ରାୟଗଡ଼ା: ପିଲାଙ୍କ କଳିରୁ ଆରମ୍ଭ ହୋଇଥିବା ବଚସା ଗୋଷ୍ଠୀ ସଂଘର୍ଷରେ ପରିଣତ ହୋଇଛି। ଜେକେପୁର ନୂଆସାହି ଓ ଦେବଦଳା ଗ୍ରାମବାସୀ ମୁହାଁମୁହିଁ ହେବା ପରେ ପରିସ୍ଥିତି ଅଣାୟତ୍ତ ହୋଇଛି। ଆକ୍ରମଣରେ ଉଭୟ ଗ୍ରାମର ୭ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି। ଦୁଇ ଗୁରୁତରଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ନ୍ୟାୟ ଦାବିରେ ଦେବଦଳାବାସୀ ୩୨୬ ନଂ ଜାତୀୟ ରାଜପଥ ଅବରୋଧ ସହ ଚାନ୍ଦିଲି ଥାନା ଘେରାଉ କରିଛନ୍ତି। ଅତିରିକ୍ତ ଏସପି ରାମପ୍ରସାଦ ସାହୁ ଜେକେପୁରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିବାବେଳେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୨ ଡିଏସପି, ୨ ଥାନା ଅଧିକାରୀଙ୍କ ସମେତ ୨ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। ସାମାନ୍ୟ ବଚସା ତଥା ଛୋଟ ପିଲାଙ୍କ ଝଗଡାକୁ କେନ୍ଦ୍ର କରି ରବିବାର ରାତିରେ ଦେବଦଳା ଓ ଚାନ୍ଦିଲିର କିଛି ଯୁବକ ନୂଆପଡ଼ାକୁ ଯାଇ ଘଟଣା ସଂପର୍କରେ ପଚାରି ବୁଝିଥିଲେ।

Advertisment

ଏହି ସମୟରେ ନୂଆପଡ଼ାବାସୀ ଅତର୍କିତ ଆକ୍ରମଣ କରିଥିଲେ। ଆକ୍ରମଣରେ ୭ ଜଣ ଆହତ ହେବା ପରେ ରକ୍ତାକ୍ତ ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳେ ଘଟଣାର ପ୍ରତିହିଂସା ସ୍ୱରୂପ ଦେବଦଳା, ଚାନ୍ଦିଲି ସମେତ ନିକଟସ୍ଥ ଅନ୍ୟ ଗାଁର ୨ଶହରୁ ଉର୍ଦ୍ଧ୍ବ ଯୁବକ ମିଳିତ ଭାବେ ନୂଆପଡାକୁ ଯାଇ ଆକ୍ରମଣ କରିଥିଲେ। ଭୟରେ ନୂଆପଡା ପୁରୁଷଶୂନ୍ୟ ହୋଇ ପଡିଥିବାବେଳେ କିଛି ଲୋକଙ୍କ ଘର ଭଙ୍ଗାରୁଜା ହୋଇଛି। ଏହା ପରେ ଦେବଦଳା ଗ୍ରାମବାସୀ ଚାନ୍ଦିଲି ଥାନା ଘେରାଉ କରି ତୁରନ୍ତ ନୂଆପଡା ଗ୍ରାମର ଆକ୍ରମଣକାରୀଙ୍କୁ ଗିରଫ କରିବା ପାଇଁ ଦାବି କରିଥିଲେ। ନ୍ୟାୟ ପ୍ରଦାନ ବଦଳରେ ଆନ୍ଦୋଳନକାରୀଙ୍କୁ ପୁଲିସ୍ ଲାଠିମାଡ଼ କରିବା ଅଭିଯୋଗରେ ଦେବଦଳାବାସୀ ୩୨୬ ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ।

publive-image

ପୁଲିସ୍ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରି ରାଜପଥ ଅବରୋଧ ହଟାଇବା ପରେ ଥାନାରେ ଆଲୋଚନା ହୋଇଥିଲା। ସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ଅତିରିକ୍ତ ଏସପି ରାମପ୍ରସାଦ ସାହୁ ଶାନ୍ତି କମିଟି ଗଠନ କରିଛନ୍ତି। ନୂଆସାହି, ଚାନ୍ଦିଲି, ଦେବଦଳା ଗ୍ରାମରେ ବ୍ୟାପକ ପୁଲିସ୍ ମୁତୟନ ସହ ପୂରା ଅଞ୍ଚଳ ଉପରେ ପୁଲିସ୍ ତୀକ୍ଷଣ୍ ନଜର ରଖିଛି। ଯେକୌଣସି ପରିସ୍ଥିତିରେ ପରିସ୍ଥିତି ଅଣାୟତ୍ତ ହେବାର ସମ୍ଭାବନା ଥିବାରୁ ଗ୍ରାମବାସୀ-ଲୋକ ପ୍ରତିନିଧି-ବୁଦ୍ଧିଜୀବୀଙ୍କ ଜରିଆରେ ମାମଲାର ସମାଧାନ ପାଇଁ ପୁଲିସ୍ ଉଦ୍ୟମ ଜାରି ରଖିଛି। ଡିଏସ୍ପି ସୁଶାନ୍ତ କୁମାର ତାଉଡିଆ, ଉଲ୍ଲାସ ମାଝି, ରାୟଗଡ଼ା ଏସ୍ଡିପିଓ ଦିବ୍ୟଜ୍ୟୋତି ଦାଶ, ଚାନ୍ଦିଲି ଥାନା ଅଧିକାରୀ ସୀମା ପ୍ରଧାନ, ରାୟଗଡ଼ା ଥାନା ଅଧିକାରୀ ରଶ୍ମିରଂଜନ ପ୍ରଧାନ ଏବଂ ଅନ୍ୟ ପୁଲିସ ଅଧିକାରୀ ଜେକେପୁରରେ ଉପସ୍ଥିତ ରହି ସ୍ଥିତି ଉପରେ ନଜର ରଖିଛନ୍ତି।