ଖୋର୍ଦ୍ଧା: ନିର୍ବାଚନ ଆଚାରଣ ବିଧି ଅନୁସାରେ ସରକାର କୌଣସି ନୂତନ ପ୍ରକଳ୍ପ ଘୋଷଣା କରିପାରିବେ ନାହିଁ, କିନ୍ତୁ ପୂର୍ବ ଅନୁଦିତ ଯୋଜନା ନିର୍ଦ୍ଧାରିତ ସମୟରେ ଶେଷ ହେବ । କିନ୍ତୁ ରାଜ୍ୟ ରାଜଧାନୀର ଜିଲ୍ଲା ଖୋର୍ଦ୍ଧାରେ ବିଚିତ୍ର ସ୍ଥିତି ସୃଷ୍ଟି ହୋଇଛି । ପ୍ରାୟ ୨୦୦ରୁ ଊର୍ଦ୍ଧ୍ବ ଗ୍ରାମ୍ୟ ଉନ୍ନୟନ ବିଭାଗର ସଡ଼କ, ଆଇଆରଇଡିଏଫ୍ ଅନୁଦିତ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାର ସଡ଼କ କାମ ପଞ୍ଚାୟତ ନିର୍ବାଚନରେ ଠିକାଦାର ମାତିଥିବାରୁ କାମ ଆଗେଇ ପାରିନାହିଁ ।
ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାନୁସାରେ, ଠିକାଦାର, ମଦଦୋକାନ ମାଲିକ, ସରକାରୀ କର୍ମଚାରୀ ନିଜର ସମ୍ପର୍କୀୟଙ୍କ ପ୍ରଚାରରେ ଯୋଗ ଦେଇପାରିବେ ନାହିଁ, କିନ୍ତୁ ଖୋର୍ଦ୍ଧାରେ ଏହାର ଖୋଲା ଉଲ୍ଲଂଘନ ହୋଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, ୨୦୨୧-୨୨ ଆର୍ଥିକ ବର୍ଷରେ ମାର୍ଚ୍ଚ ଶେଷ ସୁଦ୍ଧା ଯେଉଁ ସରକାରୀ ଅନୁଦିତ କାମ ବିଶେଷତଃ ସଡ଼କ ନିର୍ମାଣ ଶେଷ ହେବା କଥା ସେହି କାମ ଗୁଡ଼ିକ ଗତ ୧ ମାସ ଧରି ଅଚଳ ହୋଇପଡ଼ିଛି । ଏହାର ପ୍ରମୁଖ କାରଣ ହେଉଛି, ନିର୍ମାଣ ପାଇଁ ଠିକା ନେଇଥିବା ଠିକାଦାର ନିର୍ବାଚନ ପ୍ରଚାରରେ ମାତିଛନ୍ତି ।
ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏକ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନାନୁସାରେ, ୨୧୪ଟି ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଅନୁଦିତ କାମ ଅଟକି ଯାଇଛି । ଫେବ୍ରୁଆରି ମାସ ସୁଦ୍ଧା ସମ୍ପୃକ୍ତ କାମଗୁଡ଼ିକର ୬୫ ପ୍ରତିଶତ କାମ ଶେଷ ହେବା କଥା, କିନ୍ତୁ ଅନେକ କାମ ଅଧା ମଧ୍ୟ ହୋଇନାହିଁ । ଏହି ଅଟକି ରହିଥିବା କାମଗୁଡ଼ିକ ମଧ୍ୟରେ ସିସି ପେଭ୍ମେଂଟ୍, ସିଡି ୱାର୍କସ, ସିସି ଡ୍ରେନ୍, ରିଟେନିଂ ୱାଲ୍ ରହିଛି । ଏହି କାମଗୁଡ଼ିକ ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ କଡ଼ା ନିର୍ଦ୍ଦେଶ ରହିଥିଲା । ଏନେଇ ଫେବ୍ରୁଆରି ୧ ତାରିଖ ଠାରୁ ୪ ତାରିଖ ମଧ୍ୟରେ ଅତିରିକ୍ତ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ମଧ୍ୟ ନିଦେ୍ର୍ଦଶ ଦିଆଯାଇଥିଲା । ଏହାସତ୍ୱେ ଅନୁଦିନ କାମ କରାଯାଇନାହିଁ । ସେହିଭଳି ଗ୍ରାମ୍ୟ ଉନ୍ନୟନ ବିଭାଗର ନୂତନ ଭାବେ ଅନୁଦିତ ହୋଇଥିବା ଆରଡି ରୋଡ୍ କାଣିଚାଏ ମଧ୍ୟ ଟଙ୍କା ଖର୍ଚ୍ଚ ହୋଇପାରିନାହିଁ । ଏହାର ପ୍ରମୁଖ କାରଣ ସମ୍ପୃକ୍ତ ଠିକାଦାର ମାନେ ବିଭିନ୍ନ ପ୍ରାର୍ଥୀଙ୍କ ନିର୍ବାଚନ ପ୍ରଚାରରେ ମାତିଛନ୍ତି । କେତେକ ସ୍ଥାନରେ ପ୍ରାର୍ଥୀ ଓ ଗାଁ ଲୋକ ନିର୍ବାଚନ ପରେ କାମ ଆରମ୍ଭ କରିବାକୁ ଚାପ ପକାଇ କାମ କରାଇଦେଉନାହାନ୍ତି । ତେବେ ତିନି ଦିନ ପୂର୍ବେ ରୁରାଲ୍ ୱାର୍କସ୍ର ମୁଖ୍ୟ ଯନ୍ତ୍ରୀ ଏନେଇ ତୀବ୍ର ଅସନ୍ତୋଷ ବ୍ୟକ୍ତ କରି ଭୁବନେଶ୍ୱର ଡିଭିଜନର ନିର୍ବାହୀ ଯନ୍ତ୍ରୀଙ୍କୁ ତାଗିଦ୍ କରିଛନ୍ତି । ଅଟକି ରହିଥିବା କାମ ଆରମ୍ଭ କରିବା ସହ କାମଗୁଡ଼ିକର ଭିଡିଓ ଚିତ୍ର ପଠାଇବାକୁ ନିଦେ୍ର୍ଦଶ ଦେଇଛନ୍ତି ।