ଦଶରଥପୁର: ଭଉଣୀ ବାହାଘରରେ ଯୋଗଦେଇ କୁଆଖିଆସ୍ଥିତ (ମଧୁବନ) ଶାଶୂଘରକୁ ଫେରୁଥିବା ଜଣେ ମହିଳାଙ୍କର ଟ୍ରକ୍ ଧକ୍କାରେ ମୃତ୍ୟୁ ହୋଇଛି। ମୃତ ମହିଳା କୁଆଖିଆ ଥାନା ଅନ୍ତର୍ଗତ କୃଷ୍ଣପଡ଼ା ଗ୍ରାମର ସ୍ବର୍ଗତ ଅରୁଣ କୁମାର ପରିଡ଼ାଙ୍କ ପତ୍ନୀ ବିଷ୍ଣୁପ୍ରିୟା(୩୬)। ସୂଚନା ମୁତାବକ, କୃଷ୍ଣପଡ଼ା ଗ୍ରାମର ସ୍ବର୍ଗତ ଅରୁଣଙ୍କ ପତ୍ନୀ ତଥା ଦଶରଥପୁର ବ୍ଲକ୍ ଅସନପୁର ପଞ୍ଚାୟତ ନରେନ୍ଦ୍ରପୁର ଗ୍ରାମର ଶିବପ୍ରସାଦ ସୂତାରଙ୍କ ଝିଅ ବିଷ୍ଣୁପ୍ରିୟା ଦାଦା ଝିଅ ବାହାଘର ପାଇଁ ବାପଘରକୁ ଆସିଥିଲେ। ଆଜି ସକାଳ ୮ଟା ବେଳେ ଭଣଜା ବାଇକ୍ରେ ବସି ଶାଶୂଘରକୁ ଫେରୁଥିଲେ।
ରାମବାଗ-ଛତ୍ରପଡ଼ା ରାସ୍ତାର ମନ୍ଦାରଖଣ୍ଡ ନିକଟ କାର୍ତ୍ତିକେଶ୍ୱର ଛକ ପାଖରେ ଦ୍ରୁତ ଗତିରେ ଆସୁଥିବା ଓଡି-୦୪ବି-୭୪୩୧ ନମ୍ବର ଟ୍ରକ୍ ସେମାନଙ୍କ ବାଇକ୍କୁ ଧକ୍କା ଦେଇଥିଲା। ଫଳରେ ବିଷ୍ଣୁପ୍ରିୟା ରାସ୍ତାକୁ ଛିଟିକି ପଡ଼ିଥିଲେ। ଗୁରୁତର ବିଷ୍ଣୁପ୍ରିୟାଙ୍କୁ ସ୍ଥାନୀୟ ଲୋକେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ପରିବାର ଓ ସ୍ଥାନୀୟ ଲୋକେ ବିଷ୍ଣୁପ୍ରିୟାଙ୍କ ଶବକୁ ନେଇ ଦୁର୍ଘଟଣା ଘଟିଥିବା ମନ୍ଦାରଖଣ୍ଡ ଛକରେ ରଖି କ୍ଷତିପୂରଣ ଦାବିରେ ରାମବାଗ-ଛତ୍ରପଡ଼ା ମୁଖ୍ୟରାସ୍ତାକୁ ୨ ଘଣ୍ଟା ଧରି ବନ୍ଦ ରଖିଥିଲେ। ଦଶରଥପୁର ପୁଲିସ୍ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରି ରାସ୍ତାରୋକ ହଟାଇବା ସହିତ ଦୁର୍ଘଟଣା ଘଟାଇଥିବା ଟ୍ରକ୍ ମାଲିକଙ୍କ ଠାରୁ ବିଷ୍ଣୁପ୍ରିୟାଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଟ୍ରକ୍ ମାଲିକ ଶବ ସତ୍କାର ପାଇଁ ୧୫ ହଜାର ଟଙ୍କା ଦେଇଥିବା ବେଳେ ଅବଶିଷ୍ଟ ୩୫ ହଜାର ଟଙ୍କା ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଦୁର୍ଘଟଣା ଘଟାଇଥିବା ଟ୍ରକ୍ର ଚାଳକକୁ ଦଶରଥପୁର ପୁଲିସ୍ ଗିରଫ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/a6085814-f65b-4e69-95bb-266b77f9dd9b.jpg)