ଚିକିତ୍ସାରେ ବାଧକ ସାଜିଛି ରାସ୍ତା ଅବରୋଧ : ଗାଁ ଭିତରେ ପଶିପାରୁନି ଦମକଳ ଓ ଆମ୍ବୁଲାନ୍ସ, ବେଣୁପୁରରେ ଉତ୍ତେଜନା

ବାଲିଅନ୍ତା : ଲକ୍‌ଡାଉନ ଓ ସଟ୍‌ଡାଉନ ବାହାନାରେ ବାଲିଅନ୍ତା ଥାନା ଅଞ୍ଚଳରେ ଅଧିକାଂଶ ରାସ୍ତାରେ ବାଉଁଶ ବନ୍ଧାଯାଇଛି। ମୁଖ୍ୟରାସ୍ତା ଓ ଗାଁ ଭିତର ପ୍ରବେଶପଥ ଅବରୋଧ ହୋଇଯିବା ଫଳରେ ବିଭିନ୍ନ ଜରୁରୀକାଳୀନ ସେବା ବାଧାପ୍ରାପ୍ତ ହେଉଛି। ବିଶେଷ କରି ଚିକିତ୍ସା ସେବାରେ ନାହିଁ ନଥିବା ଅସୁବିଧା ସୃଷ୍ଟି ହେଉଛି। ଅନ୍ଧୋଟି ଗ୍ରାମ ଭଳି ଆଉ କିଛି ମୁଖ୍ୟ ଗ୍ରାମ ଉନ୍ନୟନ ରାସ୍ତା ଅବରୋଧ କରାଯାଇଛି। ଫଳରେ ୧୦୮ ଆମ୍ବୁଲାନ୍ସ ଗାଡ଼ି ଅନ୍ୟତ୍ର ବୁଲି ରୋଗୀଙ୍କୁ ଆଣିବାକୁ ଯିବା ବେଳେ ସମସ୍ୟା ସୃଷ୍ଟି ହେଉଛି। ଚିକିତ୍ସାରେ ବିଳମ୍ବ ଘଟିବା ସହ ରୋଗୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ସଂକଟାପନ୍ନ ହୋଇପଡ଼ୁଛି। କିଛି ସ୍ଥାନରେ ଗାଁ ପ୍ରବେଶ ପଥ ସବୁ ଅବରୋଧ ହୋଇଛି। ରାସ୍ତାରେ ଏକାଧିକ ପଥର ଖଣ୍ଡ ରଖାଯିବା ସହ କାଠଗଣ୍ଡି ପଡ଼ିଛି। ବାହାର ଲୋକଙ୍କୁ ଗାଁ ଭିତରକୁ ନ ଛାଡ଼ିବା ପାଇଁ ଏଭଳି କରାଯାଇଥିବା କୁହାଯାଉଛି। ତେବେ ଏହାଦ୍ବାରା ବହୁ ଅସୁବୁଧା ସୃଷ୍ଟି ହେଉଥିବାରୁ ଗ୍ରାମରେ ଉତ୍ତେଜନା ଓ ଅପ୍ରୀତିକାର ପରିସ୍ଥିତି ଉପୁଜୁଛି। ଗ୍ରାମର ଆସନ୍ନ ପ୍ରସବା ମହିଳାମାନଙ୍କୁ ମଧ୍ୟ ଡାକ୍ତରଖାନାକୁ ନେବାରେ ବିଳମ୍ବ ହେଉଛି। ଗୁରୁତର ରୋଗୀଙ୍କୁ ଷ୍ଟ୍ରେଚରରେ ମୁଖ୍ୟରାସ୍ତା ପର୍ଯ୍ୟନ୍ତ ବୋହି ନେବାକୁ ପରିବାର ଲୋକ ବାଧ୍ୟ ହେଉଛନ୍ତି। ଏହାର ପ୍ରତିବାଦ କଲେ ମାର୍‌ପିଟ ହେଉଛି। କେତେକ ସ୍ଥାନରେ ପଥର ଓ ବାଉଁଶ ଧଡ଼ା ଭଙ୍ଗାଯାଇ ଅବରୋଧ ହଟାଯାଇଛି। ଉତ୍ତେଜନା ଦେଖାଦେବାରୁ ସରକଣା ପଞ୍ଚାୟତ ଅଧୀନ ମାଣିଆ ଭୋଇସାହି ନିକଟରେ ସଂପୃକ୍ତ ବାସିନ୍ଦାମାନେ ବାନ୍ଧିଥିବା ଧଡ଼ା ନିଜେ ଖୋଲି ଦେଇଛନ୍ତି।

ସଟ୍‌ଡାଉନ ଘୋଷଣା ପୂର୍ବଦିନ ସକାଳେ ବେଣୁପୁର (ବନ୍ଧମୂଳସାହି) ଗ୍ରାମର ରଂଜିତ ରଣା ନାମକ ଜଣେ ଯୁବକ ସ୍କୁଟି ନେଇ ଯାଉଥିବା ବେଳେ ଉକ୍ତ ପଞ୍ଚାୟତ ଅଧୀନ ପୁରୁଣାପାଟଣା ଠାରେ ବାଉଁଶଧଡ଼ା ଭାଙ୍ଗି ଯିବାକୁ ଉଦ୍ୟମ କରିଥିଲେ। ହେଲେ ଉପସ୍ଥିତ ଯୁବକମାନେ ତାଙ୍କୁ ନିର୍ଧୂମ ମାଡ଼ ମାରିଥିଲେ। ଖବର ପାଇ ବାଲିଅନ୍ତା ଥାନା ପୁଲିସ ବି ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲା। ଖାଲି ଆମ୍ବୁଲାନ୍ସ ନୁହେଁ କୌଣସି ସ୍ଥାନରେ ନିଆଁ ଲାଗିଲେ ଦମକଳ ଗାଡ଼ି ପହଞ୍ଚିବାରେ ବିଳମ୍ବ ହେଉଛି। ଗୁରୁତ୍ବପୁର୍ଣ୍ଣ କଥା ହେଉଛି, ଗ୍ରାମ ଭିତରକୁ ପୁଲିସ ପାଟ୍ରୋଲିଂ ଗାଡ଼ି ନ ପଶିପାରିବା ଦ୍ବାରା ବିଭିନ୍ନ ବେଆଇନ କାର୍ଯ୍ୟ ଚାଲିଛି। କ୍ଲବ ଓ କୋଠଘରେ ଦଳ ଦଳ ହୋଇ ଯୁବକମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖଟି କରୁଛନ୍ତି। ଆଉ ଭୋଜି କରି ତାସ କ୍ୟାରମରେ ମାତୁଛନ୍ତି। ସାମାଜିକ ଦୂରତା ରଖୁ ନାହାନ୍ତି। ନିଶା ବେପାର ମଧ୍ୟ ବଢ଼ୁଛି। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଚା’, ପାନ ଦୋକାନ ଓ ତେଜରାତି ଦୋକାନ ଖୋଲା ରହୁଛି। ପୁଲିସ କିମ୍ବା ପ୍ରଶାସନର ଚଢ଼ଉ ଭୟ ନଥିବାରୁ ଚଢ଼ା ଦରରେ ସାମଗ୍ରୀ ବିକ୍ରି ହେଉଛି। ପ୍ରଶାସନକୁ ଫାଙ୍କିବା ପାଇଁ ଉଚ୍ଛୃଙ୍ଖଳ ଯୁବଗୋଷ୍ଠୀ ଫନ୍ଦିଫିକର କରି ଆଡ୍ଡା ଜମାଉଛନ୍ତି ବୋଲି କୁହାଯାଉଛି। ଅନ୍ୟପକ୍ଷରେ କରୋନା କଟକଣା ଆଳରେ ରାସ୍ତା ଅବରୋଧ କରି ବେଆଇନ କାର୍ଯ୍ୟ ଚାଲିଥିବା ସଂପର୍କରେ ନିର୍ଦ୍ଦିଷ୍ଟ ଅଭିଯୋଗ ହେଲେ ପୁଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବ ବୋଲି କହିଛି।

ସମ୍ବନ୍ଧିତ ଖବର