ରାସ୍ତ ନିର୍ମାଣକୁ ନେଇ ଦୁଇ ଗ୍ରାମବାସୀ ମୁହାଁମୁହିଁ

ଅଳତି : ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଘଷିପୁରା ବ୍ଲକ ଅନ୍ତର୍ଗତ ଗଡବାନ୍ଧଗୋଡ଼ା ପଞ୍ଚାୟତର ଦୁଇ ଗ୍ରାମ କୃଷ୍ଣପୁର ଓ କଣ୍ଟାବଣିଆ ଗ୍ରାମବାସୀ ମୁହାଁମୁହିଁ ହୋଇଛନ୍ତି। ଏହାକୁ କେନ୍ଦ୍ର କରି କଣ୍ଟାବଣିଆ ଗାଁର ମହିଳାମାନେ ଧାରଣାରେ ବସିଛନ୍ତି। ଏହାକୁ ନେଇ ଗ୍ରାମରେ ଉତ୍ତେଜନା ଲାଗି ରହିଛି।

କଣ୍ଟାବଣିଆ ଗ୍ରାମବାସୀଙ୍କ ଅଭିଯୋଗ ହେଲା ଏହା ଗ୍ରାମର ଏକମାତ୍ର ଖେଳ ପଡିଆ। ଏହି ପଡ଼ିଆ ଉପରେ ସ୍କୁଲ ଛାତ୍ରଛାତ୍ରୀ ଏବଂ ଗ୍ରାମର ଯୁବକମାନେ ଖେଳକୁଦ ପାଇଁ ନିର୍ଭର କରିଥାନ୍ତି। ମାତ୍ର କୃଷ୍ଣପୁର ଗ୍ରାମବାସୀ ଖେଳପଡିଆ ସୀମାନ୍ତରେ ରାସ୍ତା ନିର୍ମାଣ ଜୋରଜବରଦସ୍ତ କରିବା ପାଇଁ ଚେଷ୍ଟା କରୁଛନ୍ତି। ଏହାକୁ କଣ୍ଟାବଣିଆ ଗ୍ରାମର ମହିଳା ବିରୋଧ କରିଥିଲେ। ଏହି ବିବାଦୀୟ ରାସ୍ତାଟି ଉଭୟ ଗ୍ରାମର ସୀମାନ୍ତରେ ରହିଥିବାରୁ କୃଷ୍ଣପୁର ଗ୍ରାମବାସୀ ଏକପାଖିଆ ତ୍ରୁଟିପୂର୍ଣ୍ଣ ସୀମା ନିର୍ଦ୍ଧାରଣ କରି ରାସ୍ତା ନିର୍ମାଣ କରୁଥିବା ଅଭିଯୋଗ କରିଛନ୍ତି। ରାସ୍ତା ହେଲେ ଖେଳପଡିଆ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବା ଯୋଗୁଁ କଣ୍ଟାବଣିଆ ଗ୍ରାମର ମହିଳାମାନେ ଏହାକୁ ବିରୋଧ କରିଛନ୍ତି। ସେ‌ପଟେ କୃଷ୍ଣପୁର ଗ୍ରାମବାସୀଙ୍କ କହିବା କଥା ହେଲା, ବହୁ ବର୍ଷ ଧରି ଦୁଇ ଗ୍ରାମର ଯାତାୟାତ ପାଇଁ ଏହି ରାସ୍ତା ରହିଛି। ଯେହେତୁ ଏହା ମାଟି ରାସ୍ତା ବର୍ଷା ଦିନେ ଯାତାୟାତ ପାଇଁ ଅସୁବିଧା ହେଉଛି। ତେଣୁ ରାସ୍ତା ନିର୍ମାଣ ହେଲେ ଉଭୟ ଗାଁ ଉପକୃତ ହେବେ ବୋଲି ଗ୍ରାମବାସୀ କହିଛନ୍ତି।

ମାତ୍ର ଏହାକୁ ନେଇ ଉଭୟ ଗୋଷ୍ଠୀ ଛକାପଞ୍ଝା ମଧ୍ୟରେ ରହିଛନ୍ତି। ରାତିରେ ବି ସେଠାରେ କଣ୍ଟାବଣିଆ ଗ୍ରାମବାସୀ ଡେରା ପକାଇଛନ୍ତି। ରାତି ପର୍ଯ୍ୟନ୍ତ କୌଣସି ପ୍ରଶାସନିକ ଅଧିକାରୀ କି ପୁଲିସ ସେଠାରେ ପହଞ୍ଚି ନଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର