ସୁନ୍ଦରଗଡ଼: ରବିବାର ଅପରାହ୍ନ ୨ଟାରେ ହେମଗିର ଥାନା ଗର୍ଜନବାହାଲ ବିଦ୍ୟୁତ ସବଷ୍ଟେସନ ନିକଟରେ ଏକ କୋଇଲା ବୋଝେଇ ଡିପିଏସ କମ୍ପାନିର ହାଇୱା (୧୬ଡି ୭୦୫୬) ଧକ୍କାରେ ଜଣେ ବାଇକ ଆରୋହୀଙ୍କ ଶୋଚନୀୟ ମୃତ୍ୟୁ ହୋଇଥିଲା। ମୃତକ ଡୁଡୁକାର ଅଜୟ ଭୋଏ (୩୫)। ଗାଡ଼ିଟି କୁଲଡା ଖଣିରୁ କୋଇଲା ନେଇ କନିକା ସାଇଡିଂକୁ ଯାଉଥିବା ବେଳେ ଅଜୟ ବାଇକ ଯୋଗେ ଗର୍ଜନବାହାଲ ପଟୁ ଡୁଡୁକାକୁ ଆସୁଥିବା ବେଳେ ହାଇୱା ଧକ୍କା ଦେଇଥିଲା। ଯୁବକଙ୍କ ମୃତ୍ୟୁ ଖବର ପାଇବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରିବାର ଓ ଗାଁ ଲୋକେ ଘଟଣାସ୍ଥଳକୁ ଆସି ଶବକୁ ରଖି ରାସ୍ତାରୋକ କରିଥିଲେ। ବେପରୱା ଗାଡ଼ି ଚାଳନା ଯୋଗୁ ଅଜୟଙ୍କ ମୃତ୍ୟୁ ହୋଇଥିବା ଓ ତାଙ୍କ ପତ୍ନୀ, ଦୁଇ କୁନି ସନ୍ତାନ ଅସହାୟ ହୋଇଯାଇଥିବାରୁ ସେମାନଙ୍କୁ ୨୫ ଲକ୍ଷ କ୍ଷତିପୂରଣ ଓ ଚାକିରି ଦାବି କରିଥିଲେ। ପୂର୍ବତନ ବିଧାୟକ ତଥା ବିଜେଡି ନେତା ଯୋଗେଶ କୁମାର ସିଂ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ସମର୍ଥନ କରି କ୍ଷତିପୂରଣ ଦାବି କରିଥିଲେ। ଏହା ପରେ ଶ୍ରୀ ସିଂ, ହେମଗିର ଥାନାଧିକାରୀ ଜଗଦୀଶ ବାରା, ବଲିଙ୍ଗା ଫାଣ୍ଡି ଅଧିକାରୀ ଚିତ୍ରଗୁପ୍ତ ଚମ୍ପିଆ, ଡୁଡୁକା ସରପଞ୍ଚ ଜୟକୃଷ୍ଣ ମାଝୀଙ୍କ ଉପସ୍ଥିତିରେ ଡିପିଏସ କମ୍ପାନିର ଅଧିକାରୀ ମନୋଜ ରାଉଳ ଆଲୋଚନା କରି ୩ ଲକ୍ଷ ଟଙ୍କା କ୍ଷତିପୂରଣ ଓ ମୃତକଙ୍କ ପତ୍ନୀ ରଶ୍ମିତା ଭୋଏଙ୍କୁ ଡୁଲିଙ୍ଗା ସୈନିକ ମାଇନ୍ସରେ ଚାକିରି ଦେବାକୁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ଏହା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା।
କୋଇଲା ବୋଝେଇ ଟ୍ରକ ଧକ୍କାରେ ଯୁବକ ମୃତ; ରାସ୍ତାରୋକ ପରେ ୩ ଲକ୍ଷ କ୍ଷତିପୂରଣ ଓ ମୃତକଙ୍କ ପତ୍ନୀଙ୍କୁ ଚାକିରି ପ୍ରତିଶ୍ରୁତି
/sambad/media/post_attachments/wp-content/uploads/2023/09/14e929ed-a081-42f7-a697-a7f3acfd8a6b.jpeg)