ଲଗାଣ ବର୍ଷାରେ ଧୋଇଗଲା ଦଶପଲ୍ଲା ବ୍ଲକ୍‌ର ଫାଲପାଜୁ ଓ ଦୁଡ଼ା ମୁଖ୍ୟ ରାସ୍ତା, ୪ଟି ପଞ୍ଚାୟତର ୧୦ରୁ ଊର୍ଦ୍ଧ୍ବ ଗ୍ରାମ ମଧ୍ୟରେ ଯାତାୟାତରେ ଅସୁବିଧା

ଦଶପଲ୍ଲା : ଲଗାଣ ବର୍ଷାରେ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷତି ଘଟିଥିବା ବେଳେ ଏବେ ଦଶପଲ୍ଲା ବ୍ଲକ୍‌ର ଫାଲପାଜୁ ଓ ଦୁଡ଼ା ମୁଖ୍ୟରାସ୍ତା ଧୋଇ ହୋଇ ଯାଇଥିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଦୁର୍ଦ୍ଦଶା ବୃଦ୍ଧି ପାଇଛି। ଗାଁକୁ ଭଲ ରାସ୍ତା ଖଣ୍ଡେ ନଥିବା ବେଳେ ୩ ବର୍ଷ ତଳେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଏହି ରାସ୍ତାଟି ନିର୍ମାଣ ହୋଇଥିଲା। ଏପଟେ ଗତ ୭ ତାରିଖ ଦିନ ଲଗାଣ ବର୍ଷା ହେତୁ ଏହି ରାସ୍ତାରେ ଏକ ଘାଇ ସୃଷ୍ଟି ହୋଇଛି। ଯାହାକୁ ନେଇ ଦୁଡ଼ା, କଳସାଖମଣ, ନୂଆଗାଁ ଏବଂ ଚଡ଼େୟାପଲ୍ଲୀ ପଞ୍ଚାୟତର କୁରୁଡ଼ାଙ୍ଗି, ଜରକିବାଡ଼ି, ଦୁଡ଼ା, ମିଟିଗାଡ଼ୁ, ଭାଲିଆପଦର, ଜୁରାଗଣ୍ତା ଏବଂ ସୁନ୍ଦୁରୁକୁମ୍ପା ଭଳି ୧୦ରୁ ଊର୍ଦ୍ଧ୍ବ ଗ୍ରାମ ମଧ୍ୟରେ ଯାତାୟାତ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇପଡ଼ିଛି।

ଏହି ରାସ୍ତା ଦେଇ ଗ୍ରାମବାସୀ ଯାତାୟାତ କରିବା କି ଛାତ୍ରଛାତ୍ରୀମାନେ ଦୈନିକ ବିଦ୍ୟାଳୟକୁ ଯିବାଆସିବା କରୁଛନ୍ତି। ବଡ଼କଥା ହେଉଛି ଦୁଡ଼ାରେ ଥିବା ୟୁଜିଏମ୍ଇ ବିଦ୍ୟାଳୟକୁ ରାଜ୍ୟ ସରକାର କିଛି ମାସ ତଳେ ଫାଇଭ୍-ଟିରେ ସାମିଲ ପରେ ରୂପାନ୍ତରଣ କରିଥିବା ବେଳେ ଏହି ଏହି ବିଦ୍ୟାଳୟକୁ ଏବେ ଯାତାୟାତ ବିଚ୍ଛିନ୍ନ ହୋଇପଡ଼ିଛି। ଶିକ୍ଷକମାନେ ବାଣୀଗୋଛା ସମେତ ବିଭିନ୍ନ ସ୍ଥାନରୁ ଉକ୍ତ ବିଦ୍ୟାଳୟକୁ ଯାଆଆସ କରୁଥିବା ବେଳେ ରାସ୍ତା ନଥିବା ହେତୁ ଶିକ୍ଷକଙ୍କଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ଏବଂ ଗ୍ରାମବାସୀ ଦୟନୀୟ ଅବସ୍ଥାରେ ଯାତାୟାତ କରୁଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ ଆଣିଛନ୍ତି। ଏପଟେ ଗାଁକୁ ସାଇକେଲ୍ କିମ୍ବା ଗାଡ଼ିଟିଏ ଯାଇ ପାରୁନଥିବା ହେତୁ ଜରୁରୀକାଳିନ ପରିସ୍ଥିତିରେ ଯାଆଆସ କରିବା ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହେବା ନିଶ୍ଚିତ ହୋଇପଡ଼ିଛି। ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ ଜଗନ୍ନାଥ ସୁବୁଦ୍ଧିଙ୍କ କହିବା ଅନୁଯାୟୀ, ତଦନ୍ତ କରାଯିବା ସହ ଏହାର ଫଟୋ ଏସ୍‌ଆର୍‌ସିଙ୍କୁ ପଠାଯାଇଛି। ଆସନ୍ତାକାଲି ଏହାର ଚିଠି ଆସିଯିବ। ଯାହାକୁ ନେଇ ଖୁବ୍‌ଶୀଘ୍ର ୩ ମିଟର ଓସାରରେ ଏକ ଅସ୍ଥାୟୀ ରାସ୍ତା ନିର୍ମାଣ କରାଯିବା ପରେ ୧୦ରୁ ୧୫ ଦିନ ପରେ ଏହାର ସ୍ଥାୟୀ ପ୍ରତିକାର କରାଯିବ ବୋଲି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର