କଳାପଥର: ଖୋର୍ଦ୍ଧା ଓ କଟକ ସୀମାନ୍ତବର୍ତୀ ବୈଦ୍ୟେଶ୍ବର-ବାଙ୍କୀ ପୂର୍ତ୍ତ ବିଭାଗ ରାସ୍ତା ଏକ ପ୍ରମୁଖ ରାସ୍ତା ଅଟେ। ଏହି ରାସ୍ତା ଦେଇ ଦୈନିକ ଶତାଧିକ ଭାରୀଯାନ, ଯାତ୍ରୀବାହୀ ଯାନ ଓ ଜନସାଧାଣ ଯିବାଆସିବା କରିଥାନ୍ତି। ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ସଡ଼କର ପ୍ରଶସ୍ତୀକରଣ ପାଇଁ ୨ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା, କିନ୍ତୁ ବୈଦ୍ୟେଶ୍ବର-କଳାପଥର ମଧ୍ୟରେ ଥିବା ସଡ଼କର ଉଭୟପାର୍ଶ୍ବରୁ ଜବରଦଖଲ ହଟାଯାଇପାରୁନଥିବାରୁ ଏହାର ପ୍ରଶସ୍ତୀକରଣ ହୋଇପାରୁନାହିଁ।
୨୦୨୧-୨୨ରେ ବାଙ୍କୀ ଠାରୁ ବୈଦ୍ୟେଶ୍ବର ୨୭ କିଲୋମିଟର ପୂର୍ତ ବିଭାଗ ସଡ଼କର ପ୍ରଶସ୍ତୀକରଣ କାମ ଆରମ୍ଭ ହୋଇଥିଲା। ଏହା ମଧ୍ୟରେ ବାଙ୍କୀ ଠାରୁ ବୈଦ୍ୟେଶ୍ବର ୧୯ କିଲୋମିଟର ସଡ଼କ କାମ ବର୍ତମାନ ଶେଷ ହୋଇଯାଇଛି। ବଳକା, ବୈଦ୍ୟେଶ୍ବର ଠାରୁ କଳାପଥର ୮ କିମି ସଡ଼କର ଉଭୟ ପାର୍ଶ୍ବରେ ଜବରଦଖଲ ଥିବାରୁ ସଡ଼କ କାମ ଅଟକିଯାଇଛି। ବର୍ତମାନ ୮ କିମି ଦୀର୍ଘ ବୈଦ୍ୟେଶ୍ବର- କଳାପଥରର ରାଜୀବ, ସାତଖଣ୍ଡ, ଆନୁଆରୀ ଆଦି ସ୍ଥାନରେ ରାସ୍ତା ଉପରେ ଦୋକାନ ଆଦି ନିର୍ମାଣ ହୋଇଛି। ଦମକଳ କେନ୍ଦ୍ର ଠାରୁ ଗୋଲେଇ ଛକ ମଧ୍ୟସ୍ଥ ରାସ୍ତାରେ ମଧ୍ୟ ଅନୁରୂପ ଜବରଦଖଲ ସହ ଆଖପାଖର ଅନେକ ସରକାରୀ ଜମି ମଧ୍ୟ ଜବରଦଖଲ ହୋଇଛି। ଏନେଇ ପ୍ରାୟ ୧ ବର୍ଷ ପୂର୍ବେ ପୂର୍ତ ବିଭାଗ ପକ୍ଷରୁ ବାଙ୍କୀ ତହସିଲଦାରଙ୍କୁ ଚିଠି ଲେଖାଯାଇଥିଲା। ରାସ୍ତାର ଚୌଡ଼ା ମାପଚୁପ କରି ଜବରଦଖଲ ହଟାଇଲେ କାମ ବଢ଼ିବ ବୋଲି ଚିଠିରେ ଦର୍ଶାଯାଇଥିଲା। ଏହା ମଧ୍ୟରେ ୩ରୁ ଉର୍ଧ୍ବଥର ଚିଠି ଲେଖାଗଲାଣି କିନ୍ତୁ ଜବରଦଖଲ ହଟାଇବାକୁ ନେଇ ସ୍ଥାନୀୟ ତହସିଲ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ। ଅପରପକ୍ଷରେ, ସରକାରୀ ନଥିରେ ଥିବା ସଡ଼କର ଓସାର ଅନୁସାରେ ପୂର୍ତ ବିଭାଗ ସଡ଼କର ଉଭୟ କଡ଼ରେ ଖୁଣ୍ଟ ପୋତିଛି। କିନ୍ତୁ ରାଜସ୍ବ ବିଭାଗର ଇଚ୍ଛାଶକ୍ତିର ଅଭାବ ଓ ଅଞ୍ଚଳର ପ୍ରଭାବଶାଳୀ ରାଜନେତାଙ୍କ ଚାପରେ ଜବରଦଖଲ ହଟାଯାଇପାରୁନଥିବାରୁ ସର୍ବସାଧାରଣଙ୍କ ସ୍ବାର୍ଥ ସହ ଜଡ଼ିତ ସଡ଼କ ପ୍ରଶସ୍ତୀକରଣ କାମ ଅଟକି ଯାଇଛି।