ଗାଁ ରାସ୍ତା ନା ଧାନକ୍ଷେତ! ତଳି ରୋଇ ପ୍ରତିବାଦ ଜଣାଇଲେ ଲୋକେ

କାଳିଆପାଣି : ଦାନଗଦୀ ବ୍ଲକ୍‌ ଗୋବର୍ଦ୍ଧନପୁର ପଞ୍ଚାୟତ ୯ ନମ୍ବର ୱାର୍ଡ ଜଅଁର-ପନାସିଆ ମାଝିସାହି ରାସ୍ତାରେ ଗ୍ରାମବାସୀ ଧାନତଳି ରୋଇ ପ୍ରତିବାଦ କରିଛନ୍ତି। ଏହି କଚ୍ଚା ସଡ଼କରେ ଏତେ କାଦୁଅ ଯେ, ଗ୍ରାମବାସୀ ଜାଡ଼ି ସାହୁ, ରବୀନ୍ଦ୍ର କୁମାର ଦାସ, କାର୍ତ୍ତିକ ଦାସ, ମାନସ ବେ‌ହୁରା, ଟୁଲିଆ ଜେନା, ପ୍ରଭାକର ସାହୁ ପ୍ରମୁଖ ଧାନତଳି ରୋଇ ଥିଲେ।

ଅଭିଯୋଗ ଅନୁଯାୟୀ, ଗତବର୍ଷ ଗାଁର ଗୋପାଳ ସାହୁଙ୍କର କଟକରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଆମ୍ବୁଲାନ୍ସରେ ଅଣାଯାଇଥିବା ଶବ ତାଙ୍କ ଘର ପର୍ଯ୍ୟନ୍ତ ପହଞ୍ଚି ପାରିନଥିଲା। ଗାଁ ମୁଣ୍ଡରେ ଶବ ଥୋଇଦେଇ ଆମ୍ବୁଲାନ୍ସ ଡ୍ରାଇଭର ପଳାଇଥିଲେ। ଗାଁ ସଡ଼କର ଦୁରବସ୍ଥା ପାଇଁ ସେଦିନ ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା। ଗୋପାଳଙ୍କ ବିଧବା ପତ୍ନୀ ଜାଡ଼ି ପ୍ରତିବାଦରେ ସାମିଲ ହୋଇଥିଲେ। ସେହିପରି ଗତବର୍ଷ ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇ ପନାସିଆ ମାଝିସାହି ଗସ୍ତରେ ଆସିଥିବା ସମୟରେ ତାଙ୍କ ଗାଡ଼ି ଏହି ସଡ଼କରେ ଫଶିଥିଲା। ଶ୍ରୀ ଘଡ଼ାଇ ଗାଁର ଯୁବକମାନଙ୍କୁ ସଡ଼କ ପୁନରୁଦ୍ଧାର ପାଇଁ ପରାମର୍ଶ ଦେଇଥିଲେ। ଏ ସଂପର୍କରେ ବ୍ଲକ୍‌ ପ୍ରଶାସନକୁ ଅବଗତ କରାଯାଇଥିଲା। ହେଲେ ରାସ୍ତା ଅବସ୍ଥା ସୁଧୁରିନାହିଁ। ଏସଂପର୍କରେ ସ୍ଥାନୀୟ ସମିତିସଭ୍ୟା ସରସ୍ବତୀ ସାହୁଙ୍କୁ ଯୋଗାଯୋଗ କରିବାରେ ଏସମ୍ପର୍କରେ ସେ ଓ ସରପଞ୍ଚ ଶୁକଦେବ ମହାନ୍ତି ବିଡିଓ ଡ. ମଣିପ୍ରସାଦ ମିଶ୍ରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତେବେ ରାସ୍ତାର ଉନ୍ନତୀକରଣ ହୋଇନଥିବାରୁ ସେ କ୍ଷୋଭ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର