ବର୍ଷାରେ ବ୍ୟାପକ କ୍ଷୟକ୍ଷତି : ଭାଙ୍ଗିଲା ଶହ ଶହ ଘର, ରାସ୍ତା ସାରା ଘାଇ, ବହୁ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ

ମାନେଶ୍ବର ବ୍ଲକ ସର୍ବାଧିକ ପ୍ରଭାବିତ

ସମ୍ବଲପୁର/ଧମା : ପ୍ରବଳ ବର୍ଷା ଯୋଗୁଁ ସମ୍ବଲପୁର ସହର ସମେତ ଗ୍ରାମାଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ‌ହୋଇଛି। ବହୁ ସଂଖ୍ୟାରେ ଘର ଭାଙ୍ଗିଛି। ଗ୍ରାମାଞ୍ଚଳର ବହୁ ରାସ୍ତାରେ ବିରାଟ ଘାଇ ସୃଷ୍ଟି ହୋଇ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଅନେକ ଅଞ୍ଚଳରେ ଚାଷ ଜମି ବାଲିଚର ହୋଇଛି। କେବଳ ସମ୍ବଲପୁର ସହରାଞ୍ଚଳରେ ସମୁଦାୟ ୧୧୫ ଘର ଭାଙ୍ଗି ଯାଇଛି। ଏଥିମଧ୍ୟରେ ଏସଏମସି ଅନ୍ତର୍ଗତ ୧୨ ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବାବେଳେ ୯୦ ଘର ଆଂଶିକ ଭାଙ୍ଗିଛି। ଧନକଉଡ଼ା ବ୍ଲକର ୧୨ ଘର ସମ୍ପୂର୍ଣ୍ଣ ଭାଙ୍ଗିଛି। ବାଗବିରା-ଘଣ୍ଟେଶ୍ବରୀ ରାସ୍ତା, ହୁମା-କରଞ୍ଜୋଳା ପୂର୍ତ୍ତ ବିଭାଗ ରାସ୍ତାରେ ବିରାଟ ଘାଇ ସୃଷ୍ଟି ହୋଇଥିବାରୁ ସେହି ସ୍ଥାନ ଦେଇ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇ ପଡ଼ିଛି। ସହରର ପ୍ରଧାନପଡ଼ାରେ ବର୍ଷା ବନ୍ଦ ହେବା ପରେ ମଧ୍ୟ ପାଣି ଜମି ରହିବା ଯୋଗୁଁ ଯାତାୟାତରେ ସମସ୍ୟା ସୃଷ୍ଟି ହୋଇଛି। ଜିଲ୍ଲାର ଜମନକିରା, ନାକ୍ଟିଦେଉଲ, କୁଚିଣ୍ଡା ଓ ମାନେଶ୍ବର ବ୍ଲକ ଅଞ୍ଚଳରେ ରାସ୍ତା ପ୍ରଭାବିତ ହୋଇଛି। ସୋମବାର ସୁଦ୍ଧା ଏହାର ସ୍ପଷ୍ଟ ଚିତ୍ର ମିଳିପାରିବ ବୋଲି ଜରୁରୀକାଳୀନ ବିଭାଗ ପକ୍ଷରୁ କୁହାଯାଇଛି। ବିସ୍ତୃତ ରିପୋର୍ଟ ପ୍ରଦାନ ପାଇଁ ସମସ୍ତ ତହସିଲଦାରଙ୍କୁ ନିର୍ଦେଶ ହୋଇଛି।

ଲଗାଣ ବର୍ଷାରେ ସମ୍ବଲପୁର ଜିଲ୍ଲା ମାନେଶ୍ବର ବ୍ଲକର ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଡକରା ପଞ୍ଚାୟତର ସୁବନପୁର-ଆମକୁନି ରାସ୍ତାରେ କଲଭର୍ଟ ଭାଙ୍ଗି ୧୦ ଫୁଟର ଘାଇ ସୃଷ୍ଟି ହୋଇଛି। ସେହିପରି ବଦୁଆପାଲି ପଞ୍ଚାୟତର ଯୋଗୀପାଲି କେନାଲ କଡ଼ରେ ମାଟି ଦବି ପ୍ରାୟ ୨୦ ଫୁଟର ଘାଇ ହୋଇଛି। ସମ୍ବଲପୁର-ସୋନପୁର ୧୫ ନଂ ରାଜ୍ୟ ରାଜପଥର ବରଗାଁ ଛକ ନିକଟରେ ପିଚୁ ରାସ୍ତା ଦବି ଯାଇଛି।

ସମ୍ବନ୍ଧିତ ଖବର