ ସରକାର ଜରିମାନା ଆଦାୟ ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ବଢ଼ୁଥିବ‌ା ପିରପ୍ରେକ୍ଷୀରେ ଏନେଇ ଆବଶ୍ୟକୀୟ ଭିତ୍ତିଭୂମି ପ୍ରସ୍ତୁତ କରିବା, ଭଲ ରାସ୍ତା ନିର୍ମାଣ କରିବା, ସୁରକ୍ଷିତ ଡ୍ରାଇଭିଂ ପାଇଁ ସଚେତନତା ସୃଷ୍ଟି କରିବା, ପ୍ରମୁଖ ରାସ୍ତାଗୁଡ଼ିକରେ ଡିଭାଇଡର ନିର୍ମାଣ କରିବା, ଟ୍ରାଫିକ ବ୍ୟବସ୍ଥା‌ ସଜାଡ଼ିବା, ଦୁର୍ଘଟଣାପ୍ରବଣ ଅଞ୍ଚଳରେ ଟ୍ରାଫିକ୍‌ ପୁଲିସ ମୁତୟନ କରିବା ବଦଳରେ ଜରିମାନା ଆଦାୟକୁ ସରକାର ଗୁରୁତ୍ବ ଦେଇଛନ୍ତି। ଏପରିକି ଆରଟିଓ କାର୍ଯ୍ୟାଳୟରେ ଥିବା ଏନଫୋର୍ସମେଣ୍ଟ ଅଧିକାରୀଙ୍କୁ ଏନେଇ ଟାର୍ଗେଟ ଧରାଇ ଦିଆଯାଇଛି। ପ୍ରତି ମାସରେ ଉକ୍ତ ଅଧିକାରୀ କେତେ ଜରିମାନା ଆଦାୟ କଲେ ସମୀକ୍ଷା ହେବ। ଯେଉଁ ଅଧିକାରୀ ଟାର୍ଗେଟ୍ ଜରିମାନା ଆଦାୟ କରିପାରିବେନି ତାଙ୍କ ବାର୍ଷିକ ପ୍ରଦର୍ଶନ ପ୍ରଶଂସା ରିପୋର୍ଟ (ପିଏଆର୍‌)ରେ ଏନେଇ ଲେଖାଯିବ ବୋଲି ଏକପ୍ରକାରର ଧମକ ଦିଆଯାଇଛି। ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ସମସ୍ତ ଉପ ଆୟୁକ୍ତ ଏବଂ ଆର୍‌ଟିଓମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସଚିବଙ୍କ ଏହି ଚିଠି ପରେ ଏବେ ବାବୁମାନେ ନିଜ ଚାକିରି ବଞ୍ଚାଇବାକୁ ଯେନତେନ ଉପାୟରେ ଟାର୍ଗେଟ୍ ପୂରଣ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ଏପରିକି ରାସ୍ତାରେ ଯିଏ ଗାଡ଼ି ଚଲାଇ ଯାଉଛନ୍ତି ତାଙ୍କର ସବୁ କାଗଜପତ୍ର ଠିକ୍‌ ଥିଲେ ବି ତାଙ୍କ ଠାରୁ କେମିତି ଜରିମାନା ଆଦାୟ ହେବ ସେ ବାଟ ଏବେ ଖୋଜୁଛନ୍ତି।

ସଚିବ ତାଙ୍କ ଚିଠିରେ ଲେଖିଛନ୍ତି ଯେ, ୨୦୧୪ରେ ଦୁର୍ଘଟଣା ଜନିତ ମୃତ୍ୟୁ ୩୯୩୧ ଥିଲା। ୨୦୨୧ରେ ୫୦୮୧ଜଣଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ୭ବର୍ଷରେ ୨୯% ଦୁର୍ଘଟଣାଜନିତ ମୃତ୍ୟୁ ବଢ଼ିଛି। ପ୍ରତିବର୍ଷ ଏହା ବଢ଼ୁଥିବା‌ରୁ ଏନେଇ ସୁପ୍ରିମକୋର୍ଟ ସଡ଼କ ସୁରକ୍ଷା କମିଟିର ଅଧ୍ୟକ୍ଷ ଚିନ୍ତା ପ୍ରକଟ କରିଛନ୍ତି। ଯେଉଁମାନେ ମୋଟର ଯାନ ଆଇନର ଉଲ୍ଲଂଘନ କରୁଛନ୍ତି ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି।

ସୁପ୍ରିମକୋର୍ଟ କମିଟି ଜରିମାନା ଆଦାୟକୁ ଜୋର ଦେଉଥିବା ବେଳେ ରାଜସ୍ବ ବଢ଼ାଇବା ପାଇଁ ରାଜ୍ୟ ସରକାରଙ୍କ ଅଧିକାରୀମାନେ ଏହାକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ‌ଦେଉଛନ୍ତି। ହେଲେ ସୁପ୍ରିମକୋର୍ଟ କମିଟି ଦୁର୍ଘଟଣା ଯେପରି ନହେବ, ଦୁର୍ଘଟଣା ହେଲେ ଆହତଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରିବା, ହସ୍ପିଟାଲଗୁଡ଼ିକରେ କ’ଣ ଭିତ୍ତିଭୂମି ରହିବ, ଯେପରି ବିପଦସଙ୍କୁଳ ରାସ୍ତା ନରହିବ ସେଥିପାଇଁ କ’ଣ କରିବାକୁ ପଡ଼ିବ, ଦୁର୍ଘଟଣା କମ୍‌ ହେବା ପାଇଁ ଯେଉଁ ଯେଉଁ ଭିତ୍ତିଭୂମି ଦରକାର ସେନେଇ ସୁପ୍ରିମକୋର୍ଟ କମିଟି ବାରମ୍ବାର କହିବା ପରେ ବି ରାଜ୍ୟ ସରକାର ଏହାକୁ କାର୍ଯ୍ୟକାରୀ କରୁନାହାନ୍ତି। କିନ୍ତୁ ସହଜ ବାଟ ଆପଣାଇ ଲୋକଙ୍କ ଠାରୁ ଜରିମାନା ଆଦାୟ କରିବାକୁ ଟାର୍ଗେଟ୍ ଧରାଇଦେଉଛନ୍ତି।
ଯେଉଁମାନେ ଦ୍ରୁତଗତିରେ ଗାଡ଼ି ଚଲାଉଥିବେ, ମଦ ପିଇ ଗାଡ଼ି ଚଳାଉଥିବେ, ଗାଡ଼ି ଚଳାଇବାବେଳେ ମୋବାଇଲ୍ ଫୋନ୍‌ ବ୍ୟବହାର କରୁଥିବେ, ଓଭରଲୋଡ୍‌, ରଙ୍ଗସାଇଡ୍‌ରେ ଗାଡ଼ି ଚଳାଉଥିବେ ସେମାନଙ୍କ ଠାରୁ ଜରିମାନା ଆଦାୟ କରିବାକୁ କୁହାଯାଇଛି। ଏହାର ଫାଇଦା ନେଇ ଆର୍‌ଟିଓ ଅଧିକାରୀମାନେ ଗାଡ଼ି ଚାଳକ ଗୋଟିଏ ତ୍ରୁଟି କଲେ ତିନିରୁ ଚାରିଟି ଭୁଲ୍‌ ପାଇଁ ଜରିମାନା କଷି ଦେଉଛନ୍ତି। ଯେଉଁ ଭୁଲ୍‌ ପାଇଁ ୨ହଜାର ଟଙ୍କା ଜରିମାନା ଅଛି ସେଥିରେ ଆଉ ଦୁଇ ତିନିଟି ଭୁଲ୍‌ ଲଦି ୭ରୁ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା କରୁଛନ୍ତି। ଟାର୍ଗେଟ୍ ପୂରଣ କରିବାକୁ ବାବୁମାନେ ଅଧିକ ଜରିମାନା କାଟି ଦେଉଥିବାବେଳେ ସାଧାରଣ ଲୋକ ହଇରାଣ ହେଉଛନ୍ତି।

ଅପରପକ୍ଷେ ଗତବର୍ଷ ଜାନୁଆରି ଓ ଫେବ୍ରୁଆରି ମାସରେ ଯେତିକି ଦୁର୍ଘଟଣା ହୋଇଥିଲା ଚଳିତ ବର୍ଷ ତା’ଠାରୁ ୧୫.୩୪% କମ୍‌ ଏବଂ ଦୁର୍ଘଟଣା ଜନିତ ମୃତ୍ୟୁ ୧୦.୩୩% କମ୍‌ ହୋଇଛି। ପରିବହନ ବିଭାଗର ସୂଚନା ଅନୁଯାୟୀ, ଜାନୁଆରି, ୨୦୨୧ରେ ୧୧୦୪ଟି ଦୁର୍ଘଟଣାରେ ୪୯୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜାନୁଆରି, ୨୦୨୨ରେ ୯୬୧ଟି ଦୁର୍ଘଟଣାରେ ୪୫୬ଜଣଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣା ୧୨.୯୫% ଏବଂ ମୃତ୍ୟୁ ୭.୩୨% କମିଛି। ଫେବ୍ରୁଆରି, ୨୦୨୧ରେ ୧୦୨୭ଟି ଦୁର୍ଘଟଣାରେ ୪୬୬ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଫେବ୍ରୁଆରି, ୨୦୨୨ରେ ୮୪୩ଟି ଦୁର୍ଘଟଣାରେ ୪୦୩ ଜଣଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣା ୧୭.୯୨% କମିଥିବାବେଳେ ମୃତ୍ୟୁ ୧୩.୫୨% କମିଛି।

ସମ୍ବନ୍ଧିତ ଖବର