ଭଞ୍ଜନଗର: ଗଂଜାମ ଜିଲ୍ଲା ଭଞ୍ଜନଗରର ନବନିର୍ମିତ ପରିବହନ କାର୍ଯ୍ୟାଳୟକୁ ସଂଯୋଗ ହୋଇଥିବା ରାସ୍ତା ବେସରକାରୀ ଜମିରେ ନିର୍ମାଣ କରାଯାଇଥିବା ଅଭିଯୋଗ ଆଣି ପୁଣି ରାସ୍ତା ଉପରେ ମାଟି ପକାଇ ରାସ୍ତା ଅବରୋଧ କରିଛନ୍ତି ଲାଲସିଂ ଅଞ୍ଚଳର କିଛି ବ୍ୟକ୍ତି। ଗତବର୍ଷ ସେପ୍ଟେମ୍ବର ମାସରେ ସମାନ ଢଙ୍ଗରେ ମାଟି ପକାଇ ପ୍ରତିବାଦ ଜଣାଇଥିବା ବେଳେ ସେମାନଙ୍କ ସମସ୍ୟାର କୌରସି ସମାଧାନ ହୋଇନଥିବାରୁ ପୁଣି ଥରେ ଆଜି ମାଟି ପକାଇ ରାସ୍ତା ଅବରୋଧ କରିଛନ୍ତି। ପରିବହନ କାର୍ଯ୍ୟାଳୟ ସମେତ ନୂତନ ଭାବେ ନିର୍ମାଣ ଚାଲିଥିବା ଆଟିଆଇକୁ ଲମ୍ବିଥିବା ରାସ୍ତା ଉପରେ ପ୍ରାୟ ୩ ଫୁଟ ଉଚ୍ଚରେ ମାଟି ପକାଇ ରାସ୍ତା ବନ୍ଦ କରିଥିଲେ। ସେମାନଙ୍କ ଅଭିଯୋଗ ଅନୁଯାୟୀ ସରକାର ଉକ୍ତ ରାସ୍ତା ନିର୍ମାଣ କରିବା ସମୟରେ ସେମାନଙ୍କୁ କୌଣସି ସୂଚନା ଦେଇନାହାନ୍ତି। ଆଉ ବେଆଇନ ଭାବେ ପୈତୃକ ଜମିରେ ରାସ୍ତା ନିର୍ମାଣ କରିଥିବା ଅଭିଯୋଗ ଆଣି ରାସ୍ତା ଅବରୋଧ କରିଥିଲେ।
ଲାଲସିଂ ଗ୍ରାମର ପ୍ରତାପ ସିଂ ରାଉତ,ବୈଦ୍ୟନାଥ ରାଉତଙ୍କ ସମେତ ଆଉ କିଛି ଲୋକଙ୍କ ବ୍ୟକ୍ତିଗତ ପ୍ଳଟ୍ ଉପରେ ଏହି ରାସ୍ତା ଯାଇଛି। ଏସଂର୍ପକରେ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ତହସିଲଦାର ପର୍ଯ୍ୟନ୍ତ ଦୃଷ୍ଟି ଆର୍କଷଣ କରାଯାଇଥିବା ଅଭିଯୋଗ କରିଛନ୍ତି। ବହୁ ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ସେମାନେ ପ୍ରକାଶ କରିଛନ୍ତି। ରାସ୍ତା ଅବରୋଧ ଯୋଗୁ ପରିବହନ କାର୍ଯ୍ୟାଳୟକୁ ଯାତାୟତରେ ବାଧା ସୃଷ୍ଟି ହୋଇଥିଲା। କାର୍ଯ୍ୟାଳୟକୁ ଆସୁଥିବା ଶତାଧିକ ଗାଡି ମୁଖ୍ୟ ରାସ୍ତା ଉପରେ ଠିଆ ହୋଇ ରହିଥିଲା। ଏହି ରାସ୍ତା ଉପରେ ଏକ ଘରୋଇ ଶିକ୍ଷାନୁଷ୍ଠାନ ନିର୍ଭର କରୁଥିବା ବେଳେ ଛାତ୍ରଛାତ୍ରୀ ମାନେ ମଧ୍ୟ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହୋଇଥିଲେ। ଏଭଳି ରାସ୍ତା ଅବରୋଧ ଯୋଗୁ ଲୋକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଥିଲେ।
ରାସ୍ତା ଅବରୋଧ ଯୋଗୁ ଯାତାୟତରେ ସମସ୍ୟା ହେବାରୁ ପରିବହନ ଅଧିକାରୀ ପ୍ରଶାସନକୁ ଅବଗତ କରିବା ପରେ ତହସିଲଦାର ଅଚ୍ୟୁତାନନ୍ଦ ଜାନୀ ଓ ପୁଲିସ୍ ପହଞ୍ଚି ସେମାନଙ୍କୁ ବୁଝାଶୁଝା କରିବା ସହ ଆସନ୍ତା ଡିସେମ୍ବର ଦ୍ବିତୀୟ ସପ୍ତାହରେ ସେ ନିଜେ ଉପସ୍ଥିତ ରହି ଡିମାର୍କେସନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାପରେ କ୍ଷତିପୂରଣ କିମ୍ବା ବିକଳ୍ପ ପନ୍ଥା ବିଷୟରେ ସରକାର ନିଷ୍ପତି କରିବେ ବୋଲି ଶ୍ରୀ ଜାନୀ ପ୍ରକାଶ କରିଛନ୍ତି। ଏହାପରେ ରାସ୍ତା ଉପରୁ ମାଟି ହଟାଯିବା ପରେ ଯାତାୟତ ସ୍ବଭାବିକ ହୋଇଥିଲା।