ଯୋଡ଼ା : ଯୋଡ଼ା ଖଣି ଅଞ୍ଚଳରୁ କୋଟି କୋଟି ଟଙ୍କା ରାଜସ୍ବ ଆଦାୟ ହେଉଥିବଲେ ହେଁ ଏହି ଅଞ୍ଚଳର ବିକାଶ ପ୍ରତି ସରକାର ଆଖିବୁଜି ଦେଇଛନ୍ତି। ବିଶେଷ କରି ରାସ୍ତାଘାଟର ଅବସ୍ଥା ଯାହା ତାହାକୁ ନେଇ ଏବେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ରାସ୍ତାର ଦୁରବସ୍ଥା ପାଇଁ ଛାତ୍ରଛାତ୍ରୀ ସ୍କୁଲ ଯାଇପାରୁ ନାହାନ୍ତି, ରୋଗୀ ଡାକ୍ତରଖାନାରେ ପହଞ୍ଚିପାରୁ ନାହିଁ, ଆମ୍ବୁଲାନ୍ସଟିଏ ଯାଇପାରୁ ନାହିଁ। ବିକାଶ ପାଇଁ ସରକାର ଖଣିରୁ କୋଟିକୋଟି ଟଙ୍କା ଆଦାୟ କରୁଥିଲେ ହେଁ ପ୍ରକୃତରେ ଖଣିଟଙ୍କା ଯାଉଛି କୁଆଡେ? ଖଣି ଅଞ୍ଚଳର ରାସ୍ତା ଅବସ୍ଥା ଦେଖିଲେ ମନରେ ଏପରି ସ୍ବତଃ ପ୍ରଶ୍ନ ଉଙ୍କି ମାରୁଛି।

Advertisment

ରାସ୍ତା ନିର୍ମାଣ ହେଉ ନଥିବାରୁ ଆଜିଠାରୁ ଦବୁନା ଗ୍ରାମ ରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ଚାରି ଚକିଆ ଯାନବାହନ ବନ୍ଦ ହୋଇଯାଇଛି। ଗାଁକୁ ଆମ୍ବୁଲାନ୍ସ ଓ ସ୍କୁଲ ବସ ଯିବା ବନ୍ଦ ହେବା ଯୋଗୁଁ ଲୋକେ ନାହିଁ ନ ଥିବା ହୀନସ୍ତା ଭୋଗୁଛନ୍ତି।

ଯୋଡ଼ା ବ୍ଲକ ଅନ୍ତର୍ଗତ ବଡ଼ କାଳିମାଟି ଗ୍ରାମ ପଞ୍ଚାୟତର  କାଳିମାଟି - ଦବୁନା ରାସ୍ତା ଖଣି ଅଞ୍ଚଳର ଏକ ପ୍ରମୁଖ ରାସ୍ତା। ଏହି ରାସ୍ତା ଉପରେ ବଡ  କାଳିମାଟି ଓ ଝୁମ୍ପୁରା  ବ୍ଲକର ବାସନ୍ତପୁର ଗ୍ରାମ ପଞ୍ଚାୟତ ସମେତ ଆଖପାଖ ୫ ଟି ପଞ୍ଚାୟତର ପ୍ରାୟ ୨୦ ହଜାର ଲୋକ ନିର୍ଭର କରିଥାନ୍ତି। ଏହି ରାସ୍ତାରେ ସ୍ଥାନୀୟ ପଞ୍ଚାୟତର ଗ୍ରାମବାସୀ ଓ ଛାତ୍ରଛାତ୍ରୀ ଯୋଡ଼ା ଓ କେନ୍ଦୁଝରକୁ ଦୈନନ୍ଦିନ ଯାତାୟାତ କରିଥାନ୍ତି।  ଏହି  ରାସ୍ତାକୁ ନିକଟରେ ଥିବା ଖଣି ଓ ଶିଳ୍ପ ସଂସ୍ଥାମାନେ ନିଜର ବ୍ୟବସାୟିକ ପାଇଁ ରାସ୍ତାକୁ ଦିନରାତି ବ୍ୟବହାର କରିଆସୁଛନ୍ତି। ବିଭିନ୍ନ ଖଣିରୁ  କାରଖାନାକୁ ଅନବରତ ଭାବେ ବହୁସଂଖ୍ୟକ ଟ୍ରକ୍ ଲୁହାପଥର ପରିବହନ କରୁଛି। ଦୈନିକ ହଜାର ହଜାର ଖଣିଜ ବୋଝେଇ ଟ୍ରକ ପରିବହନ ହେଉ ଥିବାରୁ ଉକ୍ତ ରାସ୍ତାଟି ମରଣଯନ୍ତା ପାଲଟିଛି। ରାସ୍ତାର ବିଭିନ୍ନ ସ୍ଥାନରେ ବଡ଼ବଡ଼ ଖାଲ ସୃଷ୍ଟି ହୋଇଛି। ଏହି ରାସ୍ତାଟିକୁ ମରାମତି କରି ପରିବହନ କରିବା ପରିବର୍ତ୍ତେ କମ୍ପାନିମାନେ ସେହି ରାସ୍ତାରେ ଅନବରତ ପରିବହନ କରୁଥିବାରୁ ତାହା ଅତ୍ୟନ୍ତ ଖରାପ ହୋଇଯାଇଛି। ବଡ଼ବଡ଼ଗର୍ତ୍ତ, ଖାଲଖମାରେ ବର୍ଷା ପାଣି ଜମି ଏକପ୍ରକାର ପୋଖରୀର ଭ୍ରମ ସୃଷ୍ଟି କରୁଛି। ଟ୍ରକ୍ ଗୁଡ଼ିକ ଏହି ରାସ୍ତାରେ ପରିବହନ କରିବା ବେଳେ ଅନେକ ସମୟରେ ଗାଡ଼ିର ଯନ୍ତ୍ରାଂଶ ଭାଙ୍ଗି ରାସ୍ତାରେ ପଡ଼ି ରହିଛନ୍ତି। ଫଳରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି।

ରାସ୍ତା ପାଇଁ କାଳିମାଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ରୋଗୀ ଆସି ପାରୁ ନାହାଁନ୍ତି। ବସ ଚଳାଚଳ ହୋଇପାରୁ ନାହିଁ। ରାସ୍ତାର ଅବସ୍ଥା ଏତେ ପରିମାଣରେ ଖରାପ ହୋଇଯାଇଛି ଯେ, ଲୋକେ ପାଦରେ ଚାଲିଚାଲି ଯିବା ପାଇଁ ମଧ୍ୟ ସମ୍ଭବ ହେଉ ନାହିଁ। ସ୍ଥାନୀୟ କମ୍ପାନିମାନେ ଏହି ରାସ୍ତା ଦେଇ ନିଜର ପରିବହନ କାର୍ଯ୍ୟ କରି ଲାଭବାନ୍ ହେଉଛନ୍ତି। ଅଥଚ ରାସ୍ତାରେ ମାଟି କିମ୍ବା ମୋରମ ମୁଠାଏ ପକାଇବାକୁ କୁଣ୍ଠାବୋଧ କରୁଛନ୍ତି। ଦୁଇ ଦିନ ହେଲା ସ୍କୁଲ ଖୋଲିଛି, ହେଲେ ସ୍କୁଲ ବସ ଯାଇ ପାରୁ ନ ଥିବାରୁ ଦୁଇ ଦିନ ହେବ  ଛାତ୍ରଛାତ୍ରୀ ସ୍କୁଲ ଯାଇ ପାରି ନାହାନ୍ତି। ଏଠାରେ ଥିବା ଦବୁନା ଶିଶୁ ମନ୍ଦିର, ସରକାରୀ ଗୁପ୍ତେଶ୍ୱର ହାଇସ୍କୁଲ ଛାତ୍ରଛାତ୍ରୀ ବିଦ୍ୟାଳୟରେ ଠିକ୍ ସମୟରେ ପହଞ୍ଚି ପାରୁ ନାହାଁନ୍ତି । କେଉଁ ଦିନ ୧୧ଟା ବେଳେ ତ କେଉଁ ଦିନ ୧୨ଟା ବେଳେ ସ୍କୁଲରେ ପହଞ୍ଚୁ ଥିବା ସେମାନେ କହିଛନ୍ତି। ଛାତ୍ରଛାତ୍ରୀଙ୍କୁ ୩ କିମି ଦୂର ପରିବର୍ତ୍ତେ ବୁଲିବୁଲି ପ୍ରାୟ ୮ରୁ ୧୦କିମି ବସ୍‌ରେ  ଅତିକ୍ରମ କରିବା ପରେ ଘରକୁ ପହଞ୍ଚୁ ଥିବା ଅଭିଭାବକ ଅଭିଯୋଗ କରିଛନ୍ତି।

ଖଣି ଅଞ୍ଚଳ ବିକାଶ ପାଇଁ ଗତ ୨୦୧୫ ମସିହାର ନୂଆ ଖଣି ନୀତି ଅନୁଯାୟୀ କୋଟି କୋଟି ଟଙ୍କା ଖଣିରୁ ଆଦାୟ ହେଉଛି। ୮ ବର୍ଷ ମଧ୍ୟରେ ପ୍ରାୟ ୧୦ ହଜାର କୋଟି ଟଙ୍କାରୁ ଊର୍ଦ୍ଧ୍ବ ଖଣିରୁ ଆଦାୟ ହେଇଛି।  ମାତ୍ର ପ୍ରଶାସନିକ ଓ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଖଣି ଅଞ୍ଚଳର ଏହି ରାସ୍ତା ଅବହେଳିତ ହୋଇପଡ଼ିଛି । ଆଜି ରାସ୍ତା ନିର୍ମାଣ ପାଇଁ ଦୀର୍ଘ ୧୫ ବର୍ଷରୁ ଊର୍ଦ୍ଧ୍ବ ହେବ ଦାବି ହୋଇ ଆସୁଛି । ତଥାପି  ଜିଲ୍ଲା ପ୍ରଶାସନ ପକ୍ଷରୁ ଅର୍ଥ ମଞ୍ଜୁର କରାଯାଇ ନାହିଁ କି ରାସ୍ତା ନିର୍ମାଣ ଓ ପ୍ରଶସ୍ତୀକରଣ କରିବା ପାଇଁ ଜମି ଅଧିଗ୍ରହଣ ପାଇଁ କୌଣସି ଯୋଜନା କରାଯାଇ ନାହିଁ। ଅନ୍ୟପକ୍ଷରେ ଏହି ରାସ୍ତାକୁ ଦିନ ରାତି ବ୍ୟବହାର କରୁଥିବା ଖଣି ଓ ଶିଳ୍ପ ସଂସ୍ଥା ଗୁଡ଼ିକ ମଧ୍ୟ ହାତ ବାନ୍ଧି ବସିଛନ୍ତି। ପାରିପାର୍ଶ୍ବିକ ଉନ୍ନତି ପ୍ରତି ଆଦୌ ଧ୍ୟାନ ଦେଉ ନାହାନ୍ତି । ନିର୍ବାଚିତ ଲୋକ ପ୍ରତିନିଧି ସବୁ ଦେଖି ଚୁପ୍ ରହୁଛନ୍ତି।