କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ପ୍ରତିବର୍ଷ ରାସ୍ତାଘାଟ ସହିତ ବିଭିନ୍ନ ପ୍ରକଳ୍ପରେ କୋଠାବାଡ଼ି, ସେତୁ ନିର୍ମାଣ ହେଉଛି। ଏହି କାମ ପାଇଁ ଆବଶ୍ୟକ ପଡ଼ୁଥିବା ବାଲିଗୋଡ଼ି କିନ୍ତୁ ଉପଲବ୍ଧ ହେଉନାହିଁ। ସରକାରୀ ବ୍ୟବସ୍ଥାରେ ଠିକାସଂସ୍ଥା ବାଲି, ପଥର ଆଣିବା ପାଇଁ ଟେଣ୍ଡରରେ ଯେଉଁ ବ୍ୟବସ୍ଥା ରହୁଛି, ସେଠାରେ ବାଲି ନାହିଁ କି ପଥର ନାହିଁ। ଅର୍ଥାତ ବର୍ଷବର୍ଷ ଧରି ରାସ୍ତା କିମ୍ବା ଗୃହ ନିର୍ମାଣରେ ବ୍ୟବହୃତ ହେଉଥିବା ଗୋଡ଼ି ବା ବାଲି ବେଆଇନ ଭାବେ ସଂଗୃହୀତ। ଏ ସଂକ୍ରାନ୍ତରେ କେବଳ ପ୍ରଶାସନ ନୁହେଁ, ସରକାର ଜାଣିଥିଲେ ବି ଟେଣ୍ଡରରେ ସଂଶୋଧନ କରାଯାଉ ନାହିଁ। ପୂର୍ତ୍ତ କିମ୍ବା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା କାମ ପାଇଁ ଆହ୍ବାନ କରୁଥିବା ଟେଣ୍ଡରରେ ଗୋପାଳପୁରଠାରୁ ଚିପ୍ସ ସଂଗ୍ରହ କରିବାକୁ ବ୍ୟବସ୍ଥା କରୁଛି। ବାସ୍ତବତା ହେଲା, ଗୋପାଳପୁରରେ ନା ପଥର ଖାଦାନ ଅଛି ନା କ୍ରସର ଅଛି। କିନ୍ତୁ ଗୋପାଳପୁରରୁ ଚିପ୍ସ ସଂଗ୍ରହ ପାଇଁ ଏଷ୍ଟିମେଟ୍ରେ ଉଲ୍ଲେଖ ରହୁଛି।
ସେହିପରି କୌଣସି ଗୃହ ବା ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ବେଳେ ତୁରୁମୁଙ୍ଗା ଘାଟରୁ ବାଲି ସଂଗ୍ରହ ବ୍ୟବସ୍ଥା ହେଉଛି। ତୁରୁମୁଙ୍ଗା ବାଲିଘାଟର ବାଲି ଅତି କାଦୁଆ। ଏଠାରୁ ସଂଗୃହୀତ ବାଲି ନିର୍ମାଣ କାମରେ ଲାଗେ ନାହିଁ। କେବଳ ଫିଲିଂ ବାଲି ଭାବେ ବ୍ୟବହାର ହୁଏ। ସରକାରୀ ବ୍ୟବସ୍ଥାରେ ତାହା ଉତ୍କୃଷ୍ଟ ବାଲି। ଏହି ଦୁଇଟି ବ୍ୟବସ୍ଥାରେ ଚିପ୍ସ ଓ ବାଲି ନ ମିଳିବାରୁ, ଠିକାସଂସ୍ଥା ବିଭିନ୍ନ ଉପାୟରେ ଚିପ୍ସ, ବାଲି ସଂଗ୍ରହ କରି କାମ କରିଥାନ୍ତି। ନଚେତ ଝାଡ଼ଖଣ୍ଡରୁ ଟିକସ ଦେଇ ସଂଗ୍ରହ କରିଥାନ୍ତି। ଫଳରେ ସରକାର କୋଟି କୋଟି ଟଙ୍କା ରାଜସ୍ବ ହରାଉଛନ୍ତି। ମୂଳ କଥା ହେଉଛି, ଏଭଳି ବେଆଇନ ଚିପ୍ସ ଓ ବାଲି ସଂଗ୍ରହ କରିବା ଦ୍ବାରା ଯେ ଠିକାସଂସ୍ଥା ଲାଭବାନ ହେଉଛନ୍ତି, ତା’ ନୁହେଁ, ସମସ୍ୟା ବାବଦରେ ସେମାନେ ବର୍ଷ ବର୍ଷ ଧରି ସରକାରଙ୍କୁ ଅବଗତ କରାଉଥିଲେ ବି ସମାଧାନ ହେଉନାହିଁ।
ଏ ସଂପର୍କରେ କେନ୍ଦୁଝର ଠିକାଦାର ସଂଘର ସଭାପତି ପ୍ରଶାନ୍ତ କୁମାର ସାହୁ କହିଛନ୍ତି, ଆମେ ଜିଲ୍ଲା ପ୍ରଶାସନଠାରୁ ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ସବୁବେଳେ ଦୃଷ୍ଟି ଆକର୍ଷଣ କରିଛୁ। ଠିକାସଂସ୍ଥା କେଉଁଠୁ ବାଲି ନେବେ ଏବଂ କେଉଁଠୁ ଚିପ୍ସ ସଂଗ୍ରହ କରିବେ, ସେ ସଂପର୍କରେ ନିର୍ଦିଷ୍ଟ ମାର୍ଗଦର୍ଶିକା ହେବା ସହିତ ଟେଣ୍ଡରରେ ବ୍ୟବସ୍ଥା ହେଉ। ବର୍ଷ ବର୍ଷ ଧରି ସରକାର ଯେଉଁ ବ୍ୟବସ୍ଥା କରୁଛନ୍ତି, ତାହା ଠିକାସଂସ୍ଥାକୁ ଅଡୁଆରେ ପକାଉଛି। ବାଧ୍ୟବାଧ୍ୟକତାରେ ବେଆଇନ ଉପାୟରେ ଗୋଡ଼ିବାଲି ସଂଗ୍ରହ କରି କାମ କରାଯାଉଛି। ସରକାର ତୁରନ୍ତ ଏହି ଅବ୍ୟବସ୍ଥା ଉପରେ ଚିନ୍ତା କରି ଏହାର ସମାଧାନ କରନ୍ତୁ। ସରକାର ବିପୁଳ ଟିକସ ହରାଉଥିବାବେଳେ ଠିକାସଂସ୍ଥା ମଧ୍ୟ ଅସୁବିଧାରେ ପଡୁଛନ୍ତି। ଆଗାମୀ ଦିନରେ ଏହାର ସଂଶୋଧନ ନ ହେଲେ, ଜିଲ୍ଲା ଠିକାଦାର ସଂଘ କାର୍ଯ୍ୟବନ୍ଦ ପାଇଁ ମଧ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି ବୋଲି ସଂଘର ସଂପାଦକ ଅନୁପ କୁମାର ମହାନ୍ତି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/16/adgdagdazvvcvc-2025-09-16-03-14-15.jpg)