ଜମି ବିବାଦରୁ ଅଟକି ରହିଛି ଗାଁ ରାସ୍ତା, ମନ୍ତ୍ରୀ ଓ ତହସିଲଦାରଙ୍କୁ ଦାବି ଜଣାଇଲେ ଗ୍ରାମବାସୀ

ଜଗତସିଂହପୁର ଟାଉନ୍ : ବାଲିକୁଦା ବ୍ଲକ୍ ନଲରା ନୂଆଗାଁରେ ତିନିଜଣଙ୍କ ବ୍ୟକ୍ତିଗତ କାରଣ ପାଇଁ ଗ୍ରାମ ରାସ୍ତା ନିର୍ମାଣ ହୋଇ ପାରୁନାହିଁ । ରାସ୍ତା ପାଇଁ ଅଢ଼େଇ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ହୋଇଛି । ହେଲେ ଜମି ବିବାଦ ରହିଥିବା ଯୋଗୁଁ ରାସ୍ତା ନିର୍ମାଣ ହୋଇ ପାରୁନାହିଁ । ଯାହାକୁ ନେଇ ଗ୍ରାମବାସୀ ଉଦ୍‌ବେଗ ପ୍ରକାଶ କରିବା ସହ ସ୍ଥାନୀୟ ସରପଞ୍ଚ, ବାଲିକୁଦା ତହସିଲଦାର ଏବଂ ମନ୍ତ୍ରୀ ତଥା ବାଲିକୁଦା-ଏରସମା ବିଧାୟକ ରଘୁନନ୍ଦନ ଦାସଙ୍କୁ ଦାବିପତ୍ର ଦେଇଛନ୍ତି ।

ଗ୍ରାମବାସୀଙ୍କ କହିବା ଅନୁସାରେ କେଳାପଦା ଛକ ଠାରୁ ଗାଁ ଭିତରକୁ ଯାଇଥିବା ରାସ୍ତାର ଓସାର କମ୍ ରହିଛି । ଦୁଇ କଡ଼ରେ ବ୍ୟକ୍ତିଗତ ଲୋକଙ୍କ ଜମି ରହିଛି । ଯାହାକୁ ନେଇ ରାସ୍ତା ଓସାର ହେବାରେ ସମସ୍ୟା ଉପୁଜୁଛି । ଏଥିସହ ଗୋଟିଏ ସ୍ଥାନରେ ରାସ୍ତା ଯିବାକୁ ନେଇ ଜମି ବିବାଦ ତୁଟୁ ନାହିଁ । ଦକ୍ଷିଣ ପାଖରେ ରବୀନ୍ଦ୍ର ବାରିକଙ୍କ କୋଠା ଘର ରହିଛି । ଅନ୍ୟପାଖରେ ଜଟାଧାରୀ ବାରିକ ଓ ରବିନ୍ଦ୍ର ବାରିକଙ୍କର ଜମି ରହିଛି । ଏହି ତିନି ଜଣଙ୍କ ଜମିର ସୀମା ନିର୍ନ୍ଧାରଣ ହୋଇ ପାରୁନାହିଁ । ଯାହା ଫଳରେ ରାସ୍ତା ପାଇଁ ଅର୍ଥ ବ୍ୟୟବରାହ ହୋଇଥିଲେ ହେଁ ରାସ୍ତା ହୋଇ ପାରୁନାହିଁ । ତେବେ ଏହି ରାସ୍ତା ଦେଇ ପୋହରୁଆଁ, ଅପଣ୍ଡରା ପଂଚାୟତ ସମେତ ଦେବୀନଦୀ ବନ୍ଧ ଦେଇ ମାଛଗାଁ ବଜାର ଯିବା କମ୍ ବାଟ ଓ କମ୍ ସମୟ ଲାଗିଥାଏ । ତେଣୁ ସଟ୍‌କଟ୍ ରାସ୍ତା ଦେଇ ଲୋକ ଯାତାୟତ କରିଥାନ୍ତି । ହେଲେ ଓସାର ଓ ପକ୍କା ରାସ୍ତା ହୋଇ ପାରୁ ନଥିବାରୁ ଗ୍ରାମବାସୀଙ୍କ ସମେତ ଅନ୍ୟ ଲୋକମାନେ ନାନା ସମସ୍ୟାରେ ପଡ଼ୁଛନ୍ତି । ବର୍ଷା ଦିନେ ସ୍ଥିତି ଆହୁରି ଭୟଙ୍କର ହେଉଛି । ଢ଼ଳେଇ ରାସ୍ତା ହୋଇ ପାରୁ ନଥିବାରୁ କାଦୁଅରେ ଲୋକେ ଯାତାୟତ କରୁଛନ୍ତି । ପୂର୍ବରୁ ବାରମ୍ବାର ଏନେଇ ତହସିଲଦାରଙ୍କ ନିକଟରେ ଅଭଯୋଗ ହୋଇଥିଲେ ହେଁ ସମସ୍ୟାର ସମାଧାନ ହୋଇ ପାରି ନାହିଁ । ତେବେ ଗ୍ରାମାବାସୀ ଏକାଠି ହୋଇ ମନ୍ତ୍ରୀ ଶ୍ରୀ ଦାସଙ୍କୁ ଜଣାଇବା ପରେ ତୁରନ୍ତ ଏହି ସମସ୍ୟାର ସମାଧାନ ହେବ ବୋଲି ଆଶା ବାନ୍ଧିଛନ୍ତି ଗ୍ରାମବାସୀ।

ସମ୍ବନ୍ଧିତ ଖବର