ହରିଚନ୍ଦନପୁର: ଖରାଦିନ ଆରମ୍ଭ ନହେଉଣୁ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ରାସୋଳ ପଞ୍ଚାୟତର ବ୍ରାହ୍ମଣୀପାଳ ଓ ତେନ୍ତୁଳିପାଳ ଗ୍ରାମରେ ପାନୀୟଜଳ ସଂକଟ ଦେଖାଦେଇଛି। ୯ମାସ ହେଲା ପାଇପ୍ଯୋଗେ ପାନୀୟଜଳ ଯୋଗାଣରେ ସମସ୍ୟା ଯୋଗୁଁ ଗ୍ରାମବାସୀ ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଉଭୟ ଗ୍ରାମର ଶତାଧିକ ଗ୍ରାମବାସୀ ଆଜି ବ୍ରାହ୍ମଣୀପାଳ ଥାନା ନିକଟରେ ବ୍ରାହ୍ମଣୀପାଳ-ଦୈତାରୀ ରାସ୍ତା ଅବରୋଧ କରିଛନ୍ତି। ଲୋକେ ଗରାମାଠିଆ ଧରି ରାସ୍ତାରେ ବସି ରହିବାରୁ ଅଢେଇ ଘଣ୍ଟା ଧରି ଗାଡ଼ିମୋଟର ଚଳାଚଳ ଠପ୍ ହୋଇଯାଇଥିଲା। ରାସ୍ତାର ଉଭୟ ପାର୍ଶ୍ଵରେ ଶତାଧିକ ଗାଡ଼ି ଅଟକି ରହିଥିଲା।
‘ବସୁଧା’ ଯୋଜନାରେ ପାନୀୟଜଳ ପ୍ରକଳ୍ପ ନିର୍ମାଣ କରାଯାଇ ଉଭୟ ଗ୍ରାମକୁ ପାଇପ୍ ଯୋଗେ ପାନୀୟଜଳ ଯୋଗାଣ କରାଯାଉଛି। କିନ୍ତୁ ୯ ମାସ ହେଲା ଜଳ ଯୋଗାଣ ସଠିକ୍ ଭାବେ ହେଉନାହିଁ। କେଉଁଦିନ ଅଳ୍ପ ସମୟ ପାଇଁ ପାଣି ଅସୁଛି ତ ଆଉ କେଉଁଦିନ ଆଦୌ ପାଣି ଆସୁନାହିଁ। ନିୟମିତ ପାନୀୟଜଳ ଯୋଗାଣ ପାଇଁ ଗ୍ରାମର ଦୁଲାରୀ ମାଝୀ, କୁନି ସୋରେନ, ଲସ ଟୁଡ଼ୁ, ସୀତା ସଏ, ସପାନୀ ମହାନ୍ତ, ସନ୍ତୋଷୀ ପାତ୍ର ପ୍ରମୁଖ ୮ ମାସ ତଳେ ହରିଚନ୍ଦନପୁର ଆସି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିକୁ ଆସି ଅଭିଯୋଗ କରିଥିଲେ। ତୁରନ୍ତ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ମିଳିଥିଲା। କିନ୍ତୁ ସମସ୍ୟାର ସମାଧାନ ନହେବାରୁ ଆଜି ଉଭୟ ଗ୍ରାମର ଲୋକେ ରାସ୍ତା ଅବରୋଧ କରିଥିଲେ। ଥାନା ଅଧିକାରୀ ତୁଳସୀ ମଞ୍ଜରୀ ଭୂୟାଁ ପଞ୍ଚାୟତର ସରପଞ୍ଚ ଓ ଅନ୍ୟ ଅଧିକାରୀଙ୍କ ସହ କଥାବାର୍ତ୍ତା ହୋଇ ପାନୀୟଜଳ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା। ଆସନ୍ତାକାଲି ସୁଦ୍ଧା ସମସ୍ୟାର ସମାଧାନ ନହେଲେ ପୁଣି ରାସ୍ତା ଅବରୋଧ କରାଯିବ ବୋଲି ମହିଳାମାନେ ଚେତାବନୀ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/24-2.jpg)