ଭବାନୀପାଟଣା : ଗ୍ରାମାଞ୍ଚଳ ବିକାଶ ଧାରାରେ ଗମନା ଗମନର ସୁବିଧା ପ୍ରମୁଖ ରହିଥିବା ବେଳେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ଗ୍ରାମାଞ୍ଚଳବାସୀଙ୍କ ପାଇଁ ଏକ ପ୍ରକାର ବରଦାନ ସ୍ୱରୁପ ପ୍ରମାଣିତ ହେଉଛି । ଗମନା ଗମନର ସୁବିଧା ହେଲେ ଅନ୍ୟ ସବୁ ଆନୁଷଙ୍ଗିକ ବ୍ୟବସ୍ଥା ଯୋଗାଇବା ଅତି ସହଜ ସାଧ୍ୟ ଅଟେ । ଏ ପରିପ୍ରେକ୍ଷିରେ କଳାହାଣ୍ଡି ଜିଲ୍ଲାର ଅନେକ ଦୁର୍ଗମ ଅଭ୍ୟନ୍ତରୀଣ ଇଲାକାଲେ ଏହି ସୁବିଧା ପହଚିଂ ପାରୁ ନଥିବା କାରଣରୁ ଦୁର୍ଗମ ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇ ଆସୁଥିବା ଦେଖିବାକୁ ମିଳୁଛି ।
/sambad/media/post_attachments/wp-content/uploads/2020/07/bpt-photo-of-pmgsy-road-f-300x173.jpg)
କଳାହାଣ୍ଡି ଜିଲ୍ଲାର ସମସ୍ତ ଅନୁନ୍ନତ ଅଞ୍ଚଳମାନଙ୍କ ମଧ୍ୟରୁ ମ.ରାମପୁର ବ୍ଲକର ୧୦ ଗୋଟି ପଞ୍ଚାୟତ ଘଞ୍ଚ ଜଙ୍ଗଲ , ଘାଟି ପାହାଡ ଘେରା ଆଦିବାସୀ ଅଧ୍ୟୁଷିତ । ଦୁର୍ଗମ ଘାଟି ପାହାଡ, ଘଞ୍ଚ ଜଙ୍ଗଲ ପରିବେଷ୍ଟିତ ହୋଇଥିବା କାରଣରୁ ଏ ଅଞ୍ଚଳର ଉର୍ଲାଦାନୀ, ଲୁବେନ୍ ଗଡ, ମାଣିକେରା, ଡ଼ମ କର୍ଲ।ଖୁଣ୍ଟା, ମୋହନଗିରି, ସିଂପୁର, ଦେଢ୍ ସୁଲି, ଗୋଛାଡେଗେନ୍, ବାରବନ୍ଧା ଓ ଦୁଡ୍କାରଞ୍ଜାରେ ମାଓବାଦୀଙ୍କ ଗତିବିଧି ଚାଲିଛି। ଏ ସବୁ ଅଞ୍ଚଳକୁ ବିକଶିତ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମ ଦ୍ୱାରା ଆବଶ୍ୟକୀୟ ପ୍ରୟାସ କରାଯାଉଛି । କିନ୍ତୁ ଜଙ୍ଗଲ ଜମି ଓ ମାଓବାଦୀଙ୍କ ବାରମ୍ବାର ବିରୋଧ କାରଣରୁ ଅନେକ ଉନ୍ନୟନ ମୂଳକ କାମ ଅଧପନ୍ତରିଆ ହୋଇ ପଡି ରହୁଥିବା ଅଭିଯୋଗ ଆସୁଛି । ଯାହା ଫଳରେ ଅଞ୍ଚଳବାସୀ ପକ୍କା ରାସ୍ତା ଖଣ୍ଡେ ଦେଖିବାର ସ୍ୱପ୍ନ , ସ୍ୱପ୍ନରେ ହିଁ ରହି ଯାଉଛି ।
କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଉର୍ଲାଦାନୀଠାରୁ ମାଣିକେରା, ଲୁବେନ୍ ଗଡ ଭଳି ଉପାନ୍ତ ଇଲାକାକୁ ରାସ୍ତାଘାଟ ସଂଯୋଗୀକରଣ ପାଇଁ ୨୦୧୬ ଓ ୨୦୧୭ ଆର୍ଥିକ ବର୍ଷରୁ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଦ୍ୱାରା ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ମାନ ଗ୍ରହଣ କରାଯାଇଛି । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଜରିଆରେ ଉର୍ଲାଦାନୀଠୁ ନାଗଝରୀ ବାରବନ୍ଧା ଓ ଚାଉଳ ଧୁଆ ନଦୀ ଉପରେ ପୋଲ ନିର୍ମାଣ, ଉର୍ଲାଦାନୀ, ସାକୁଶ୍ , ଗଣ୍ଡିଗୁଡା ମାଣିକେରା ଓ ବୁଢାନଦୀ ଉପରେ ପୋଲ ନିର୍ମାଣ ତଥା ଉର୍ଲାଦାନୀ, ଲାହାଡୀ, ଲୁବେନଗଡ଼ ପଡ଼ୋଶୀ ଜିଲ୍ଲା କନ୍ଧମାଳ ଶୁଡ୍ରା ସହିତ ରାସ୍ତା ସଂଯୋଗୀ କରଣ ଓ ବୁଢା ନଦୀ ଉପରେ ପୋଲ ନିର୍ମାଣ । ଏଭଳି ଭାବେ ୩ ଟି ଗୁରୁତ୍ୱ ପୁର୍ଣ୍ଣ ରାସ୍ତାଘାଟ ସଂଯୋଗୀକରଣ କାମ ବିଗତ ୩ ବର୍ଷ ତଳେ ଆରମ୍ଭ ହୋଇଥିଲା । କିନ୍ତୁ ଜୈନେକ ଠିକାଦାରଙ୍କ ଅସାଧୁ କାର୍ଯ୍ୟକଳାପ କାରଣରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଟେଣ୍ଡର୍ ବାତିଲ୍ କରି ସମ୍ପୃକ୍ତ ଠିକାଦାରଙ୍କ ବିରୋଧରେ ଆଇନ୍ ଗତ କାର୍ଯ୍ୟାନୁଷ୍ଠାନ ନେବା ପରେ ସମସ୍ତ ନିର୍ମାଣ କାମ ବନ୍ଦ ହୋଇ ପଡିଥିଲା । ଏହାପରେ କାମ ଗୁଡିକୁ ସମ୍ପୁର୍ଣ୍ଣ କରିବା ପାଇଁ ରି-ଟେଣ୍ଡର୍ ହୋଇଛି କିନ୍ତୁ ବନ ବିଭାଗ ତରଫରୁ ଜଙ୍ଗଲ ଜମିର ବିବାଦ କାରଣରୁ କାମ ଆରମ୍ଭ ହୋଇ ପାରି ନାହିଁ । ଏପଟେ ଉର୍ଲାଦାନୀ, ଲାହାଡୀ, ଲୁବେନ୍ ଗଡ ସଡକ ଯୋଜନା ଓ ବୁଢାନଦୀ ଉପରେ ପୋଲ ନିର୍ମାଣ କାର୍ଯ୍ୟ ମଧ୍ୟ ଅଟକି ପଡିଛି ୧ ବର୍ଷରୁ ଅଧିକ ସମୟ ହେବ । ମାଓବାଦୀଙ୍କ ଦ୍ୱାରା ଠିକା କ୍ୟାମ୍ପ ଉପରେ ରାତି ଅଧିଆ ଆତର୍କିତ ଆକ୍ରମଣ ଘଟଣାକୁ ନେଇ ।
୨୦୧୯ ମେ ମାସ ୧୪ ତାରିଖ ବିଳମ୍ବିତ ରାତ୍ରୀରେ ସଶସ୍ତ୍ର ମାଓବାଦୀମାନେ ନୂଆ ମୁଣ୍ଡା ଠିକା କ୍ୟାମ୍ପ ଉପରେ ଆକ୍ରମଣ କରିବା ଫଳରେ ବହୁ ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରପାତି ଯଥା ଟ୍ରାକ୍ଟର, ଜେସିବି ରୋଡ୍ ରୋଲର୍କୁ ପୋଡି ନଷ୍ଟ କରି ଦିଆଯାଇଥିଲା ଓ ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି ଜୀବନରେ ମାରି ଦେବାକୁ ମଧ୍ୟ ଧମକ୍ ଦିଆଯାଇଥିଲା । ଏହାପରେ ଠିକା ସଂସ୍ଥା ଧନଜୀବନ ହାନି ଭୟରେ କାର୍ଯ୍ୟ ବନ୍ଦକରି ଠିକା କ୍ୟାମ୍ପ ଉଠାଇ ନେଇ ଥିବା ସ୍ଥନୀୟ ଲୋକେ ପ୍ରକାଶ କରିଛନ୍ତି । ଏହି ରାସ୍ତା ନିର୍ମାଣ ଓ ପୋଲ ନିର୍ମାଣ କାର୍ଯ୍ୟ ଅଧପନ୍ତରିଆ ହୋଇ ଅଦ୍ୟାବଧି ପଡି ରହିଛି । ମାଓବାଦୀ ଭୟରେ କୌଣସି ଠିକା ସଂସ୍ଥା ରି-ଟେଣ୍ଡର ପ୍ରକ୍ରିୟାକୁ ଆସୁନଥିବା ଜଣାପଡିଛି । ବୁଢା ନଦୀ ସେପଟେ ବସବାସ କରୁଥିବା ୧୫ ଖଣ୍ଡ ଗାଁ ଲାହାଡୀ, ମାସ୍କା ପଦର , ପିଡେଲ୍ ପଡା , ଲୁବେନ୍ ଗଡ, ଡାକେଲ୍ ପଡା , କାଚାଲାକୁ, ଡ୍ରାମ୍ବା , ଟୁଡାପଡା , ପାଙ୍ଗାବାଜୁ , କାଲେଶୁର, ପୋଖାରୀ ମାତାକୁପା, କାଚୁପଡା, କୁରେ ପଡା ଓ ମୁଣ୍ଡା ମାସ୍କାର ୫ ଶହ ୯୧ ପରିବାର ଗମନା ଗମନ ଅସୁବିଧା କାରଣରୁ ବର୍ଷ ତମାମ୍ ଭୋଗୁଛନ୍ତି ବିଛିନ୍ନ ଯନ୍ତ୍ରଣା ।
/sambad/media/post_attachments/wp-content/uploads/2020/07/bpt-photo-of-pmgsy-road-fff-300x226.jpg)
ମ.ରାମପୁର ସଦର ମହକୁମା ଠାରୁ ଉର୍ଲାଦାନୀ ଦେଇ ଲୁବେନ୍ ଗଡ ରାସ୍ତା ୩୬ କି.ମି ଠିକା ସଂସ୍ଥାଦ୍ୱାରା ମରମ ମେଟାଲିଙ୍ଗ ରାସ୍ତା ବିଗତ ବର୍ଷାରେ ଧୋଇ ଯାଇ ମରଣଯନ୍ତା ପାଲଟିଛି । ଯାହା ଫଳରେ ସାଧାରଣ ଲୋକ ଉକ୍ତ ରାସ୍ତା ଦେଇ ଯିବା ଆସିବା ପାଇଁ ସୁରକ୍ଷିତ ମଣୁନଥିବା ପ୍ରକାଶ କରିଛନ୍ତି । ଆବଶ୍ୟକୀୟ ସ୍ଥଳେ କିମ୍ବା ଜରୁରୀକାଳିନ ପରିସ୍ଥତିରେ ପଡୋଶୀ ଜିଲ୍ଲା କନ୍ଧମାଳର ସୂଡ୍ରା ରାସ୍ତା ଦେଇ ମୋହନଗିରିରୁ ମ.ରାମପୁରକୁ ପ୍ରାୟ ୭୫ କି.ମି. ଅତିକ୍ରମ କରିବାକୁ ପଡିଥାଏ । ଏଣୁ ଲୁବେନ୍ ଗଡବାସୀ ଅନେକ ସମୟରେ ପଡୋଶୀ ଜିଲ୍ଲାର ବାଲିଗୁଡା ବାରଖମା ଉପରେ ଜିବନ ଜୀବିକା ପାଇଁ ନିର୍ଭର କରିବାକୁ ବାଧ୍ୟ ହୋଇଥାନ୍ତି । କେବଳ ସରକାରୀ କାର୍ଯ୍ୟ ପାଇଁ ମ.ରାମପୁର ବ୍ଲକକୁ ଆସୁଥିବା ଜଣାପଡିଛି । ଅଞ୍ଚଳରେ ଅଟକି ପଡିଥିବା ସମସ୍ତ ପ୍ରଧାନ ମନ୍ତ୍ରୀ ସଡକ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ବନ ବିଭାଗ ସହିତ ଶାନ୍ତିପୂର୍ଣ୍ଣ ଆଲୋଚନା କରି ଫରେଷ୍ଟ କ୍ଲିୟରାନ୍ସ ନେଇ ପୁଣିଥରେ ତ୍ୱରାନିତ କରିବା ପାଇଁ ଲୁବେନ୍ ଗଡ ପଞ୍ଚାୟତର କିଛି ସଚେତନ ନାଗରିକ ଯୁଗେଶ୍ୱର ମାଝୀ , ସବିତା ମାଝୀ , ରୁଙ୍ଗା ମାଝୀ , ପରମେଶ୍ୱର ମାଝୀ ଓ ମନୁ ମାଝୀ ଦାବି କରିଥିବା ବେଳେ ମଦନପୁର ରାମପୁର ବିକାଶ ମଞ୍ଚର କର୍ମକର୍ତ୍ତା ଚିରାଗ ସିଂଦେଓ , ସତ୍ୟ ସାହୁ , ତାପଶ ମିଶ୍ର , ବିବେକ ସ୍ୱାଇଁ , ପାଣ୍ଡବ ମେହେର , ରାହୁଲ ପଟ୍ଟନାୟକ , ଦିପକ ସାହୁ , ପ୍ରବୀଣ ଦୁବେ , ଅମ୍ରେଶ ଶତପଥୀ, ଅର୍ଣ୍ଣବ ସିଂ ଦେଓ ପ୍ରମୁଖ ମଧ୍ୟ ସମସ୍ତ ରାସ୍ତା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଦାବି କରିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/bpt-photo-of-pmgsy-road.png)