ପାଟଣାଗଡ଼ ବଣିକ ସଂଘ ପକ୍ଷରୁ ରାସ୍ତାରୋକ

ପାଟଣାଗଡ଼/ଲରମ୍ଭା : ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ହୋଇଥିବା ରାସ୍ତା ମରାମତି ଯୋଗୁଁ ଏବେ ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ କରିଛି ପାଟଣାଗଡ଼ ବଣିକ ସଂଘ। ଏଥିପାଇଁ ଶନିବାର ଅପରାହ୍‌ଣ ୪ଟାରେ ହଠାତ୍‌ ରାସ୍ତାରୋକ କରାଯାଇଥିଲା। ପାଟଣାଗଡ଼- ବଲାଙ୍ଗୀର ୪୨ ନମ୍ବର ରାଜ୍ୟ ରାଜପଥକୁ ରାମଜୀ ଛକଠାରେ ଅବରୋଧ କରାଯାଇଥିଲା।

ପ୍ରକାଶ ଯେ, ଗତ ୨୨ ତାରିଖ ଦିନ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ ପାଇଁ ମୁଖ୍ୟମନ୍ତ୍ରୀ ପାଟଣାଗଡ଼ ଆସିଥିଲେ। ଗସ୍ତ ପୂର୍ବରୁ ସ୍ଥାନୀୟ ଏନ୍‌ଏସି ତରଫରୁ ସହରର ମୁଖ୍ୟ ରାସ୍ତା ସହିତ କଲେଜ ଛକଠାରୁ ପୂର୍ତ୍ତ ବିଭାଗ ବଙ୍ଗଳା ପର୍ଯ୍ୟନ୍ତ ଖାଲ ଢିପ ରାସ୍ତାରେ ପଥର ଗୁଣ୍ତ ସହ ଚିପ୍‌ସ ଦେଇ ସମତଳ କରାଯାଇଥିଲା। ଏବେ ସେହି ପଥରଗୁଣ୍ତ ଶୁଖି ଯାଇଥିବାରୁ ଧୂଳି ଉଡ଼ୁଛି। ପୁଣି ବିଛାଯାଇଥିବା ଚିପସ୍‌ ଛଟିକି ରାସ୍ତାରେ ଯାଉଥିବା ଲୋକଙ୍କ ଦେହରେ ବାଜିବା ସହ ଦୋକାନ ଭିତରକୁ ଛିଟକି ଯାଉଛି। ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାର ପ୍ରତିବାଦରେ ବଣିକ ସଂଘ କର୍ମକର୍ତାମାନେ ରାସ୍ତାରୋକ କରିଥିଲେ।

ଦେଢ଼ଘଣ୍ଟା ପରେ ଅତିରିକ୍ତ ଉପଜିଲ୍ଲାପାଳ କ୍ଷୀରୋଦ୍ର ମିଶ୍ର ଓ ପୂର୍ତ୍ତ ନିର୍ବାହୀ ଯନ୍ତ୍ରୀ ଅରୁଣ ଟେଟେ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ପରେ ଶ୍ରୀ ଟେଟେ ଶନିବାର ରାତିରେ ମୁଖ୍ୟ ରାସ୍ତାରେ ପଡ଼ିଥିବା ଚିପ୍‌ସ ହଟାଇ ଦେବା ସହ ଆସନ୍ତା ମଙ୍ଗଳବାର ଦିନ ରାସ୍ତାକାମ ଆରମ୍ଭ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ପଥରଗୁଣ୍ତ ଓ ଚିପସ୍‌ ବିଛାଇବା କାମ ଏନ୍‌ଏସି ତରଫରୁ କରାଯାଇଥିବାରୁ ଆନ୍ଦୋଳନକାରୀମାନେ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସୁକାନ୍ତ ବେଉରାଙ୍କୁ ଘଟଣାସ୍ଥଳକୁ ଡାକିବାକୁ ଅତିରିକ୍ତ ଉପଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ସେ ଘଟଣାସ୍ଥଳକୁ ଆସି ନଥିଲେ। ପରେ ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀ ସାହୁଙ୍କ ଅନୁରୋଧକ୍ରମେ ଆନ୍ଦୋଳନକାରୀମାନେ ରାସ୍ତାରୋକ ପ୍ରତ୍ୟାହାର କରିଥିଲେ।

ସମ୍ବନ୍ଧିତ ଖବର