ବହୁ ପ୍ରତୀକ୍ଷିତ ବାଙ୍କିବାହାଲ-ଟପରିଆ ରାସ୍ତା: କୋଇଲା ବର୍ଜ୍ୟ ପକାଇ ରାସ୍ତା ନିର୍ମାଣ

ଚର୍ଚ୍ଚାରେ ନିର୍ମାଣକାରୀ ସଂସ୍ଥା ଆରକେଡି

ସୁନ୍ଦରଗଡ଼: ହେମଗିର ବ୍ଲକର ବହୁ ପ୍ରତୀକ୍ଷିତ ବାଙ୍କିବାହାଲ-ଟପରିଆ ରାସ୍ତା ନିର୍ମାଣ ନାମରେ ଠିକା ସଂସ୍ଥା ଆରକେଡି ଛତାବରର ଜଣେ ଆଦିବାସୀ ଚାଷୀ ନୃପ କିଶାନ ସମେତ ୭ ଜଣ ଚାଷୀଙ୍କ ରାଜସ୍ବ ଜମିରୁ ବିନା ଅନୁମତି ଓ କ୍ଷତିପୂରଣରେ ବହୁ ମୂଲ୍ୟବାନ ଗଛ କାଟିନେବା ଓ ଜମିର ଜୋରଜବରଦସ୍ତ ତିଆରି କରିଥିବା ଡାଇଭର୍ସନକୁ କାମ ଶେଷ ପରେ ବି ନହଟାଇବା ଅଭିଯୋଗକୁ ନେଇ ଚର୍ଚ୍ଚାରେ ଥିଲା। କୌଣସିସ୍ଥିତିରେ ଅନୁମତି ନଥାଇ ଆଦିବାସୀ ଜମିକୁ ଦଖଲକୁ ନେବା କି ସେଥିରେ କୌଣସି ନିର୍ମାଣ କରିବା ବେଆଇନ ହୋଇଥିଲେ ମଧ୍ୟ ଠିକା ସଂସ୍ଥା ଏହାକୁ ଭୃକ୍ଷେପ ନକରି ନୃପ କିଶାନଙ୍କ ଜମିରେ ଡାଇଭର୍ସନ ତିଆରି କରିବା ସହ ଗଛ କାଟି ନେଇଥିଲା। ଏ ନେଇ ପ୍ରଭାବିତ ଛତାବର ଗାଁର ନୃତ ସମେତ ୭ ଜଣ ଚାଷୀ ବୀରେନ୍ଦ୍ର ପଧାନ, ସୀତାରାମ ପଧାନ, ଅଶୋକ କୁମାର ପଧାନ, ପ୍ରଦୀପ ପଧାନ, ଗୋବର୍ଦ୍ଧନ ପଧାନ, ତ୍ରିନାଥ ପଧାନ, ସମ୍ପୃକ୍ତ ସଂସ୍ଥା ନାମରେ ହେମଗିର ଥାନାରେ ଏତଲା ଦେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏଯାଏ ପୁଲିସ, ପ୍ରଶାସନ ଚାଷୀମାନଙ୍କୁ ନ୍ୟାୟ ଦେଇ ନାହିଁ। ଏବେ ଠିକା ସଂସ୍ଥା ପୁଣି ଚର୍ଚ୍ଚାକୁ ଆସିଛି। କୋଇଲା ବର୍ଜ୍ୟ ପକାଇ ରାସ୍ତା ନିର୍ମାଣ କରୁଥିବା ଅଭିଯୋଗ ହୋଇଛି।

୧୦୩ କୋଟି ଅଟକଳରେ ୨୦ କିଲୋମିଟର ବିଶିଷ୍ଟ ଏହି ରାସ୍ତାରେ ବୈଷୟିକ ପରାମର୍ଶ ଅନୁସାରେ, ମାଟି କାମ ପରେ ୬ ଇଞ୍ଚର ଚିପସ, ମେଟାଲ ଓ କ୍ରସର ଗୁଣ୍ଡ ମିଶ୍ରଣ ଜିଏସବି ପକାଇବା, ଏହା ଉପରେ ୬ ଇଞ୍ଚର ଲାଉନ୍ସ କଂକ୍ରିଟ ଓ ସବା ଉପରେ ୧ ଫୁଟ ମୋଟେଇର ସିମେଣ୍ଟ କଂକ୍ରିଟ ପଡ଼ିବ। କିନ୍ତୁ ଠିକା ସଂସ୍ଥା ଅନେକ ସ୍ଥାନରେ ମାଟି ନପକାଇ କୋଇଲା ବର୍ଜ୍ୟ ପକାଉଥିବା ଅଭିଯୋଗ ହୋଇଛି। ତେଣୁ ଏହାର ସ୍ଥାୟିତ୍ବକୁ ନେଇ ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଛନ୍ତି। ଜନଶକ୍ତି ବିକାଶ ପରିଷଦ ସଭାପତି ବୀରେନ୍ଦ୍ର ପଟେଲ ଓ ଅନ୍ୟ ସଦସ୍ୟମାନେ ଏହାର ବିରୋଧ କରିଥିଲେ ମଧ୍ୟ ଠିକା ସଂସ୍ଥା ଆରକେଡି କାହା କଥା ଶୁଣୁ ନଥିବା ଏବଂ ରାସ୍ତାରେ କୋଇଲା ବର୍ଜ୍ୟ ପକାଉଥିବା ପ୍ରକାଶ ପାଇଛି। ଛତିଶଗଡ଼କୁ ଏମସିଏଲର କୋଇଲା ପରିବହନକୁ ନେଇ ବାଙ୍କିବାହାଲ-ଟପରିଆ ରାସ୍ତା ଅତି ଶୋଚନୀୟ ହୋଇପଡ଼ିଥିବା ବେଳେ ସ୍ଥାନୀୟ ଅଞ୍ଚଳର ଅଧିବାସୀଙ୍କ ଯାତାୟତ ଦୁର୍ବିସହ ହୋଇପଡ଼ିଥିଲା। ବହୁ ଦାବି, ଧାରଣା, ଅନଶନ ପରେ ରାସ୍ତା ନିର୍ମାଣ ଆରମ୍ଭ ହୋଇଛି। ତେବେ ଆରମ୍ଭରୁ ପୂର୍ତ୍ତ ବିଭାଗର ବୈଷୟିକ ପରାମର୍ଶକୁ ଉପେକ୍ଷା କରି ଠିକା ସଂସ୍ଥା ନିଜ ମନମର୍ଜିରେ କାମ କରୁଥିବାରୁ ୧୦୩ କୋଟିର ରାସ୍ତା ଲୋକଙ୍କ ଦୁର୍ଦ୍ଦଶା ଦୂର କରିବାରେ ସହାୟକ ହୋଇପାରିବ କି ନାହିଁ, ତାକୁ ନେଇ ସ୍ଥାନୀୟ ଲୋକେ ସନ୍ଦେହ ପ୍ରକାଶ କରିଛନ୍ତି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର