ଯାଜପୁର/ ପାଣିକୋଇଲି : ଖରାପ ରାସ୍ତା ପାଇଁ ଗାଁରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ। ଗାଁ ଲୋକେ ଭାରରେ ୨ କିଲୋମିଟର ବୋହି ଜଣେ ଜ୍ବରରେ ପୀଡ଼ିତ ବୃଦ୍ଧାଙ୍କୁ ଡାକ୍ତରଖାନାରେ ପହଞ୍ଚାଇଲେ। ଏହା କୌଣସି ଦୁର୍ଗମ ଅଞ୍ଚଳର ଘଟଣା ନୁହେଁ, ପ୍ରଗତିଶୀଳ ଯାଜପୁର ଜିଲ୍ଲାର କୋରେଇ ବ୍ଲକ୍ ଅନ୍ତର୍ଗତ ସାଳବା ଗାଁର ଦୃଶ୍ୟ। ବାଲିଘାଟରୁ ଭାରୀଯାନରେ ଅହରହ ଓଦାବାଲି ଚାଲାଣ ଯୋଗୁଁ ୧୬ନମ୍ବର ଜାତୀୟ ରାଜପଥଠାରୁ ବୈତରଣୀରୋଡ୍ ରେଳଷ୍ଟେସନ୍ ପର୍ଯ୍ୟନ୍ତ ରାସ୍ତା ମରଣଯନ୍ତା ପାଲଟିଛି। ଫଳରେ ସାଳବା ଗ୍ରାମର ବେଣୁଧର ଭୂୟାଁଙ୍କ ପତ୍ନୀ ଝୁଲ ଭୂୟାଁଙ୍କୁ ଗ୍ରାମବାସୀ ଭାର କରି ଶାସଦା ପର୍ଯ୍ୟନ୍ତ ନେଇଥିଲେ। ସେଠାରୁ ଅଟୋରେ ଯାଜପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଛନ୍ତି। ଏହି ଦୃଶ୍ୟ ଆଜି ସାମାଜିକ ଗଣମାଧ୍ୟମରେ ମଧ୍ୟ ଭାଇରାଲ ହୋଇଛି।
ପ୍ରକାଶ ଥାଉକି ବୈତରଣୀ ନଦୀର ବାମପାର୍ଶ୍ବ କୋରେଇ ଅଞ୍ଚଳରେ ଥିବା ଏକାଧିକ ବାଲିଘାଟରୁ ଓଦାବାଲି ବୋଝେଇ ହୋଇ ଦୈନିକ ଶହଶହ ଭାରୀଯାନ ଚଳାଚଳ କରିବା ଫଳରେ ରାସ୍ତାଘାଟ ମରଣଯନ୍ତା ପାଲଟିଛି। ସାଳବାଠାରୁ ବୈତରଣୀରୋଡ୍ ପର୍ଯ୍ୟନ୍ତ ଶୋଚନୀୟ ରାସ୍ତା ସଂପର୍କରେ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ପ୍ରଶାସନ ଗୁରୁତ୍ବ ଦେଉନାହିଁ। ବାରମ୍ବାର ଆନ୍ଦୋଳନ ଓ ଏନ୍ଜିଟିରେ ଲୋକମାନେ ଫେରାଦ ହେବାରେ ଲାଗିଛନ୍ତି। ୩ ଦିନ ପୂର୍ବରୁ ବୈତରଣୀ ନଦୀବନ୍ଧରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରୋଗୀ ନେବାକୁ ଆସିଥିବା ଏକ ଆମ୍ବୁଲାନ୍ସ କାଦୁଅରେ ଫସି ଯାଇଥିଲା। ସ୍ଥାନୀୟ ଲୋକଙ୍କ ସହଯୋଗରେ ଆମ୍ବୁଲାନ୍ସଟିକୁ ବାହାର କରାଯାଇଥିଲା। ୧୬ନମ୍ବର ଜାତୀୟ ରାଜପଥ ବୈତରଣୀ ବ୍ରିଜ୍ଠାରୁ ରୁଢ଼ିଆ ପର୍ଯ୍ୟନ୍ତ ନଦୀବନ୍ଧକୁ ସୁଦୃଢ଼ କରିବାକୁ ୧୩ କୋଟି ଟଙ୍କାର କାମ ଓସିସି ନେଇଛି। ବନ୍ଧରେ ମାଟି ପକାଯାଇଥିବାରୁ ଏହା ଯାତାୟାତରେ ସମସ୍ୟା ସୃଷ୍ଟି କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/56465465ffhfhfhsfh.jpg)