ବେଲଗୁଣ୍ଠା: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସ୍ବତନ୍ତ୍ର ଉପକାରାଗାରରେ ଗତକାଲି ବିଚାରାଧୀନ କଏଦୀ ଚରଣ ବେହେରା (୪୦)ଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଥିଲା। କିନ୍ତୁ ଜେଲ୍ ଭିତରେ ଚରଣଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ଆଣି କ୍ଷତିପୂରଣ ଓ ନ୍ୟାୟ ପ୍ରଦାନ ଦାବିରେ ଗ୍ରାମବାସୀ ଏବଂ ପରିବାରବର୍ଗ ଗତକାଲି ସନ୍ଧ୍ୟା ୫ଟାରୁ ତନରଡ଼ା ଗ୍ରାମରେ ଭଞ୍ଜନଗର-ଭୁବନେଶ୍ବର ମୁଖ୍ୟରାସ୍ତାକୁ ଅବରୋଧ କରିଥିଲେ। ଶବ ରଖି ରାସ୍ତାରୋକ କରିବାରୁ ଉଭୟ ପାର୍ଶ୍ବରେ ଶତାଧିକ ଯାନବାହନ ଅଟକି ରହିଥିଲା। ପୁଲିସ ବିଭାଗ ଓ ପ୍ରଶାସନ ପକ୍ଷରୁ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରାଯାଇଥିଲେ ହେଁ, କୌଣସି ସୁଫଳ ମିଳି ନଥିଲା। ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ସମେତ ମୃତ ଚରଣଙ୍କ ଜଣେ ପରିବାର ସଦସ୍ୟଙ୍କୁ ସରକାରୀ ଚାକିରି ପ୍ରଦାନ ଏବଂ ତାଙ୍କ ପୁଅଝିଅଙ୍କୁ ଥଇଥାନ ଜିଦ୍ରେ ଅଟଳ ରହି ଆନ୍ଦୋଳନ ଜାରି ରଖିବାରୁ ଅଚଳାବସ୍ଥା ଦେଖାଦେଇଥିଲା।
ତେବେ ପ୍ରଶାସନ ପକ୍ଷରୁ ପୁଣି ଥରେ ବୁଝାସୁଝା କରାଯିବା ସହ ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ମିଳିବା ପରେ ୧୦ ଘଣ୍ଟା ପରେ ତଥା ବିଳମ୍ବିତ ରାତି ପ୍ରାୟ ସାଢ଼େ ୨ଟାରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିଲା। ଆଉ ଚରଣଙ୍କ ଶବକୁ ଅନ୍ତିମ ସତ୍କାର କରାଯାଇଥିଲା। ସେହିପରି ପ୍ରଶାସନ ପକ୍ଷରୁ ମୃତକଙ୍କ ପରିବାରକୁ ୩୦ ହଜାର ଟଙ୍କା ଓ ସ୍ଥାନୀୟବାସିନ୍ଦା ମିଳିତ ଭାବେ ୨୦ ହଜାର ଟଙ୍କା ସହାୟତାରାଶି ପ୍ରଦାନ କରିଥିଲେ। ରାସ୍ତାରୋକ ହଟିବା ପରେ ଶତାଧିକ ଯାନବାହନ ଗନ୍ତବ୍ୟସ୍ଥଳ ଅଭିମୁଖେ ବାହାରିଥିଲେ। ସମ୍ଭାବ୍ୟ ପରିସ୍ଥିତିକୁ ନଜରରେ ରଖି ବେଲଗୁଣ୍ଠା ଥାନାଧିକାରୀ ପ୍ରକାଶ ସାହୁଙ୍କ ନେତୃତ୍ୱରେ ତିନି ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହୋଇଥିଲେ।
ବେଲଗୁଣ୍ଠା ତହସିଲଦାର ମନୋଜ ପ୍ରଭାକର କୁଜୁରୁ, ଥାନାଧିକାରୀ ଶ୍ରୀ ସାହୁ ଏବଂ ସରପଞ୍ଚ ପ୍ରତିନିଧି ଅନିଲ କୁମାର ପାଠୀ ରାତିସାରା ଲୋକଙ୍କ ସହ ଆଲୋଚନା କରିଥିଲେ। ପୁଲିସ ଏଚ୍ଆର୍ପିସି ଦ୍ବାରା ଏହି ଘଟଣାର ତଦନ୍ତ ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଏବଂ ଅଦାଲତଙ୍କ ନିର୍ଦ୍ଦେଶ ପ୍ରକାରେ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ଫଳରେ ଗ୍ରାମବାସୀ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ।
ଅନ୍ୟପକ୍ଷରେ ଚରଣଙ୍କ ଶରୀରର କିଛି ଭାଗରେ ଦାଗ ରହିଥିବାରୁ ତାଙ୍କ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ଜେଲ୍ ଭିତରର ସିସି କ୍ୟାମେରା ଫୁଟେଜ୍, ଚରଣ ରହୁଥିବା ସେଲ୍ର ଅନ୍ତେବାସୀ ଓ ଚୋରି ମାମଲାରେ ଜେଲ୍ ଯାଇଥିବା ସିଲୁ ପଣ୍ଡାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି। ସେହିପରି ଚରଣଙ୍କୁ ଚୋରି ମାମଲାରେ କୋର୍ଟ ଚାଲାଣ ପୂର୍ବରୁ ମେଡିକାଲ୍ ପରୀକ୍ଷା କରାଯାଇଥିବା ବେଳେ ସେତେବେଳେ ତାଙ୍କ ଶରୀରରେ କୌଣସି ଦାଗ ନଥିଲା। ଯାହାକି ସରକାରୀ ରିପୋର୍ଟରେ ରହିଛି। ଏଣୁ ଘଟଣାର ନିରପେକ୍ଷ ତଦନ୍ତ ହେଉ ବୋଲି ଞ୍ଚଳ ବାସୀ ଦାବି କରିଛନ୍ତି I