କଟକ : କଟକ ଖାନନଗରଠାରେ ପ୍ରସ୍ତାବିତ ନେତାଜୀ ବସ୍ ଟର୍ମିନାଲ ପ୍ରକଳ୍ପ ପାଇଁ ପଥ ପରିଷ୍କାର ହୋଇଛି। ଅଦାଲତରେ ଏ ନେଇ ଦାୟର ଏକାଧିକ ମାମଲା ଯୋଗୁଁ ବସ୍ ଟର୍ମିନାଲ ପ୍ରକଳ୍ପକୁ ନେଇ ଅନିଶ୍ଚିତତା ଦେଖାଦେଇଥିଲା। ଆଜି ହାଇକୋର୍ଟ ଖାନନଗର ଶ୍ମଶାନ କାଳୀ ଠାକୁରାଣୀଙ୍କ ଜମି ଉପରେ ଫେବ୍ରୁଆରି ୨ ତାରିଖରେ ଜାରି କରାଯାଇଥିବା ସ୍ଥିତାବସ୍ଥା ଆଦେଶ ଉଠାଇ ଦେଇଛନ୍ତି। ଶ୍ମଶାନ କାଳୀଙ୍କ ଦେବସ୍ଥଳୀ କୌଣସି ଭାବେ ପ୍ରଭାବିତ ହେବାର ନାହିଁ ବୋଲି ସରକାରଙ୍କ ପକ୍ଷରୁ ଦାଖଲ ତଥ୍ୟକୁ ବିଚାରକୁ ନେଇ ହାଇକୋର୍ଟ ରହିତାଦେଶ ଉଠାଇ ଦେଇଛନ୍ତି। ଶ୍ମଶାନ କାଳୀଙ୍କ ଜମି ସଂପର୍କିତ ମାମଲାର ପରବର୍ତ୍ତୀ ଶୁଣାଣି ମେ୧୭କୁ ହାଇକୋର୍ଟ ଧାର୍ଯ୍ୟ କରିଛନ୍ତି। ଅନ୍ୟପକ୍ଷରେ ପ୍ରସ୍ତାବିତ ବସ୍ ଟର୍ମିନାଲ ପ୍ରକଳ୍ପକୁ ବିରୋଧ କରି ଦାୟର ଦୁଇ ଜନସ୍ବାର୍ଥ ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି।
ଖାନନଗର ଶ୍ମଶାନ କାଳୀଙ୍କ ଜମି ବିବାଦ ସଂପର୍କିତ ମାମଲାରେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସତ୍ୟପାଠ ମାଧ୍ୟମରେ ପ୍ରାଥମିକ ଜବାବ ଦାଖଲ କରିଥିଲେ। ଦେବସ୍ଥଳୀ ସହିତ ଖାଲି ପଡିଥିବା ଜମି ଉପରେ ଦାବି ନେଇ ବିବାଦ ଦେଖା ଦେଇଥିବାବେଳେ ଖାଲି ସ୍ଥାନକୁ ବସ୍ ଟର୍ମିନାଲ ପାଇଁ ବ୍ୟବହାର କରାଯାଇପାରିବ ବୋଲି ଜିଲ୍ଲାପାଳ ସତ୍ୟପାଠରେ ଦର୍ଶାଇଥିଲେ। ହାଇକୋର୍ଟ ଏ ସଂପର୍କିତ ମାମଲାର ଶୁଣାଣି ସମୟରେ ଦେବସ୍ଥଳୀ ସୁରକ୍ଷିତ ରହିବା ସଂପର୍କିତ ସତ୍ୟପାଠରେ ଥିବା ତଥ୍ୟକୁ ବିଚାରକୁ ନେଇ ପୂର୍ବରୁ ଗତ ୨ ତାରିଖରେ ଜାରି କରାଯାଇଥିବା ସ୍ଥିତାବସ୍ଥା ସଂପର୍କିତ ଅନ୍ତରୀଣ ନିର୍ଦ୍ଦେଶକୁ ଉଠାଇ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ୍ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ରଂଜନ କୁମାର ସାହୁ ଓ ଅନ୍ୟମାନଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ପ୍ରସ୍ତାବିତ ବସ୍ ଟର୍ମିନାଲ ପ୍ରକଳ୍ପକୁ ବିରୋଧ କରି ଦାୟର ଦୁଇ ଜନସ୍ବାର୍ଥ ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି। ଖାନନଗର ବସ୍ ଟର୍ମିନାଲ ପ୍ରକଳ୍ପ ବନ୍ଦ ପ୍ରସଂଗରେ ହାଇକୋର୍ଟ ହସ୍ତକ୍ଷେପ କରିବାକୁ ମନା କରିବା ସହିତ ବୃନ୍ଦାବନ ଦାସ ଆଜାଦ ଓ ସତ୍ୟନାରାୟଣ ମହାନ୍ତିଙ୍କ ଆବେଦନର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଯଦି ଆବେଦନକାରୀଙ୍କ କୌଣସି ପ୍ରସଂଗକୁ ନେଇ ଆପତ୍ତି ରହିଥାଏ ତେବେ ସେ ଏ ନେଇ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରି ପାରିବେ ବୋଲି ହାଇକୋର୍ଟ କହିଛନ୍ତି।
ଖାନନଗର ଠାରେ ବସ୍ ଟର୍ମିନାଲ ପ୍ରକଳ୍ପକୁ ବିରୋଧ କରି ସମାଜସେବୀ ବୃନ୍ଦାବନ ଦାସ ଆଜାଦ ଓ ସତ୍ୟନାରାୟଣ ମହାନ୍ତି ଦୁଇଟି ପୃଥକ୍ ଜନସ୍ବାର୍ଥ ଆବେଦନ ଦାୟର କରିଥିଲେ। ଶ୍ମଶାନ କାଳୀ ମନ୍ଦିର ଜମିକୁ ନେଇ ରଂଜନ କୁମାର ସାହୁଙ୍କ ତରଫରୁ ମାମଲା ରୁଜୁ ହୋଇଥିବା ବେଳେ ଆଇନଜୀବୀ ଅକ୍ଷୟ କୁମାର ପାଣ୍ଡେ ମାମଲା ପରିଚାଳନା କରୁଥିଲେ। ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ଅଶୋକ କୁମାର ପରିଜା ମାମଲା ପରିଚାଳନା କରୁଥିଲେ। ଦୀର୍ଘ ଦେଢ ଘଣ୍ଟା କାଳ ମାମଲାର ଶୁଣାଣି ସମୟରେ କଟକ ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ ବି ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/mukhya-mantrinka-dwara-cuttack-netaji-bus-tarminal-ra-subharambha-6-1.jpg)